Bomb Note Triggers Emergency Landing Of Air India Flight: ବିମାନରେ ‘ବମ୍‌’ ଲେଖା ଟିସୁ ପେପର, ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

Aug 31, 2026 - 19:50
Bomb Note Triggers Emergency Landing Of Air India Flight: ବିମାନରେ ‘ବମ୍‌’ ଲେଖା ଟିସୁ ପେପର, ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ବିମାନର ଟଏଲେଟରେ ‘ବମ୍‌’ ଲେଖାଥିବା ଟିସୁ ପେପର ମିଳିବା ପରେ ଏୟାର ଇଣ୍ଡିଆର ଏକ ବିମାନକୁ ଅହମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ସାଉଦି ଆରବର ଦାମ୍ମାମ୍‌ରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ବିମାନରେ ଏହି ଘଟଣାକୁ ନେଇ ହଠାତ୍‌ ଚିନ୍ତାର ବାତାବରଣ ସୃଷ୍ଟି ହୋଇଥିଲା।

ଅହମଦାବାଦ ପୋଲିସର ସୂଚନା ଅନୁସାରେ, ବିମାନର ଟଏଲେଟରେ ଏକ ଏହି ପେପର ମିଳିଥିଲା, ଯେଉଁଥିରେ ‘ବମ୍‌’ ଶବ୍ଦ ଲେଖାଯାଇଥିଲା। ଏହା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନଟିକୁ ଅହମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।

ବିମାନରେ ମୋଟ ୩୨ ଜଣ ଯାତ୍ରୀ ଥିଲେ। ବିମାନଟି ଅହମଦାବାଦର ଟର୍ମିନାଲ-୨ରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଛି। ଘଟଣା ପରେ ବିମାନରେ ବିସ୍ତୃତ ଯାଞ୍ଚ ଆରମ୍ଭ ହୋଇଛି।

ପୋଲିସ ଓ ସୁରକ୍ଷାକର୍ମୀମାନେ ବିମାନକୁ ଯାଞ୍ଚ କରୁଥିବା ବେଳେ ଏହି ପେପରରେ ‘ବମ୍‌’ ଲେଖିଥିବା ବ୍ୟକ୍ତି କିଏ ଏବଂ ଏହା ପଛରେ କୌଣସି ଉଦ୍ଦେଶ୍ୟ ଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ତେବେ ଏହି ଘଟଣାରେ ବିମାନର ସମସ୍ତ ୩୨ ଜଣ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ବିମାନର ଯାଞ୍ଚ ପରେ ହିଁ ଘଟଣା ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।