One House Defies Deadly Floodwaters: ବନ୍ୟାର ତାଣ୍ଡବ ଭିତରେ ଅତୁଟ ଦୁଇମହଲା ଘର, ବଞ୍ଚିଗଲା ପରିବାର
ଚାରିପଟେ ମୃତ୍ୟୁର ତାଣ୍ଡବ। ପାହାଡ଼ି ପାଣିର ମହାପ୍ରଳୟ। ଆଖି ଆଗରେ ଭାସି ଯାଉଥିଲା ଘର ପରେ ଘର। ପଛରେ ରାକ୍ଷସ ଭଳି ଆଁ କରି ଲମ୍ଫ ମାରୁଥିଲା ବନ୍ୟାର ପ୍ରଚଣ୍ଡ ସ୍ରୋତ। ତାଣ୍ଡବ କରୁଥିଲା ପଥର, କାକୁସ୍ଥ କରିପକାଉଥିଲା କାଦୁଅ ମିଶା ପାଣି। ଧ୍ବଂସର ଧାକ୍ ଭିତରେ କିନ୍ତୁ ମହାମେରୁ ଭଳି ଛିଡ଼ା ହୋଇଥିଲା ଏଇ ଘର ଖଣ୍ଡକ। ସତେ ଯେମିତି ପ୍ରକୃତିକୁ ଚ୍ୟାଲେଞ୍ଜ୍ ଦେଉଥିଲା। ବାଲକୋନିରେ ଜୀବନକୁ ଜାବୁଡ଼ି ଧରି ବସିଥିଲେ ପରିବାର। ପାଣି ଡରାଉଥିଲା, ପ୍ରତି ମୁହୂର୍ତ୍ତରେ ଲାଗୁଥିଲା ଏବେ ଆମ ପାଳି ପଡ଼ିବନି ତ? ହେଲେ ଘଣ୍ଟା ଘଣ୍ଟା ଧରି ପ୍ରଚଣ୍ଡ ଆଘାତ ସତ୍ତ୍ବେ ଘରଟି ସେମିତି ଛିଡ଼ା ହୋଇ ରହିଲା। ଜୀବନ ବି ରହିଗଲା ।
ସବୁ ଛାରଖାର…ଚାରିପଟେ ଆଉ କିଛି ବି ନାହିଁ। ଯେଉଁଠି ଦିନେ ଘରଦ୍ୱାର ଥିଲା, ଆଜି ସେଠି କେବଳ ଧ୍ୱଂସାବଶେଷ। ହେଲେ ଧ୍ୱଂସ ମଝିରେ ଆଜି ବି ଛିଡ଼ା ହୋଇଛି ଗୋଟିଏ ଘର। ସବୁଆଡ଼େ ଏବେ ସେଇ ଘରକୁ ନେଇ ଚର୍ଚ୍ଚା । ସମସ୍ତଙ୍କ ମନରେ ପ୍ରଶ୍ନ- ସବୁକିଛି ଭାସିଗଲା, ଏଇ ଗୋଟିଏ ଘର କେମିତି ବଞ୍ଚିଗଲା ? ବିଶେଷଜ୍ଞଙ୍କ କହିବା କଥା, ଘରଟି ରିନଫୋର୍ସ୍ଡ କଂକ୍ରିଟ୍ ବା RCC ଫ୍ରେମ୍ ରେ ନିର୍ମିତ ହୋଇଥିଲା। ଏହାର କଲମ୍, ବିମ୍ ଏବଂ ଫାଉଣ୍ଡେସନକୁ ଷ୍ଟିଲ୍ ଦ୍ୱାରା ମଜବୁତ ଭାବେ ଯୋଡ଼ାଯାଇଥିଲା। ଫଳରେ ପାଣି ଓ କାଦୁଅର ପ୍ରଚଣ୍ଡ ଚାପକୁ ଘର ସହିପାରିଥିଲା। ଅନ୍ୟପଟେ ଘରଟି ବନ୍ୟାର ସୁଅ ପଥରେ ନଥିଲା । ସାମାନ୍ୟ ଉଚ୍ଚାସ୍ଥାନରେ ଥିବାରୁ ବନ୍ୟା ସିଧା ଧକ୍କା ଦେଇନଥିଲା। ଘରର ଆକୃତି ମଧ୍ୟ ପାଣିର ଗତିକୁ ଦୁଇ ପାର୍ଶ୍ୱକୁ ବାଣ୍ଟି ଦେଇଥିଲା। ଜମା ହୋଇଥିବା କାଦୁଅ ଏକ ପ୍ରାକୃତିକ ବନ୍ଧ ଭଳି କାମ କରି ଆସୁଥିବା ପାଣିର ଧାରାକୁ ଘରଠାରୁ ଦୂରକୁ ମୋଡ଼ି ଦେଇଥିଲା।
ଏପଟେ ଏବେ ବି ଜୀବନ ଖୋଜୁଛି ନେପାଳ। ୬ ଦିନ ହୋଇଗଲା ହଜାର ହଜାର ଲୋକଙ୍କ ଖୋଜଖବର ନାହିଁ । କିଏ କେଉଁଆଡ଼େ ଭାସିଯାଇଛି, କେଉଁଠି ପୋତି ହୋଇଛି କାହାରିକୁ ଜଣାନାହିଁ। ରସୁଓ୍ୱାର ସୁଡ଼ଙ୍ଗ ଭିତର ଫସିଥିବା ଜୀବନ ଆଜି ବି ଅପହଞ୍ଚ। ୯୩ ଶ୍ରମିକ ନିଖୋଜ ଥିବାବେଳେ ଥର୍ମାଲ୍ ଡ୍ରୋନ୍ ମଧ୍ୟ ଖୋଜିପାରିଲାନି। ସୁଡ଼ଙ୍ଗର ଶେଷ ପର୍ଯ୍ୟନ୍ତ ଥର୍ମାଲ୍ ଡ୍ରୋନ୍ ପଠାଇ ସର୍ଚ୍ଚ ଅପରେସନ୍ କରାଯାଇଥିଲା କିନ୍ତୁ କାହାର ଚିହ୍ନ ବି ମିଳିଲାନି। ରେସ୍କ୍ୟୁରେ ସାମିଲ ହୋଇଛନ୍ତି ଭାରତର ଟନେଲ୍ ସ୍ପେଶାଲିଷ୍ଟ। ମେଡିକାଲ ଦଳ ସହିତ ୧୧ ଜଣିଆ ବିଶେଷଜ୍ଞ ଟିମକୁ ନେପାଳ ପଠାଇଛି ଇଣ୍ଡିଆ। ସ୍ଥାନୀୟ ଅଧିକାରୀଙ୍କ ମିଳିତ ସହଯୋଗରେ ହାଇଡ୍ରୋପାୱାର ଟନେଲ ଭିତରେ ଉଦ୍ଧାର ଅଭିଯାନ କରାଯାଉଛି । ତେବେ ସୁଡ଼ଙ୍ଗରେ ନିଖୋଜ ଶ୍ରମିକଙ୍କୁ ନେଇ ବଢ଼ିଛି ଚିନ୍ତା। ସେମାନେ ବାସ୍ତବରେ ସେଠାରେ ଫସିଛନ୍ତି ନା କାଦୁଅ ଭିତରେ କୁଆଡ଼େ ପୋତି ହୋଇଯାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଇଏ ଚିତ୍ର ଆହୁରି ବେଦନାଦାୟକ। ପରିଚୟ ପାଉନି ଶହଶହ ଶବ। ଫଟୋ ମାରି ମୃତଦେହ ଚିହ୍ନଟ ପାଇଁ ପ୍ରଶାସନ ଉଦ୍ୟମ କରୁଥିଲେ ବି ଅନେକ ଡେଡବଡି ଅଚିହ୍ନା । ଫଳରେ ଡିଏନଏ ସଂଗ୍ରହ କରି ମୃତଦେହଗୁଡ଼ିକର ଶତ୍କାର କରାଯାଉଛି।
ଏସବୁ ଭିତରେ ସେଦିନର ବିପର୍ଯ୍ୟୟକୁ ନେଇ ଆସିଛି ସାଂଘାତିକ ଖବର। ୧୦୦୦ ମିଟର ଲମ୍ବର ବରଫ ପଥର। ୫୦୦୦ ମିଟର ଉଚ୍ଚତାରୁ ଖସିଲା।୩୦୦୦ ମିଟର ତଳକୁ ଆସିଲା ଆଉ ଘଣ୍ଟାପ୍ରତି ୩୦୦ କିଲୋମିଟର ବେଗରେ ମାଡ଼ିଲା। ହିମସ୍ଖଳନ ଓ ବନ୍ୟାର ବେଗକୁ ନେଇ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଗବେଷକ। ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଏକ କିଲୋମିଟର ଲମ୍ବ ଆକାରର ହିମବାହ ପ୍ରାୟ ୫,୦୦୦ ମିଟର କିମ୍ବା ତା’ଠାରୁ କିଛି ଅଧିକ ଉଚ୍ଚତାରୁ ଭାଙ୍ଗି ପଡ଼ିଥାଇପାରେ। ବହୁ ପରିମାଣର ଆବର୍ଜନା ଓ ଭଙ୍ଗା ପଥର ଗୋଟେଇ ତିବ୍ଦତ ସୀମା ପାର୍ ହେବା ବେଳକୁ ପ୍ରାୟ ୩ କିଲୋମିଟର୍ ତଳକୁ ଆସିଥାଇପାରେ। ସଂକୀର୍ଣ୍ଣ ନଦୀ ଭିତରେ ସବୁ ଶକ୍ତି ଏକାଠି ହୋଇ ଘଣ୍ଟାପ୍ରତି ୩୦୦ କିଲୋମିଟର ବେଗରେ ମାଡ଼ିଆସିଥିଲା। ବିଜୁଳି ବେଗରେ ଆସିଥିବାରୁ ନା ଉଦ୍ଧାର କରିବାକୁ ସମୟ ମିଳିଥିଲା ନା ବଞ୍ଚିବାକୁ ସୁଯୋଗ ଥିଲା ।
ସେପଟେ ବିପଦ ବେଳେ ନେପାଳର ହାତ ଧରି ଛିଡ଼ା ହୋଇଛି ଭାରତ। ପଠାଉଛି ଗୋଟିଏ ଗୋଟିଏ ରିଲିଫ୍ ଭର୍ତ୍ତି ବିମାନ। ପାଣି, ରାସନ ଔଷଧକୁ ଆରମ୍ଭ କରି ଅତ୍ୟବଶ୍ୟକ ସାମଗ୍ରୀ ଯୋଗାଇଦିଆଯାଉଛି। ଏକାଧିକ ସ୍ଥାନରେ ରେସ୍କ୍ୟୁ ଅପରେସନରେ ମଧ୍ୟ ସାମିଲ ହୋଇଛନ୍ତି ଭାରତୀୟ ଯବାନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।