B.Tech Graduate Struggles To Find Job: B.Tech ପରେ ବି ମିଳୁନି ଚାକିରି ! ଯୁବକଙ୍କ ଅଜବ ଅଫର୍, 'ଜବ୍ ଦିଅ, ପ୍ରଥମ ମାସର ପୂରା ଦରମା ନିଅ'

Oct 17, 2026 - 18:24
B.Tech Graduate Struggles To Find Job: B.Tech ପରେ ବି ମିଳୁନି ଚାକିରି ! ଯୁବକଙ୍କ ଅଜବ ଅଫର୍, 'ଜବ୍ ଦିଅ, ପ୍ରଥମ ମାସର ପୂରା ଦରମା ନିଅ'

ହାତରେ ଇଞ୍ଜିନିୟରିଂ ଡିଗ୍ରୀ, ମୁଣ୍ଡରେ ଚାକିରିର ଚିନ୍ତା। ଦିନ ପରେ ଦିନ ବିତୁଛି, ହେଲେ ମିଳୁନି ନିଯୁକ୍ତି। କେଉଁଠି ଅଭିଜ୍ଞତା ମଗାଯାଉଛି ତ ଆଉ କେଉଁଠି ଆବେଦନ କଲେ ବି ମିଳୁନି ଉତ୍ତର। ଶେଷରେ ନିରାଶ ହୋଇ ଚାକିରି ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି ବେଙ୍ଗାଲୁରୁର ଜଣେ ଯୁବକ। ସୋସିଆଲ ମିଡିଆରେ ସିଧାସଳଖ ଅଫର୍ ଦେଇଛନ୍ତି, ଚାକିରି କରାଇଦିଅ, ପ୍ରଥମ ମାସର ଦରମା ନେଇଯାଅ।

ଯୁବକଙ୍କ ଏହି ଅଫର୍ ଏବେ ଇଣ୍ଟରନେଟ୍‌ରେ ଆଲୋଚନାର ବିଷୟ ପାଲଟିଛି। ଏଥିସହ ନୂଆ ପିଢ଼ିର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ପାଇବା କେତେ କଷ୍ଟକର ହୋଇପଡ଼ିଛି, ସେନେଇ ମଧ୍ୟ ନୂଆ ପ୍ରଶ୍ନ ଉଠିଛି।

'ଜବ୍ ଦୋ, ପୈସା ଲୋ' ସ୍କିମ୍‌କୁ ନେଇ ଚର୍ଚ୍ଚା

ଯୁବକ ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମ Redditରେ 'Job do, paisa lo' ଅର୍ଥାତ୍ 'ଚାକିରି ଦିଅ, ଟଙ୍କା ନିଅ' ଶୀର୍ଷକରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ନିଜର ଚାକିରି ସଂଘର୍ଷ ସମ୍ପର୍କରେ ଖୋଲାଖୋଲି ଲେଖିଛନ୍ତି।

ଏଆଇ, ମେସିନ୍ ଲର୍ଣ୍ଣିଂ କିମ୍ବା ସଫ୍ଟୱେର୍ ଇଞ୍ଜିନିୟରିଂ କ୍ଷେତ୍ରରେ କେହି ତାଙ୍କୁ ଚାକିରି ପାଇବାରେ ସାହାଯ୍ୟ କଲେ, ପ୍ରଥମ ମାସର ସମ୍ପୂର୍ଣ୍ଣ ଦରମା ପୁରସ୍କାର ଭାବେ ଦେବେ ବୋଲି ସେ ପ୍ରସ୍ତାବ ରଖିଛନ୍ତି।

ଯୁବକଙ୍କ କହିବା ଅନୁସାରେ, ଏବେ ଏଣ୍ଟ୍ରି ଲେଭଲ୍ ଚାକିରି ଖୋଜିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଲଗାତାର ଆବେଦନ କରି କରି ସେ ମାନସିକ ଭାବେ ଥକି ପଡ଼ିଥିବା କହିଛନ୍ତି।

ଡିଗ୍ରୀ ଅଛି, ଦକ୍ଷତା ଅଛି; ତଥାପି ମିଳୁନି ଚାକିରି

ନିଜ ପୋଷ୍ଟରେ ଯୁବକ ଜଣକ ଦର୍ଶାଇଛନ୍ତି ଯେ, ସେ ନିକଟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ଏବଂ ମେସିନ୍ ଲର୍ଣ୍ଣିଂରେ B.Tech ଶେଷ କରିଛନ୍ତି।

କେବଳ ଡିଗ୍ରୀ ନୁହେଁ, ନିଜର ବୈଷୟିକ ଦକ୍ଷତା ବଢ଼ାଇବା ପାଇଁ ମଧ୍ୟ ସେ ଅନେକ ପ୍ରକଳ୍ପ ଉପରେ କାମ କରିଛନ୍ତି। PyTorch, FastAPI ଓ RAG Pipelines ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ସେ ବିଭିନ୍ନ ପ୍ରୋଜେକ୍ଟ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି।

ଏସବୁ ସତ୍ତ୍ୱେ ତାଙ୍କୁ ଚାକିରି ମିଳୁନାହିଁ। ବିଶେଷକରି କମ୍ପାନୀଗୁଡ଼ିକର ଆପ୍ଲିକାଣ୍ଟ ଟ୍ରାକିଂ ସିଷ୍ଟମ୍ ବା ATS ତାଙ୍କ ପାଇଁ ବଡ଼ ବାଧା ସୃଷ୍ଟି କରୁଥିବା ସେ କହିଛନ୍ତି। ଏହି ସିଷ୍ଟମ୍‌ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଅନେକ ଆବେଦନ ଆଗକୁ ବଢ଼ିପାରୁନଥିବା ନେଇ ସେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।

ନୂଆ ପିଲାଙ୍କୁ ମଗାଯାଉଛି ୨ରୁ ୩ ବର୍ଷର ଅଭିଜ୍ଞତା !

ଯୁବକଙ୍କ ପୋଷ୍ଟରେ ସବୁଠୁ ବଡ଼ ସମସ୍ୟା ଭାବେ ସାମ୍ନାକୁ ଆସିଛି ଅଭିଜ୍ଞତାର ସର୍ତ୍ତ। ଅନେକ କମ୍ପାନୀରେ ଏଣ୍ଟ୍ରି ଲେଭଲ୍ ଚାକିରି ପାଇଁ ମଧ୍ୟ ୨ରୁ ୩ ବର୍ଷର ଅଭିଜ୍ଞତା ମଗାଯାଉଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ପ୍ରଶ୍ନ, ଯଦି ନୂଆ ପ୍ରାର୍ଥୀଙ୍କୁ ପ୍ରଥମ ଚାକିରି ମିଳିବ ନାହିଁ, ତେବେ ସେମାନେ ଅଭିଜ୍ଞତା ଆଣିବେ କେଉଁଠୁ ?

ଏହି ସମସ୍ୟାରେ ଅତିଷ୍ଠ ହୋଇ ସେ ଚାକିରି ପାଇଁ ରେଫରାଲ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। କୌଣସି ଆଇଟି କମ୍ପାନୀ କିମ୍ବା ଷ୍ଟାର୍ଟଅପ୍‌ରେ ଖାଲି ପଦବୀ ଥିଲେ ତାଙ୍କୁ ଜଣାଇବାକୁ ମଧ୍ୟ କହିଛନ୍ତି।

ଚାକିରି କରାଇଦେଲେ ପ୍ରଥମ ମାସର ପୂରା ଦରମା

ଯୁବକଙ୍କ ଅଫର୍ ଅନୁସାରେ, ଯଦି କେହି ତାଙ୍କୁ ଏକ ଭଲ ସଫ୍ଟୱେର୍ ଇଞ୍ଜିନିୟରିଂ କିମ୍ବା AI/ML ଚାକିରି ପାଇବାରେ ସାହାଯ୍ୟ କରନ୍ତି, ତେବେ ସେ ପ୍ରଥମ ମାସର ପୂରା ଦରମା ରେଫରାଲ୍ ରିୱାର୍ଡ ଭାବେ ଦେଇଦେବେ। ଏପରିକି କୌଣସି କମ୍ପାନୀରେ ନିଯୁକ୍ତି ସୁଯୋଗ ଥିଲେ ତାଙ୍କୁ ବ୍ୟକ୍ତିଗତ ଭାବେ ମେସେଜ୍ କରିବାକୁ ସେ ଅନୁରୋଧ କରିଛନ୍ତି। ଚାକିରି ପାଇବା ପାଇଁ ପ୍ରଥମ ମାସର ସମ୍ପୂର୍ଣ୍ଣ ଦରମା ଦେବାକୁ ପ୍ରସ୍ତୁତ ଥିବା ଯୁବକଙ୍କ ଏହି ପୋଷ୍ଟ ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି।

କିଏ କଲେ ସାହାଯ୍ୟ, କିଏ ଉଠାଇଲେ ପ୍ରଶ୍ନ

Redditରେ ଯୁବକଙ୍କ ପୋଷ୍ଟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେତେକ ବ୍ୟବହାରକାରୀ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ବେଳେ ଆଉ କେତେକ ଏଭଳି ଅଫର୍‌କୁ ସମାଲୋଚନା କରିଛନ୍ତି।

ଜଣେ ବ୍ୟବହାରକାରୀ ମତ ଦେଇଛନ୍ତି ଯେ, ଏଭଳି ଟଙ୍କା ଦେଇ ରେଫରାଲ୍ ପାଇବାର ପ୍ରବୃତ୍ତି ନିଯୁକ୍ତି ବଜାରକୁ ପ୍ରଭାବିତ କରିପାରେ। ଏହାଦ୍ୱାରା ଭବିଷ୍ୟତରେ ସାଧାରଣ ପ୍ରାର୍ଥୀଙ୍କ ପାଇଁ ବିନା ଟଙ୍କାରେ ସାହାଯ୍ୟ ପାଇବା ଆହୁରି କଷ୍ଟକର ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ଅନ୍ୟପଟେ କେତେକ ବ୍ୟବହାରକାରୀ ଏହାକୁ ଲାଞ୍ଚ ନୁହେଁ, ବରଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ଏକ ଉପାୟ ବୋଲି ମତ ଦେଇଛନ୍ତି। ସେମାନଙ୍କ ଯୁକ୍ତି ହେଉଛି, ସୋସିଆଲ ମିଡିଆରେ ଚାକିରି ପାଇଁ ସାହାଯ୍ୟ ମାଗୁଥିବା ହଜାର ହଜାର ପୋଷ୍ଟ ମଧ୍ୟରେ ଅଧିକାଂଶ ଅଣଦେଖା ହୋଇଯାଏ। ତେଣୁ ଏଭଳି ଅଫର୍ ଦେଇ ଯୁବକ ନିଜ ସମସ୍ୟା ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି।

ନୂଆ ଇଞ୍ଜିନିୟରଙ୍କ ପାଇଁ ଚାକିରି କେତେ କଷ୍ଟକର ?

ବେଙ୍ଗାଲୁରୁର ଏହି ଯୁବକଙ୍କ ପୋଷ୍ଟ ଦେଶର ନୂଆ ଚାକିରି ଆଶାୟୀଙ୍କ ସମସ୍ୟାକୁ ପୁଣି ଚର୍ଚ୍ଚାକୁ ଆଣିଛି। ଡିଗ୍ରୀ ହାସଲ କରିବା ଓ ବୈଷୟିକ ଦକ୍ଷତା ଥିବା ସତ୍ତ୍ୱେ ପ୍ରଥମ ଚାକିରି ପାଇବାରେ କେତେ ସମସ୍ୟା ହୋଇପାରେ, ତାହା ଏହି ପୋଷ୍ଟରୁ ପ୍ରତିଫଳିତ ହେଉଛି। ତେବେ ଯୁବକଙ୍କୁ ଏପର୍ଯ୍ୟନ୍ତ କୌଣସି ଚାକିରି ମିଳିଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ନାହିଁ। ତାଙ୍କର ଏହି ନିଆରା ଅଫର୍ ପ୍ରକୃତରେ କେତେ ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।