Budhabalanga: ବୁଢ଼ାବଳଙ୍ଗରେ ବିଲୀନ ହେବ ଖୁଣ୍ଟାପାଳ ଗାଁ!

Sep 07, 2026 - 06:05
Budhabalanga: ବୁଢ଼ାବଳଙ୍ଗରେ ବିଲୀନ ହେବ ଖୁଣ୍ଟାପାଳ ଗାଁ!

" ବଡ଼ସାହି (ଅମିୟ କୁମାର ବଳା): ସରକାରୀ ରେକର୍ଡରେ ଖୁଣ୍ଟାପାଳ ବନ୍ୟା ପ୍ରଭାବିତ ଗାଁ।

ପ୍ରତିବର୍ଷ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସି ଗାଁର ଚାଷବାସ ଉଜାଡ଼ି ଦେଇଥାଏ।

ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀ ଦାବି କରନ୍ତି।

ଖୁବ୍‌ଶୀଘ୍ର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି ନେତା, ପ୍ରଶାସକ ପ୍ରତିଶ୍ରୁତି ଦିଅନ୍ତି।

ଗ୍ରାମବାସୀ ଅଣ୍ଟାସଳଖି ଠିଆ ହେବାବେଳକୁ ଆ‌ସନ୍ତାବର୍ଷ ପୁଣି ବନ୍ୟା ଆସେ।Advertisment ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ମଧ୍ୟ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ କୂଳରେ ରହିଛି ଖୁଣ୍ଟାପାଳ ଗ୍ରାମ।

ଏହା ଏକ ତଳିଆ ଅଞ୍ଚଳ ହୋଇଥିବାରୁ ବର୍ଷାଦିନେ ଗ୍ରାମବାସୀଙ୍କୁ ବନ୍ୟା ଭୟ ଘାରିଥାଏ।

ବନ୍ୟା ପ୍ରଭାବିତ ଗ୍ରାମ ବୋଲି ସରକାରୀ ଖତିୟାନରେ ଉଲ୍ଲେଖ ରହିଛି।

ଏହି ଗ୍ରାମରେ ୨ଟି ୱାର୍ଡରେ ପ୍ରାୟ ୩୦୦ ପରିବାର ବାସ କରନ୍ତି।

ପ୍ରାୟ ୯୦ ପ୍ରତିଶତ ହେଉଛନ୍ତି କୁଡ଼ୁମୀ ସମ୍ପ୍ରଦାୟର।

ବନ୍ୟା ବ୍ୟତୀତ ଗ୍ରାମର ଉତ୍ତର-ପୂର୍ବ ଦିଗରେ ପ୍ରବାହିତ ହେଉଥିବା ନଦୀର ପାର୍ଶ୍ୱ କ୍ରମଶଃ କ୍ଷୟ ହୋଇଚାଲିଛି।

ନଦୀର ଓସାର ବୃଦ୍ଧି ପାଉଥିବାବେଳେ ଖୁଣ୍ଟାପାଳ ନଦୀ ଆଁରେ ବିଲୀନ ହେବାର ସ୍ଥିତି ଉପୁଜିଲାଣି।

ବହୁପୂର୍ବରୁ ନଦୀର କେତେକ ଅଂଶରେ ପଥରପ୍ୟାଚିଂ ହୋଇଥିବାବେଳେ ଅନ୍ୟପାର୍ଶ୍ୱ ମୁକୁଳା ଥିବାରୁ ନଦୀ ଗାଁ ଭିତରକୁ ପ୍ରବେଶ କଲାଣି।

ବନ୍ୟାପାଣି ଗାଁରେ ପଶିବାରେ ବାଲିମାଫିଆ ମୁଖ୍ୟତଃ ଦାୟୀ।

ବାଲିଖନନ ଯୋଗୁ ବନ୍ୟାପାଣି ସହଜରେ ଗାଁକୁ ମାଡ଼ିଆସେ ବୋଲି ଗ୍ରାମର କ୍ରିଷ୍ଣା ମହାନ୍ତ, କାର୍ତ୍ତିକ ଦାସ, ଶାନ୍ତିଲତା ମହାନ୍ତ, ଅଞ୍ଜଳି ମହାନ୍ତ ପ୍ରମୁଖ ଅଭିଯୋଗ କରନ୍ତି।

ବୁଢ଼ାବଳଙ୍ଗ ନଦୀରୁ ଏକ ଶାଖା ଗାଁର ପ୍ରବେଶପଥ ଦେଇ ବୋହିଯାଇଛି।

ଏହା ଉପରେ ଏକ ଛୋଟ ପୋଲ ନିର୍ମାଣ ହୋଇଥିଲେ ହେଁ ଏହା ଏବେ ବିପଦପୂର୍ଣ୍ଣ ଅବସ୍ଥାରେ।

ନଦୀରେ ସାମାନ୍ୟ ପାଣି ଆସିଲେ ପୋଲ ଉପରେ ପାଣି ଚାଲୁଥିବାରୁ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡୁଛି।

ଏଣୁ ଅଧିକାଂଶ ଲୋକ ପାଣିମାଡ଼ିବା କ୍ଷଣି ନିଜନିଜ ଗୋରୁଗାଈ ସାଙ୍ଗରେ ନେଇ ବଡ଼ସାହିରେ ଆଶ୍ରୟ ନେଉଥିବା ଦେଖାଯାଏ।

ପୂର୍ବରୁ ଗାଁ ବାହାରେ ଏକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିଲେ ହେଁ ଏବେ ତାହା ମାଟିରେ ମିଶି ଯାଇଛି।

ଅନ୍ୟପକ୍ଷରେ ଗାଁକୁ ଯିବାପାଇଁ ଭଲ ରାସ୍ତାଟିଏ ନାହିଁ।

ଗାଁକୁ ସଂଯୋଗ କରୁଥିବା ରାସ୍ତା ବେଲପାଳ-ପତାକାସାହିଠାରୁ ଖୁଣ୍ଟାପାଳ ପର୍ଯ୍ୟନ୍ତ ନଷ୍ଟ ହେବାକୁ ବସିଛି।

Mineral fund loot-8: ଖଣିଜ ପାଣ୍ଠି ଲୁଟ-୮: ଯାଜପୁର ଟଙ୍କା ଖର୍ଚ୍ଚ ହୋଇଛି ଢେଙ୍କାନାଳରେ ଗ୍ରାମର ପ୍ରାୟ ସମସ୍ତେ ପରିବା ଓ ଧାନଚାଷ ଉପରେ ନିର୍ଭର କରିଥାନ୍ତି।

ବନ୍ୟାପାଣି ପାଇଁ ଚାଷ ଉଜୁଡ଼ି ଯାଇଥାଏ।

ଗାଁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମସ୍ତଙ୍କୁ ଗୁହାରି କରାଯାଇଥିଲେ ବି କେହି ଗରୁତ୍ବ ଦେଉନାହାନ୍ତି ବୋଲି ଗ୍ରାମର ହିଶୀ ମାଝୀ, କୃଷ୍ଣମୋହନ ମହାନ୍ତ, ପ୍ରମିଳା ମହାନ୍ତ, ଗୁରୁଭା ମହାନ୍ତ, ଚନ୍ଦ୍ରମୋହନ ମୁର୍ମୁ, ଉର୍ବଶୀ ମହାନ୍ତ ପ୍ରମୁଖ ଅଭିଯୋଗ ବାଢ଼ିଛନ୍ତି।

ଗାଁ ମଧ୍ୟରେ ଏକ ସୁଉଚ୍ଚ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ, ନଦୀପାର୍ଶ୍ୱରେ ଉଚ୍ଚପଥର ଆଡ଼ିବନ୍ଧ ନିର୍ମାଣ, କଂକ୍ରିଟ୍‌ ରାସ୍ତା ନିର୍ମାଣ ସହିତ ଗାଁ ପ୍ରବେଶପଥରେ ଏକ ଉଚ୍ଚ ପୋଲ ନିର୍ମାଣ କରିବାକୁ ପୀତାମ୍ବର ସୋରେନ, ବନସ୍ମିତା ଦାସ, ରାଇନା ମହାନ୍ତଙ୍କ ସହ ଗ୍ରାମବାସୀ ଦାବି ରଖିଛନ୍ତି।

ବୁଢ଼ାବଳଙ୍ଗ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ପରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଖୁଣ୍ଟାପାଳ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ଗ୍ରାମବାସୀଙ୍କ ଦାବି ଅନୁସାରେ କିପରି ଆଡ଼ିବନ୍ଧ ନିର୍ମାଣ ଖୁବ୍‌ଶୀଘ୍ର ଆରମ୍ଭ କରାଯାଇପାରିବ ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ବୋଲି ଜଣାଯାଇଛି।

Competition: ଜିଲ୍ଲାରେ ୨୯୯୬ ପ୍ରତିଯୋଗୀ: ନବରଙ୍ଗପୁରରେ ସର୍ବାଧିକ ୭୪୪ ପ୍ରତିଯୋଗୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।