Car Crashes Into Trailer: ରାଜରାସ୍ତାରେ ମୃତ୍ୟୁର ତାଣ୍ଡବ, ବାପା ଓ ଦୁଇ ପୁଅଙ୍କ ସମେତ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ
ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଯାଇଛି।
ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।
ଏହି ଦୁର୍ଘଟଣାରେ ଜଣେ ୧୬ ବର୍ଷୀୟ ନାବାଳକ ଗୁରୁତର ଆହତ ହୋଇଛନ୍ତି।
ରବିବାର ରାତି ପ୍ରାୟ ୧୧ଟା ସମୟରେ ହାଟା କୋତୱାଲି ଥାନା ଅଞ୍ଚଳର ହାଟା-ପିପରାଇଚ୍ ରାସ୍ତାରେ ଏକ ଇକୋ ଭ୍ୟାନ୍ ଓ ଟ୍ରେଲର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
Advertisment ସୂଚନା ଅନୁସାରେ, କୁଶୀନଗର ଜିଲ୍ଲାର କପ୍ତାନଗଞ୍ଜ ଥାନା ଅନ୍ତର୍ଗତ ଭାଲୁହି ଗାଁର ଏକ ପରିବାର ଓ କିଛି ସମ୍ପର୍କୀୟମାନେ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭ୍ୟାନ୍ ଯୋଗେ ଘରକୁ ଫେରୁଥିଲେ।
ସେମାନେ ଏକ ସମ୍ପର୍କୀୟଙ୍କ ଘରେ ଆୟୋଜିତ ତିଳକ ସମାରୋହରେ ଯୋଗ ଦେଇଥିଲେ।
ଫେରିବା ସମୟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ସହ ଭ୍ୟାନ୍ର ଜୋରଦାର ଧକ୍କା ହୋଇଥିଲା।
ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ ଭ୍ୟାନ୍ଟି ପୂରା ନଷ୍ଟ ହୋଇଯାଇଥିଲା।
ଦୁର୍ଘଟଣା ପରେ ଗାଡ଼ି ଭିତରେ ଯାତ୍ରୀମାନେ ଫସି ରହିଥିଲେ।
ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ଖବର ଦେଇଥିଲେ।
ପରେ ପୋଲିସ ଓ କିଛି ସ୍ଥାନୀୟ ଲୋକେ ମିଶି ଦୀର୍ଘ ସମୟର ଉଦ୍ୟମ ପରେ ଗାଡ଼ି ଭିତରେ ଫସିଥିବା ଯାତ୍ରୀମାନଙ୍କୁ ବାହାର କରିଥିଲେ।
ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା।
ସ୍ଥିତି ଗୁରୁତର ଥିବାରୁ କେତେକ ଆହତଙ୍କୁ ଗୋରଖପୁର ସ୍ଥିତ ଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।
Advertisment ପୋଲିସର ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ରାମବିଳାସ (୬୫), ବଡ଼ ପୁଅ କହ୍ନେୟା ପ୍ରସାଦ (୪୦), ସାନ ପୁଅ ରାମ ମିଲନ (୩୫), ନାତି ଆୟୁଷ (୧୨), ମୃଦୁଲ ମିଶ୍ର (୩୫), ରଞ୍ଜୟ ଗୁପ୍ତା (୩୨) ଓ ମିଥିଲେଶ ଗୁପ୍ତା (୨୨)ଙ୍କ ମୃତ୍ୟୁ ହୋଇଛି।
ସମସ୍ତ ମୃତକ କୁଶୀନଗର ଜିଲ୍ଲାର ବାସିନ୍ଦା।
ଅନ୍ୟପଟେ, ଆର୍ଯ୍ୟନ (୧୬) ନାମକ ନାବାଳକ ଗୁରୁତର ଆହତ ହୋଇ କୁଶୀନଗର ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି।
ହାଟା ଥାନା ଅଧିକାରୀ ଧର୍ମେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ପରେ ଟ୍ରକ୍ର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି।
ଅନ୍ୟପଟେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଭାଲୁହି ଗାଁରେ ଶୋକର ଛାୟା ଖେଳିଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।