Centre Plans Stricter OTT Rules: OTT ପାଇଁ ଆଇନ ବଦଳାଇବେ ସରକାର! ପ୍ରତି ମାସରେ ହଜାରେ ଆସୁଛି ଅଭିଯୋଗ
OTT ପ୍ଲାଟଫର୍ମରେ ଆଉ ଚାଲିବନି ମନଇଚ୍ଛା କଣ୍ଟେଣ୍ଟ।
ଅଶ୍ଳୀଳତା ଓ ଅଶାଳୀନ ଦୃଶ୍ୟକୁ ନେଇ ଆସିପାରେ କଡ଼ା ନିୟମ।
ଡିଜିଟାଲ୍ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣ ପାଇଁ ନୂଆ ଆଇନଗତ ବ୍ୟବସ୍ଥା ଆଣିବାକୁ ବିଚାର କରୁଛନ୍ତି କେନ୍ଦ୍ର ସରକାର।
ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ଚାଲିଛି।
Advertisment OTT କଣ୍ଟେଣ୍ଟକୁ ନେଇ ଗତ ୬ ମାସ ଧରି ପ୍ରତି ମାସରେ ୧ ହଜାରରୁ ଅଧିକ ଅଭିଯୋଗ ଓ ଆପତ୍ତି ମିଳୁଥିବା ଜଣେ ଅଧିକାରୀ କହିଛନ୍ତି।
ଅଶ୍ଳୀଳତା, ଅଶାଳୀନତା ଓ ଆପତ୍ତିଜନକ ଦୃଶ୍ୟକୁ ନେଇ ଏହି ଅଭିଯୋଗ ଆସୁଛି।
ଏହାକୁ ଦୃଷ୍ଟିରେ ରଖି ଏବେକାର ଆଇନରେ ସଂଶୋଧନ ହେବ ନା ଏଥିପାଇଁ ସ୍ୱତନ୍ତ୍ର ଆଇନ ଆସିବ, ସେନେଇ ବିଚାରବିମର୍ଶ ଚାଲିଛି।
ସିନେମା ହଲ୍ରେ ରିଲିଜ୍ ହେଉଥିବା ଫିଲ୍ମକୁ ସେନ୍ସର ବୋର୍ଡର ପ୍ରମାଣପତ୍ର ନେବାକୁ ପଡ଼େ।
ହେଲେ OTTରେ ପ୍ରସାରିତ କଣ୍ଟେଣ୍ଟ ପାଇଁ ସମାନ ପ୍ରକାରର ପୂର୍ବ ପ୍ରମାଣପତ୍ର ବ୍ୟବସ୍ଥା ନାହିଁ।
ବର୍ତ୍ତମାନ ଏହି ପ୍ଲାଟଫର୍ମଗୁଡ଼ିକ ସୂଚନା ପ୍ରଯୁକ୍ତି ଆଇନ ଓ ୨୦୨୧ର ନିୟମ ଅନୁସାରେ ପରିଚାଳିତ ହେଉଛନ୍ତି।
ତେଣୁ ଏହି ନିୟମକୁ ଅଧିକ ସୁଦୃଢ଼ କରିବାକୁ ସରକାର ଚିନ୍ତା କରୁଛନ୍ତି।
Advertisment ତେବେ ନୂଆ ବ୍ୟବସ୍ଥାରେ ପ୍ରଥମେ OTT ପ୍ଲାଟଫର୍ମ ନିଜେ ଅଭିଯୋଗର ସମାଧାନ କରିବ।
ସେଠାରେ ସମାଧାନ ନହେଲେ ଅଭିଯୋଗକୁ ପରବର୍ତ୍ତୀ ସ୍ତରକୁ ନିଆଯିବ।
ଶେଷ ପର୍ଯ୍ୟାୟରେ ଆବଶ୍ୟକ ପଡ଼ିଲେ ସରକାର ହସ୍ତକ୍ଷେପ କରିବେ।
ବର୍ତ୍ତମାନର ନିୟମ ଅନୁସାରେ, OTT ପ୍ଲାଟଫର୍ମଗୁଡ଼ିକୁ U, U/A ୭+, U/A ୧୩+, U/A ୧୬+ ଏବଂ A ଭଳି ୫ଟି ବୟସଭିତ୍ତିକ ବର୍ଗରେ କଣ୍ଟେଣ୍ଟ ବିଭକ୍ତ କରିବାକୁ ପଡ଼େ।
ଏହା ସହ ଆବଶ୍ୟକ ବୟସ ସୂଚନା, ପେରେଣ୍ଟାଲ୍ ଲକ୍ ଓ ବୟସ ଯାଞ୍ଚ ବ୍ୟବସ୍ଥା ମଧ୍ୟ ରହିଛି।
ଏପଟେ ୨୦୨୩ରେ ପ୍ରସ୍ତାବିତ ବ୍ରଡକାଷ୍ଟିଂ ସର୍ଭିସେସ୍ ରେଗୁଲେସନ୍ ବିଲ୍ରେ ମଧ୍ୟ OTT ସମେତ ପ୍ରସାରଣ ସେବାର ନିୟନ୍ତ୍ରଣ ନେଇ ପ୍ରସ୍ତାବ ରହିଥିଲା।
ହେଲେ ଏହା ଏକ ସମ୍ପୂର୍ଣ୍ଣ ନୂଆ ଆଇନ ବ୍ୟବସ୍ଥା ଭାବେ ଲାଗୁ ହୋଇନାହିଁ।
୨୦୨୬ ମାର୍ଚ୍ଚରେ ସଂସଦୀୟ କମିଟି ମଧ୍ୟ ଅନଲାଇନ୍ ମିଡିଆ ଓ OTT କ୍ଷେତ୍ରରେ ନିୟନ୍ତ୍ରଣଗତ ଅଭାବ ନେଇ ଚିନ୍ତା ପ୍ରକାଶ କରିଥିଲା।
ଏବେ ପ୍ରଶ୍ନ ହେଉଛି, OTT କଣ୍ଟେଣ୍ଟ ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆଣିବେ କି ନୂଆ ଆଇନ?
ଏହା ଉପରେ ସମସ୍ତଙ୍କ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।