Chandrabhaga: ବହୁବଚନ: ଚନ୍ଦ୍ରଭାଗାରୁ ଚନ୍ଦ୍ରଭାଗା
ବିଜୟ ନାୟକ
ନଦୀର ନାମ ହେଉ ବା ନାୟିକାର, ‘ଚନ୍ଦ୍ରଭାଗା’ ଓଡ଼ିଶାରେ ଖୁବ୍ ଗୋଟେ ଆଦରଣୀୟ ନାମ। କିଂବଦନ୍ତି କହେ, କୋଣାର୍କର ସୂର୍ଯ୍ୟ ମନ୍ଦିରଠାରୁ ଅନତି ଦୂରରେ ଏକ ନଦୀ ପ୍ରବାହିତ ହେଉଥିଲା। ତାହା ଚନ୍ଦ୍ରଭାଗା ନାମରେ ସର୍ବବିଦିତ। ସେହି ନଦୀ ଆଜି ଲୁପ୍ତ। ଭୂବିଜ୍ଞାନୀମାନେ ଅବଶ୍ୟ କୋଣାର୍କ ନିକଟରେ ଏକ ନଦୀପଥ ଠାବ କରିଛନ୍ତି। ସତ୍ୟତା ନ ଥିଲେ ଶ୍ରୁତି କାହିଁ? ଚନ୍ଦ୍ରଭାଗା ସହିତ ଅନ୍ୟ ଏକ କିଂବଦନ୍ତି ମଧ୍ୟ ଜଡ଼ିତ। ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପଗ୍ରସ୍ତ ହୋଇ କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ। ସେ ଚନ୍ଦ୍ରଭାଗା ନଦୀ ମୁହାଣରେ ବାର ବର୍ଷ ତପସ୍ୟା କଲାପରେ ଚନ୍ଦ୍ରଭାଗାର ପୁଣ୍ୟଜଳରେ ସ୍ନାନ କରି ବ୍ୟାଧିମୁକ୍ତ ହୋଇଥିଲେ। ସୁତରାଂ ଚନ୍ଦ୍ରଭାଗା ନଦୀର ଐତିହାସିକ ଓ ପୌରାଣିକ ଗୁରୁତ୍ୱ ଅନସ୍ବୀକାର୍ଯ୍ୟ।
କବିବର ରାଧାନାଥ ରାୟଙ୍କ ‘ଚନ୍ଦ୍ରଭାଗା’ କାବ୍ୟର କଥାବସ୍ତୁ ଅନୁସାରେ ଋଷି ସୁମନ୍ୟୁଙ୍କର ରୂପବତୀ କନ୍ୟାଙ୍କ ନାମ ଚନ୍ଦ୍ରଭାଗା। ଚନ୍ଦ୍ରଭାଗାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ସୂର୍ଯ୍ୟଦେବ ତାଙ୍କୁ ପ୍ରେମଭିକ୍ଷା କରି ପ୍ରତ୍ୟାଖ୍ୟାତ ହୋଇଥିଲେ। ତଥାପି ପଳାୟନ କରୁଥିବା ଚନ୍ଦ୍ରଭାଗାଙ୍କୁ ଅନୁସରଣ କରିଥିଲେ ପ୍ରେମାନ୍ଧ ସୂର୍ଯ୍ୟଦେବ। ଅନନ୍ୟୋପାୟ ହୋଇ ଚନ୍ଦ୍ରଭାଗା ସମୁଦ୍ରକୁ ଲମ୍ଫ ପ୍ରଦାନ କରି ଉତ୍ତାଳ ତରଙ୍ଗରେ ମିଶିଯାଇଥିଲେ। କବିବରଙ୍କ ଭାଷାରେ, ‘‘ମିଶିଯାଏ ଯଥା ପ୍ରଭାତୀ ତାରା ରବି କିରଣେ, ମିଶିଯାଏ ଯଥା ଜୀବାତ୍ମା ବିଶ୍ବ-ଆତ୍ମା ଚରଣେ। ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ, ମିଶିଗଲା ତଥା ଅବଳା ସେହି ନୀଳତରଙ୍ଗେ!’’ କଳ୍ପନା ଓ କିଂବଦନ୍ତିର ସମନ୍ୱୟରେ ସୃଷ୍ଟ ଋଷିବାଳା ଚନ୍ଦ୍ରଭାଗାଙ୍କ କାହାଣୀ ଆଜି ମଧ୍ୟ ଓଡ଼ିଶାରେ କାରୁଣ୍ୟର କଲ୍ଲୋଳ ତୋଳେ।
କେବଳ ଓଡ଼ିଶାର କାହିଁକି, ଭାରତର ପ୍ରାୟ ପ୍ରତି ପ୍ରାନ୍ତର ନଦୀଗୁଡ଼ିକର ନାମ ବେଶ୍ କାବ୍ୟିକ। ଲାଳିତ୍ୟରେ ଉଚ୍ଛଳ ଚନ୍ଦ୍ରଭାଗା ଭାରତର ଏକାଧିକ ନଦୀର ନାମ। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ପ୍ରବାହିତା ପୂର୍ଣ୍ଣା ନଦୀର ଏକ ଉପନଦୀ ଯାହା ଚିଖଲଦାର ପର୍ବତମାଳାରୁ ଉଦ୍ଗତ, ଚନ୍ଦ୍ରଭାଗା ନାମ ବହନ କରେ। ଭୀମା ନଦୀ ମହାରାଷ୍ଟ୍ରର ଏକ ତୀର୍ଥସ୍ଥଳୀ ପଣ୍ଢରପୁର ନିକଟରେ ଅର୍ଦ୍ଧଚନ୍ଦ୍ର ପରି ଦିଶୁଥିବାରୁ ଚନ୍ଦ୍ରଭାଗା ଭାବରେ ଜଣାଶୁଣା। ଏହା କୃଷ୍ଣା ନଦୀରେ ଯାଇ ମିଳିତ ହୋଇଛି। ରାଜସ୍ଥାନର ଆମେଟ ପାର୍ବତ୍ୟାଞ୍ଚଳରୁ ବାହାରିଥିବା ନଦୀର ନାମ ମଧ୍ୟ ଚନ୍ଦ୍ରଭାଗା। ଏହି ନଦୀ ବାନସ ନଦୀର ଉପନଦୀ। ତେବେ ହିମାଚଳପ୍ରଦେଶର ଚନ୍ଦ୍ରଭାଗା ନଦୀ ସମ୍ପର୍କିତ ତଥ୍ୟ ଅତ୍ୟନ୍ତ ରୋଚକ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଦ୍ୟ ହିମାଚଳପ୍ରଦେଶ ଯାତ୍ରାରେ ମୁଁ ସାମିଲ ଥିଲି। ସେହି ଅବସରରେ ଅଟଳ ସୁଡ଼ଙ୍ଗ ନିକଟକୁ ଯିବାର ସୁଯୋଗ ମୋତେ ମିଳିଥିଲା। ଏହି ସୁଡ଼ଙ୍ଗର ଦୈର୍ଘ୍ୟ ୯ କିଲୋମିଟରରୁ ଅଧିକ। ଗମନାଗମନ ଓ ପର୍ଯ୍ୟଟନ ପାଇଁ କେବଳ ନୁହେଁ, ପ୍ରତିରକ୍ଷା ଦୃଷ୍ଟିରୁ ମଧ୍ୟ ଏହି ସୁଡ଼ଙ୍ଗ ଗୁରୁତ୍ୱପୂର୍ଣ୍ଣ।
ଅଟଳ ସୁଡ଼ଙ୍ଗର ଦକ୍ଷିଣ ପୋର୍ଟାଲରୁ ଯାଇ ଉତ୍ତର ପୋର୍ଟାଲ ନିକଟରେ ଆମେମାନେ ପହଞ୍ଚିଲୁ। ଦକ୍ଷିଣ ପୋର୍ଟାଲର ଆରମ୍ଭ ସ୍ଥାନ ଧୁଣ୍ଡି ଏବଂ ଉତ୍ତର ପୋର୍ଟାଲର ଅବସ୍ଥିତି ସିସୁ ନାମକ ସ୍ଥାନରେ। ତୁଷାରପାତ ହେତୁ ଶ୍ବେତ ଜଟାଜୁଟ ସମ୍ପନ୍ନ ଧ୍ୟାନମଗ୍ନ ଋଷି ପରି ପ୍ରତୀୟମାନ ହେଉଥିଲେ ଗିରିଶୃଙ୍ଗ ସମୂହ। ଶୁଭ୍ର ତୁଷାର ଓ ରୁପା ଖରା ସତ୍ତ୍ବେ ପାର୍ବତ୍ୟ ପରିବେଶ ବେଶ୍ ରହସ୍ୟମୟ ମନେ ହେଉଥିଲା। ଶୀତଳ ସମୀରଣର ଆଲିଙ୍ଗନରେ ଥିଲା ଉଷ୍ମ ଆତ୍ମୀୟତା। ଉତ୍ତର ପୋର୍ଟାଲ ସାମନାରେ ପ୍ରବହମାନ ଏକ କ୍ଷୀଣ ଅଥଚ କ୍ଷିପ୍ର ଜଳସ୍ରୋତ ପାଖରେ ଠିଆହୋଇ ମୁଁ ଅନ୍ୟମନସ୍କ ହୋଇପଡ଼ିଥିଲି। ଜଣେ ସ୍ଥାନୀୟ ଅଧିକାରୀ ମୋ ମୁଖମଣ୍ଡଳରେ ଅଙ୍କିତ ପ୍ରଶ୍ନବାଚୀକୁ ପଢ଼ିନେଲେ ଯେମିତି। କହିଲେ, ଏହା ଚନ୍ଦ୍ରା ନଦୀ। ଚନ୍ଦ୍ରତାଲ ଏହାର ଉଦ୍ଗମ ସ୍ଥଳ। ଭାଗା ନାମରେ ଅନ୍ୟ ଏକ ନଦୀ ସୂର୍ଯ୍ୟତାଲରୁ ବାହାରିଛି। ଏହି ଦୁଇ ନଦୀ ତାଣ୍ଡି ନିକଟରେ ମିଳିତ ହୋଇ ‘ଚନ୍ଦ୍ରଭାଗା’ ନଦୀରେ ରୂପାନ୍ତରିତ ହୋଇଛନ୍ତି। ସେ ଆହୁରି କହିଲେ, ଚନ୍ଦ୍ରଭାଗା ଜାମ୍ମୁ ଓ କାଶ୍ମୀରରେ ପ୍ରବେଶ କଲା ପରେ ଚେନାବ ଭାବରେ ପରିଚୟ ଲାଭ କରିଛି। ଦୁଇ ନଦୀର ସଙ୍ଗମ ସ୍ଥଳୀ ଭାରତୀୟ ପରମ୍ପରାରେ ପବିତ୍ର ସ୍ଥଳୀ ଭାବରେ ବିବେଚିତ ହୁଏ। ତାଣ୍ଡି ହିମାଚଳପ୍ରଦେଶର ଏକ ପ୍ରମୁଖ ତୀର୍ଥକ୍ଷେତ୍ର।
ଭାରତର ଭାଷା ଅନେକ କିନ୍ତୁ ଭାଷ୍ୟ ଏକ, କଥା ଅନେକ କିନ୍ତୁ କାହାଣୀ ଏକ, ସ୍ବର ଅନେକ ପୁଣି ସଙ୍ଗୀତ ଏକ। ଅମିତ ବିବିଧତା ସତ୍ତ୍ବେ ଅତୁଟ ବନ୍ଧନରେ କାଳେକାଳେ ସଂଯୋଜିତ ହୋଇ ରହିଛି ଭାରତ ଭୂମି। ଚନ୍ଦ୍ରଭାଗାମାନେ ଜଳତରଙ୍ଗରେ ପୁଣି ଭାବଉଚ୍ଛ୍ବାସରେ ଭାରତର ଆତ୍ମାକୁ ପ୍ଳାବିତ କରୁଛନ୍ତି। ଭାରତର ଧୂଳିଧୂମାଳ, ଅଦ୍ରିଅଟବୀ, ଜଳଜଳଧି ତଥା ତଡ଼ାଗତଟିନୀ- ସର୍ବତ୍ର ଐକ୍ୟତାନ ସଦା ଗୁଞ୍ଜରିତ। ସେହି ଗୁଞ୍ଜରଣ ମଧ୍ୟରେ ନିହିତ ଏ ମହାଜାତିର ପ୍ରାଣ-ପ୍ରଣବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।