Chhattisgarh: ବିଜାପୁରରେ ଆତ୍ମସମର୍ପଣ କଲେ ୬ଜଣ ମାଓବାଦୀ; ମୁଣ୍ଡ ଉପରେ ଘୋଷଣା ହୋଇଥିଲା ମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର
"ମାଲକାନଗିରି: ଛତିଶଗଡ଼ରେ ମାଓବାଦୀ ସଂଗଠନକୁ ଦୁର୍ବଳ କରିବା ପାଇଁ ସୁରକ୍ଷାବାହିନୀର ଅଭିଯାନ ଜାରି ରହିଥିବାବେଳେ ବିଜାପୁର ଜିଲ୍ଲାରେ ୬ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଓଡ଼ିଶାରେ ସକ୍ରିୟ ଥିବା ୪ ଜଣ ମାଓବାଦୀ କ୍ୟାଡର ରହିଥିବାବେଳେ ପଶ୍ଚିମ ବସ୍ତର ଡିଭିଜନର ସଂଗଠନରୁ ଅଲଗା ହୋଇଥିବା ଅନ୍ୟ ୨ ଜଣ ମଧ୍ୟ ସାମିଲ ଅଛନ୍ତି।
ଏହି ୬ ଜଣଙ୍କ ମୁଣ୍ଡ ଉପରେ ମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।Advertisment ପୁଲିସ ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୪ ଜଣ ପିପିସିଏମ୍ ଏବଂ ୨ ଜଣ ପିଏମ୍ ପାହ୍ୟାର କ୍ୟାଡର ରହିଛନ୍ତି।
ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି, ସୁରକ୍ଷାବାହିନୀର ନିରନ୍ତର ମାଓବାଦୀ ବିରୋଧୀ ଅଭିଯାନ ଏବଂ ସରକାରଙ୍କ ପୁନର୍ବାସ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ସେମାନେ ହିଂସାର ପଥ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ରାଣୀ ସୋଢ଼ୀ ଓରଫ ସନ୍ଧ୍ୟା, ପାଣ୍ଡୋ ପୋଡ଼ିୟମ ଓରଫ ସସ୍ମିତା, ସୁକ୍କୁ କୁଡ଼ିୟମ ଓରଫ ସନ୍ତୋଷ ଏବଂ କୋସା ମାଡ଼ଭି ଓରଫ ସତୀଶଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା।
ସେହିପରି ଦେବେ ମଡ଼କମ ଓରଫ ଜନ୍ନିଙ୍କ ଉପରେ ୨ ଲକ୍ଷ ଟଙ୍କା ଏବଂ ଲାଲୁ ତାତିଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।
ଗତ ମାର୍ଚ୍ଚ ୩୧ ତାରିଖରେ ନକ୍ସଲମୁକ୍ତ ଅଭିଯାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ସତ୍ତ୍ୱେ ଜଙ୍ଗଲ ଅଞ୍ଚଳରେ କିଛି ମାଓବାଦୀ ସକ୍ରିୟ ରହିଥିବା ଜଣାପଡ଼ୁଥିଲା।
ବରିଷ୍ଠ ନେତୃତ୍ୱ ସ୍ତରର ଅନେକ କ୍ୟାଡର ଆତ୍ମସମର୍ପଣ କରିସାରିଥିବା ପରେ ମଧ୍ୟ ତଳସ୍ତରର କିଛି ସକ୍ରିୟ ସଦସ୍ୟ ସଂଗଠନ ସହ ଜଡ଼ିତ ଥିଲେ।
ଏଭଳି ସ୍ଥିତିରେ ବିଜାପୁରରେ ୬ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ସଂଗଠନ ପାଇଁ ଆଉ ଏକ ଝଟକା ବୋଲି ମନେ କରାଯାଉଛି।
ଓଡ଼ିଶାରେ ସକ୍ରିୟ ୪ କ୍ୟାଡରଙ୍କ ସମେତ ୩୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ପୁଲିସ ଅନୁଯାୟୀ, ମାଓବାଦୀ ସଂଗଠନର ହିଂସାତ୍ମକ ବିଚାରଧାରା ପ୍ରତି ମୋହଭଙ୍ଗ, ସୁରକ୍ଷାବାହିନୀର ବଢ଼ୁଥିବା ଚାପ, ପୂର୍ବତନ ମାଓବାଦୀଙ୍କ ପୁନର୍ବାସ ଏବଂ ଅଞ୍ଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଏହି ଆତ୍ମସମର୍ପଣର ପ୍ରମୁଖ କାରଣ।ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜାପୁର ପୁଲିସ ଅଧୀକ୍ଷକ ଉମେଶ ପ୍ରସାଦ ଗୁପ୍ତାଙ୍କ ସମେତ ଡିଆଇଜି ଓ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।
ଡିଆରଜି ବିଜାପୁର, ସିଆରପିଏଫ୍ର ୧୭୦ତମ ବାଟାଲିୟନ ଏବଂ ବିଜାପୁର ପୁଲିସର ସମନ୍ୱିତ ଉଦ୍ୟମ ଏହି ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଥିବା ଅଧିକାରୀମାନେ କହିଛନ୍ତି।
ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା, ଦକ୍ଷତା ବିକାଶ ପ୍ରଶିକ୍ଷଣ, ଶିକ୍ଷା, ଆବାସ ଓ ରୋଜଗାର ସମ୍ପର୍କିତ ସୁବିଧା ଯୋଗାଇ ଦିଆଯିବ।
ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସମ୍ମାନଜନକ ଜୀବନଯାପନ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର: କାରଣ ଅସ୍ପଷ୍ଟ; ପୁଲିସର ତଦନ୍ତ ଜାରି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।