Chief Minister: ଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ: ମାଇନ୍ସ ଇକୋନୋମିରୁ ମାଇଣ୍ଡ ଇକୋନୋମି ଦିଗକୁ ବଢ଼ୁଛି ଓଡ଼ିଶା
ଭୁବନେଶ୍ୱର: କୃଷିର ବିକାଶ ପାଇଁ ଏ କ୍ଷେତ୍ରର ସାମଗ୍ରିକ ପରିବହନ, ଶୀତଳ ଭଣ୍ଡାର ଓ ଗୋଦାମ ଗୃହ ନିର୍ମାଣ ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଅର୍ଥ ଯୋଗାଇଦେବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ମତ ରଖିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଲିନ୍ ଏନର୍ଜି ବା ସ୍ବଚ୍ଛ ଶକ୍ତି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଓଡ଼ିଶା ମଧ୍ୟ ପାରମ୍ପରିକ ଶକ୍ତି ଉତ୍ପାଦନରୁ ସ୍ବଚ୍ଛ ଶକ୍ତି ଉତ୍ପାଦନ ଦିଗକୁ ଅଗ୍ରସର ହେଉଛି।
Deadbody: ଦିଲ୍ଲୀ ପୁଲିସ କନଷ୍ଟେବଲ ଓ ପତ୍ନୀଙ୍କ ମୃତଦେହ ବନ୍ଦ ଘରୁ ଉଦ୍ଧାର
ଏହା ଉପରେ ଧ୍ୟାନ ରଖି ରାଜ୍ୟରେ ଶକ୍ତି ଭିତ୍ତିଭୂମି କ୍ଷେତ୍ରରେ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ଏବଂ ମଲ୍ଟି ଲାଟେରାଲ୍ ପାର୍ଟନର୍ସିପ୍ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ଆଜି ଭୁବନେଶ୍ୱର ବିମାନବନ୍ଦରଠାରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ଆବଶ୍ୟକ ଅର୍ଥ ଉପଲବ୍ଧତା ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ସେମିକନ୍ ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଯୋଗ ଦେଇଥିଲେ। ଏ ସଂପର୍କରେ ସେ କହିଥିଲେ ଯେ ଏହି ସମ୍ମିଳନୀରେ ଓଡ଼ିଶାର ସେମିକଣ୍ଡକ୍ଟର ଓ ଆଡ୍ଭାନ୍ସ ଟେକ୍ନୋଲୋଜି କ୍ଷେତ୍ରକୁ ଅଭୂତପୂର୍ବ ସଫଳତା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପକୁ ସାକାର କରିବା ଦିଗରେ ପୂର୍ବ ଭାରତରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନେତୃତ୍ୱ ନେବାକୁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେଲେ
ସେମିକନ୍ ଇଣ୍ଡିଆରୁ ଓଡ଼ିଶାକୁ ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ
ସେ ଆହୁରି କହିଲେ, ରାଜ୍ୟରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ପାଇଁ ସେମିକଣ୍ଡକ୍ଟର ତୃତୀୟ ସଂଶୋଧନକୁ ମଞ୍ଜୁରି ଦିଆଯାଇଛି। ରାଜ୍ୟରେ ଏକ ସ୍ୱତନ୍ତ୍ର ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ହବ୍ ସୃଷ୍ଟି କରିବା ପାଇଁ କଟକର ନରାଜଠାରେ ୮୭୦ ଏକର ପରିମିତ ଅଞ୍ଚଳରେ ଏକ ବିଶ୍ୱସ୍ତରୀୟ ଓଡ଼ିଶା ସିଲିକନ୍ ଭ୍ୟାଲି ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଗବେଷଣାର ଅଭିବୃଦ୍ଧି ପାଇଁ ଓ ଗବେଷଣା ଉପଲବ୍ଧ ଜ୍ଞାନକୁ ବାଣିଜ୍ୟିକ କାର୍ଯ୍ୟରେ ଲଗାଇବା ପାଇଁ ଆଇଆଇଟି ଭୁବନେଶ୍ବର ସହଭାଗିତାରେ ୪୫୨ କୋଟି ଟଙ୍କାର ନ୍ୟାସନାଲ ଇଣ୍ଡଷ୍ଟ୍ରି କୋ-ଡେଭଲପମେଣ୍ଟ ହବ୍ ଅନ୍ ଇଣ୍ଟିଗ୍ରେଟେଡ ପାୱାର ଇଲେକ୍ଟ୍ରୋନିକ୍ସ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏଥିରେ ଓଡ଼ିଶା ସରକାରଙ୍କ ୧୨୫ କୋଟି ଟଙ୍କାର ଯୋଗଦାନ ରହିଛି। ଏହାଦ୍ୱାରା ରାଜ୍ୟର ମେଧାବୀ ଉଚ୍ଚଶିକ୍ଷିତ ଯୁବପିଢି ବିଦେଶ ନ ଯାଇ ନିଜ ରାଜ୍ୟରେ ହିଁ ସମ୍ମାନଜନକ ନିଯୁକ୍ତି ପାଇପାରିବେ। ଏ ସବୁ ପଦକ୍ଷେପଗୁଡ଼ିକ ଦ୍ୱାରା ଓଡ଼ିଶା ଏବେ ‘ମାଇନ୍ ଇକୋନୋମି’ରୁ ‘ମାଇଣ୍ଡ ଇକୋନୋମି’ ଆଡ଼କୁ ଅଗ୍ରସର ହେଉଛି ବୋଲି ସେ କହିଥିଲେ।
Rescue: ୨ ମା’ଛେଉଣ୍ଡ ଛୁଆଙ୍କୁ ବିକିଦେଲେ ୨ ବାପା; ସାହୁକାର ଘରୁ ଖସିଆସି ୨୦ କିମି ଚାଲିଲେ
ସେମିକନ୍ ଇଣ୍ଡିଆ ୨୦୨୬ରେ ଓଡ଼ିଶା ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଛି। ଏହା ମାଧ୍ୟମରେ ୬ ହଜାରରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏଥିସହିତ ସମ୍ମିଳନୀରେ ସିଲିକନ୍ କାର୍ବାଇଡ୍ ସବଷ୍ଟ୍ରେଟ୍ ୱେଫର ପ୍ରସ୍ତୁତି ପାଇଁ କ୍ବାଡ୍କ୍ବାଣ୍ଟମ ସଂସ୍ଥା ସହିତ ଆଗ୍ରହପତ୍ର (ଲେଟର ଅଫ୍ ଇଣ୍ଟେଣ୍ଟ) ସ୍ୱାକ୍ଷର ହୋଇଛି। ଏହି କାର୍ଯ୍ୟକ୍ରମରେ ୧୮ଟି କମ୍ପାନି ସହିତ ୱାନ୍ ଟୁ ୱାନ୍ ଆଲୋଚନା, ୫ଟି କମ୍ପାନି ସହିତ ରାଉଣ୍ଡଟେବୁଲ ବୈଠକ ହେବା ସହିତ ୩ଟି କମ୍ପାନି ଓଡ଼ିଶା ସହିତ ଆଗ୍ରହପତ୍ର ସ୍ୱାକ୍ଷର କରିଛନ୍ତି। ସମ୍ମିଳନୀରେ ଜାପାନ, ସ୍ୱିଡେନ, ତାଇୱାନ୍ର ପ୍ରତିନିଧି ଦଳ ଏବଂ ଲ୍ୟାମ୍ ରିସର୍ଚ୍ଚ, ଆପ୍ଲାଏଡ୍ ମେଟେରିଆଲ୍ସ, ସିକ୍ସେମ୍, ଥ୍ରି-ଡି ଗ୍ଲାସ୍ ସଲ୍ୟୁସନ୍, ଇଣ୍ଟେଲ୍ ଭଳି ପ୍ରମୁଖ ବିଶ୍ୱସ୍ତରୀୟ ଟେକ୍ନୋଲୋଜି କମ୍ପାନିଗୁଡ଼ିକ ସହିତ ମଧ୍ୟ ସଫଳ ଆଲୋଚନା ହୋଇଛି। ଏହା ମାଧ୍ୟମରେ ଆଗାମୀ ଦିନରେ ଓଡ଼ିଶାକୁ ଅଧିକ ପୁଞ୍ଜି ନିବେଶ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।