Choudwar Jail Superintendent Sujit Kumar Raul Arrested: କଏଦୀ ଫେରାର ମାମଲାରେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ଗିରଫ

Sep 20, 2026 - 21:15
Choudwar Jail Superintendent Sujit Kumar Raul Arrested: କଏଦୀ ଫେରାର ମାମଲାରେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ଗିରଫ

ଶେଷରେ ବନ୍ଧାହେଲେ ଚୌଦ୍ବାର ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ। ୨ ବିହାରୀ କଏଦୀ ଚମ୍ପଟ ଘଟଣାରେ ସୁଜିତଙ୍କୁ ଗିରଫ କରିଛି ଚୌଦ୍ବାର ଥାନା ପୋଲିସ୍ । ଦୁର୍ଦ୍ଦାନ୍ତ ବିହାରୀ କଏଦୀ ଚମ୍ପଟ ମାରିବା, ଦସ୍ତଖତ ଜାଲିଆତି ଏବଂ ଅଫିସ ରେକର୍ଡ ହେରଫେର ମାମଲାରେ ସେ ଗିରଫ ହୋଇଛନ୍ତି।  ପୂର୍ବରୁ ସୁଜିତଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିଲେ ହାଇକୋର୍ଟ।  ଗତବର୍ଷ ଦୁର୍ଗାପୂଜା ସମୟରେ କୁଖ୍ୟାତ ବିହାରୀ କଏଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଚୌଦ୍ୱାର ଜେଲ୍ ରୁ ଖସି ପଳାଇବା ଦିନଠାରୁ ସୁଜିତ ରାଉଳଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲା । ଘଟଣାକୁ ନେଇ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ ଓ ପୂର୍ବତନ ଜେଲର୍  ସନ୍ତୋଷିନୀ ଦାସ ମୁହାଁମୁହିଁ ହୋଇଥିଲେ । 

ସୁଜିତ ରାଉଳଙ୍କ ବିରୋଧରେ ଦସ୍ତଖତ ଜାଲିଆତି ଏବଂ ମିନିଟ୍ ବୁକ୍ ସମେତ ସରକାରୀ କାଗଜପତ୍ର ବଦଳାଇବା ଭଳି ଗୁରୁତର ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ ସନ୍ତୋଷିନୀ ଦାସ । ତାଙ୍କ ଅଭିଯୋଗ ଅନୁସାରେ,  କଏଦୀ ଫେରାର ହେବା ଦିନ ସୁଜିତ ରାଉଳ ବିନା କୌଣସି ସରକାରୀ ଅନୁମତିରେ ଅନୁପସ୍ଥିତ ଥିଲେ. କିନ୍ତୁ ଜେଲ୍ ର ମୁଖ୍ୟ ଫାଟକ ରେଜିଷ୍ଟରରେ ସେ ସେହିଦିନ ଜେଲ୍ ଭିତରକୁ ଅନେକ ଥର ଯିବାଆସିବା କରିଥିବା ନେଇ ମିଥ୍ୟା ରେକର୍ଡ କରାଯାଇଥିଲା । 

ସିଡିଆର୍ ଯାଞ୍ଚ ବେଳେ ଘଟଣା ଦିନ ତାଙ୍କ ଲୋକେସନ୍ ଖୋର୍ଦ୍ଧାରେ ଥିଲା, ଅଥଚ ଜେଲ୍ ରେଜିଷ୍ଟରରେ ସେ ଜେଲ୍ ଭିତରେ ଥିବା ଦେଖାଯାଇଥିଲା । ଜେଲ୍ ର ଅସଲି ମିନିଟ୍ ବୁକ୍ କୋର୍ଟରେ ଦାଖଲ ନକରି ତଦନ୍ତ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରୁଥିଲେ । ପଦବୀର ଅପବ୍ୟବହାର କରି ଜେଲ୍ ର ଗୁରୁତ୍ୱପୂର୍ଣ୍ଣ ସିସିଟିଭି ଫୁଟେଜ୍ ଓ ଇଲେକ୍ଟ୍ରୋନିକ ପ୍ରମାଣ ସବୁକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ ଏବଂ ସାକ୍ଷୀମାନଙ୍କୁ ଚାପ ପକାଉଥିଲେ ବୋଲି ଅଭିଯୋଗ ହୋଇଥିଲା । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।