Chunky Pandey 64th Birthday: ସୁୟାଶରୁ ଚଙ୍କି ପାଣ୍ଡେ, ଅକ୍ଷୟଙ୍କ ଅଭିନୟ ଗୁରୁରୁ ବଲିଉଡ୍‌ ଷ୍ଟାର; ଜାଣନ୍ତୁ ରୋଚକ କାହାଣୀ

Sep 26, 2026 - 14:35
Chunky Pandey 64th Birthday: ସୁୟାଶରୁ ଚଙ୍କି ପାଣ୍ଡେ, ଅକ୍ଷୟଙ୍କ ଅଭିନୟ ଗୁରୁରୁ ବଲିଉଡ୍‌ ଷ୍ଟାର; ଜାଣନ୍ତୁ ରୋଚକ କାହାଣୀ

ବଲିଉଡ୍‌ର ଚର୍ଚ୍ଚିତ ଅଭିନେତା ଚଙ୍କି ପାଣ୍ଡେ ଆଜି ନିଜର ୬୪ତମ ଜନ୍ମଦିନ ପାଳନ କରୁଛନ୍ତି। ଚଙ୍କି ପାଣ୍ଡେ କେବଳ ବଲିଉଡ୍‌ ନୁହେଁ, ବାଂଲାଦେଶୀ ସିନେମାରେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।

୧୯୮୦ ଦଶକରେ ଲିଡ୍‌ ହିରୋ ଭାବେ କ୍ୟାରିୟର ଆରମ୍ଭ କରିଥିବା ଚଙ୍କି ଆଜି ମଧ୍ୟ ଫିଲ୍ମ ଜଗତରେ ସକ୍ରିୟ। ନିଜ କ୍ୟାରିୟରରେ ଅନେକ ଉତ୍‌ଥାନ-ପତନ ଦେଖିଥିବା ଏହି ଅଭିନେତା ଆଜି ସପୋର୍ଟିଂ ରୋଲ୍‌ରେ ମଧ୍ୟ ଦର୍ଶକଙ୍କ ମନ ଜିତିଛନ୍ତି।

ସୁୟାଶ ଥିଲା ଚଙ୍କିଙ୍କ ପ୍ରକୃତ ନାମ

୧୯୬୨ ମସିହା ସେପ୍ଟେମ୍ବର ୨୬ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଚଙ୍କି ପାଣ୍ଡେ। ତାଙ୍କ ପିତାମାତା ସ୍ନେହଲତା ପାଣ୍ଡେ ଓ ଶରଦ ପାଣ୍ଡେ ତାଙ୍କ ନାମ ସୁୟାଶ ରଖିଥିଲେ। ପରେ ଫିଲ୍ମ ଜଗତକୁ ଆସିବା ପରେ ସେ ‘ଚଙ୍କି ପାଣ୍ଡେ’ ନାମରେ ପରିଚିତ ହେଲେ।

ପୁଅ ଡାକ୍ତର ହେଉ ବୋଲି ଚାହୁଁଥିଲେ ପାରେଣ୍ଟ୍ସ

ଚଙ୍କିଙ୍କ ବାପା ମାଆ ନିଜ ପୁଅକୁ ଜଣେ ଡାକ୍ତର ଭାବେ ଦେଖିବାକୁ ଚାହୁଁଥିଲେ। ତାଙ୍କ ପାରେଣ୍ଟ୍ସ ନିଜେ ଡାକ୍ତର ଥିବାରୁ ଏହି ସ୍ୱପ୍ନ ରହିଥିଲା। ହେଲେ ଚଙ୍କିଙ୍କ ରୁଚି ପାଠପଢ଼ାରେ ନଥିଲା। 

ଅକ୍ଷୟ କୁମାରଙ୍କୁ ଶିଖାଇଥିଲେ ଅଭିନୟ ଓ ଡାନ୍ସ

ଚଙ୍କି ପାଣ୍ଡେଙ୍କ ଜୀବନର ଏକ ରୋଚକ ତଥ୍ୟ ହେଉଛି ସେ ଅକ୍ଷୟ କୁମାରଙ୍କୁ ଅଭିନୟ ଓ ଡାନ୍ସର ଟ୍ରେନିଂ ଦେଇଥିଲେ।

ଦଶମ ଶ୍ରେଣୀରେ ଫେଲ୍‌ ହେବା ପରେ ୧୯୮୬ରେ ଚଙ୍କି ଡେଜି ଇରାନୀଙ୍କ ଆକ୍ଟିଂ ସ୍କୁଲ୍‌ରେ ଆଡମିଶନ୍‌ ନେଇଥିଲେ। ସେଠାରେ ଅଭିନୟ ଓ ଡାନ୍ସ ଶିଖିବା ସହ ପରେ ସେହି ସଂସ୍ଥାରେ ଇନ୍‌ଷ୍ଟ୍ରକ୍ଟର ଭାବେ ମଧ୍ୟ କାମ କରିଥିଲେ। ଏହି ସମୟରେ ଅକ୍ଷୟ କୁମାରଙ୍କୁ ମଧ୍ୟ ସେ ଅଭିନୟ ଓ ଡାନ୍ସ ଶିଖାଇଥିଲେ।

‘ଆଗ୍ ହି ଆଗ୍’ରୁ ଆରମ୍ଭ ହୋଇଥିଲା ଫିଲ୍ମ ଯାତ୍ରା

ଦୀର୍ଘ ସଂଘର୍ଷ ପରେ ୧୯୮୭ରେ ଚଙ୍କି ପାଣ୍ଡେ ‘ଆଗ୍ ହି ଆଗ୍’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ଧର୍ମେନ୍ଦ୍ର, ଶତ୍ରୁଘ୍ନ ସିହ୍ନା, ଗୁଲଶନ୍‌ ଗ୍ରୋଭର ଓ ଡ୍ୟାନି ଡେଞ୍ଜୋଙ୍ଗପାଙ୍କ ଭଳି ବଡ଼ କଳାକାରଙ୍କ ସହ ସେ କାମ କରିଥିଲେ।

ବାଂଲାଦେଶରେ ମଧ୍ୟ ମିଳିଥିଲା ବଡ଼ ପରିଚୟ

ବଲିଉଡ୍‌ ବ୍ୟତୀତ ଚଙ୍କି ପାଣ୍ଡେ ବାଂଲାଦେଶୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଅଭିନୟ କରିଛନ୍ତି। ୧୯୯୭ର ଫିଲ୍ମ ‘ସ୍ୱାମୀ କେନୋ ଆସାମୀ’ ଜରିଆରେ ସେ ବାଂଲାଦେଶୀ ସିନେମାରେ ପାଦ ଥାପିଥିଲେ। ଫିଲ୍ମଟି ସଫଳ ହେବା ପରେ ସେଠାରେ ଚଙ୍କିଙ୍କ ଲୋକପ୍ରିୟତା ବଢ଼ିଥିଲା।

ଦୁଇ ଝିଅଙ୍କ ବାପା ଚଙ୍କି

୧୯୯୮ରେ ଚଙ୍କି ପାଣ୍ଡେ ଭାବନା ପାଣ୍ଡେଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଦୁଇ ଝିଅ ହେଉଛନ୍ତି ଅନନ୍ୟା ପାଣ୍ଡେ ଓ ରାଇସା ପାଣ୍ଡେ। ବଡ଼ ଝିଅ ଅନନ୍ୟା ପାଣ୍ଡେ ବର୍ତ୍ତମାନ ବଲିଉଡ୍‌ର ଜଣେ ପରିଚିତ ଅଭିନେତ୍ରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।