CM Vijay Apologises On Minister’s Behalf: ନାଁ ଧରି ଡାକିଲେ ମନ୍ତ୍ରୀ, କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

Aug 18, 2026 - 12:24
CM Vijay Apologises On Minister’s Behalf: ନାଁ ଧରି ଡାକିଲେ ମନ୍ତ୍ରୀ, କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁ ବିଧାନସଭାରେ ଦିବଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ନାଁ ସମ୍ବୋଧନକୁ ନେଇ ବିବାଦ ଦେଖାଦେଇଛି। ବିଧାନସଭାରେ ଆଲୋଚନା ସମୟରେ ଜଣେ ମନ୍ତ୍ରୀ କରୁଣାନିଧିଙ୍କୁ କେବଳ ତାଙ୍କ ନାମରେ ସମ୍ବୋଧିତ କରିଥିବାରୁ ବିରୋଧୀ ଡିଏମକେ ବିଧାୟକମାନେ ଆପତ୍ତି ଉଠାଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଥିଲେ।

ବିଧାନସଭାରେ ଅନୁଦାନ ଦାବି ଉପରେ ଆଲୋଚନା ବେଳେ ମନ୍ତ୍ରୀ ଆର୍‌.ଭି. ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ସରକାର ଓ ନିର୍ବାଚନୀ ରାଜନୀତି ସମ୍ପର୍କରେ ମତ ରଖୁଥିଲେ। ଏହି ସମୟରେ ସେ କରୁଣାନିଧିଙ୍କୁ କୌଣସି ସମ୍ମାନସୂଚକ ଉପାଧି ବ୍ୟବହାର ନକରି କେବଳ ତାଙ୍କ ନାଁ ଧରି ସମ୍ବୋଧିତ କରିଥିଲେ।

ଏହାକୁ ନେଇ ଡିଏମକେ ବିଧାୟକମାନେ ତୀବ୍ର ପ୍ରତିବାଦ କରିଥିଲେ। କରୁଣାନିଧି ତାମିଲନାଡୁର ଜଣେ ବରିଷ୍ଠ ରାଜନୈତିକ ନେତା ଏବଂ ଡିଏମକେର ପ୍ରତିଷ୍ଠିତ ନେତା ହୋଇଥିବାରୁ ତାଙ୍କୁ ବିଧାନସଭାରେ ସମ୍ମାନର ସହ ସମ୍ବୋଧିତ କରିବା ଉଚିତ ବୋଲି ଡିଏମକେ ସଦସ୍ୟମାନେ ଦାବି କରିଥିଲେ।

ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ହସ୍ତକ୍ଷେପ କରିଥିଲେ। ସେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବା ସହ ଏପରି ସମ୍ବୋଧିତ କରିବା ଉଦ୍ଦେଶ୍ୟମୂଳକ ନଥିବା ସ୍ପଷ୍ଟ କରିଥିଲେ। ବିଜୟଙ୍କ ଏହି ହସ୍ତକ୍ଷେପ ପରେ ବିଧାନସଭାରେ ସୃଷ୍ଟି ହୋଇଥିବା ଉତ୍ତେଜନା କିଛି ମାତ୍ରାରେ ଥମିଥିଲା।

ଏହି ଘଟଣାକୁ ନେଇ ତାମିଲନାଡୁ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ବିଶେଷକରି କରୁଣାନିଧିଙ୍କ ରାଜନୈତିକ ଐତିହ୍ୟ ଓ ତାଙ୍କ ପ୍ରତି ଥିବା ସମ୍ମାନକୁ ନେଇ ଶାସକ ଓ ବିରୋଧୀ ଶିବିର ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।