Collaborative Capability: ସହଯୋଗ-ସାମର୍ଥ୍ୟ: ସଫଳତା ରଥରେ ପରିବାର ସାରଥି

Oct 20, 2026 - 21:01
Collaborative Capability: ସହଯୋଗ-ସାମର୍ଥ୍ୟ: ସଫଳତା ରଥରେ ପରିବାର ସାରଥି

"ବନ୍ଦନା ମିଶ୍ର୍ର ଆଜି ଚଳଚଞ୍ଚଳ ପୂଜା ମଣ୍ଡପ।

ଧୂପ, ଦୀପ, ଶଙ୍ଖଧ୍ୱନି ଓ ମନ୍ତ୍ରପାଠରେ ଉତ୍ସବମୁଖର ପରିବେଶ।

ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମାଆ ଦଶଭୁଜା।

ମାଆ ଦୁର୍ଗା ଶକ୍ତି, ସାହସ ଓ ଆତ୍ମବିଶ୍ୱାସର ପ୍ରତୀକ।

ସେହି ଶକ୍ତି ଆମ ଘରର ମାଆ, ଭଉଣୀ, ସ୍ତ୍ରୀ ଓ କନ୍ୟାଙ୍କ ଭିତରେ ମଧ୍ୟ ରହିଛି।

ଆଜିର ନାରୀ ଶିକ୍ଷା, ପ୍ରଶାସନ, ବିଜ୍ଞାନ, କ୍ରୀଡ଼ା ଓ ବ୍ୟବସାୟ ଭଳି ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ନୂଆ ଅଧ୍ୟାୟ ଲେଖୁଛନ୍ତି।

କେଉଁଠି ମାଆ ଅଭାବ ସହ ଲଢ଼ି ଝିଅର ସ୍ୱପ୍ନକୁ ଡେଣା ଦେଉଛନ୍ତି, କେଉଁଠି ସ୍ୱାମୀ ସାଜୁଛନ୍ତି ସ୍ତ୍ରୀଙ୍କ ସଫଳତାର ସାରଥି, ତ ପୁଣି କେଉଁଠି ଭାଇ ଦେଉଛନ୍ତି ଭଉଣୀକୁ ନୂଆ ଆକାଶ।

ଓଡ଼ିଶାର ଏମିତି କିଛି ନାରୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଦେଖାଉଛି ଦୁର୍ଗାପୂଜାର ଏକ ଭିନ୍ନ ଚିତ୍ର—ଯେଉଁଠି ନାରୀଙ୍କ ସ୍ୱପ୍ନକୁ ସମର୍ଥନ ଦେବା ହିଁ ପ୍ରକୃତ ଶକ୍ତିର ଆରାଧନା।Advertisment ସ୍ୱାମୀଙ୍କ ପ୍ରେରଣାରେ ଆଇଏଏସ୍‌ ହେଲେ ସଞ୍ଜିତାଯେମିତି ଜଣେ ପୁରୁଷର ସଫଳତା ପଛରେ ଜଣେ ନାରୀଙ୍କ ହାତ ରହିଥାଏ, ସେପରି ଜଣେ ସଫଳ ନାରୀ ପଛରେ ଜଣେ ପୁରୁଷଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଥାଏ!

ସ୍ୱାମୀ ବିଶ୍ୱରଞ୍ଜନ ମୁଣ୍ଡାରୀଙ୍କ ସମର୍ଥନ ବଳରେ ଆଇଏଏସ୍‌ ହୋଇଥିବା ସଞ୍ଜିତା ମହାପାତ୍ର ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ।

ରାଉରକେଲାରେ ଜନ୍ମିତ ସଞ୍ଜିତା ପିଲାଟି ଦିନରୁ ହିଁ ଜଣେ ଆଇଏଏସ୍‌ ଅଧିକାରୀ ହେବାର ସ୍ୱପ୍ନ ଦେଖିଥିଲେ।

ସେ ଭୁବନେଶ୍ୱରର କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି (ସିଇଟି)ରେ ମେକାନିକାଲ୍‌ ଇଞ୍ଜିନିୟରିଂ ପଢ଼ିବା ପରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ଚାକିରି କରିଥିଲେ।

ବିବାହ କରିବା ପରେ ବି ନିଜ ମଧ୍ୟ ଲକ୍ଷ୍ୟ ଭୁଲି ନଥିଲେ ସେ।

ଚାକିରି ଓ ପରିବାରର ଦାୟିତ୍ବ ସହ ୟୁପିଏସ୍‌ସି ପ୍ରସ୍ତୁତି ମଧ୍ୟ ଜାରି ରଖିଥିଲେ।

ଘର, ଚାକିରି ଓ ପାଠପଢ଼ାର ଏହି ସଂଘର୍ଷମୟ ଯାତ୍ରାରେ ତାଙ୍କର ବଡ଼ ସମର୍ଥକ ଥିଲେ ତାଙ୍କ ସ୍ୱାମୀ ଓ ଶାଶୂଘର ଲୋକେ।

ସଞ୍ଜିତା କହନ୍ତି, ""ପ୍ରଥମ ଚାରିଟି ପ୍ରୟାସରେ ମୁଁ ବିଫଳ ହେଲି।

ହେଲେ ମୋ ସ୍ୱାମୀ କେବେ ବି ମୋତେ ପଦଟିଏ କହିନାହାନ୍ତି।

ପୁଣିଥରେ ପ୍ରୟାସ ପାଇଁ ମୋ ମନୋବଳ ବଢ଼ାନ୍ତି।

ଶେଷରେ ମୁଁ ଚାକିରି ଛାଡ଼ି ପ୍ରସ୍ତୁତି କରିବାକୁ ଚିନ୍ତା କଲି।

ସେ ସେଥିରେ ମଧ୍ୟ ସମର୍ଥନ ଦେଲେ।

ମୋ ସ୍ୱାମୀ ଓ ପୂରା ପରିବାରର ସହଯୋଗ ହେତୁ ମୁଁ ୨୦୧୯ ମସିହାରେ ସର୍ବଭାରତୀୟ ସ୍ତରରେ ଦଶମ ସ୍ଥାନ ହାସଲ କରିପାରିଲି।

ତେଣୁ ମୋ ସଫଳତାର ଶ୍ରେୟ ନିଶ୍ଚୟ ମୋ ସ୍ୱାମୀଙ୍କର।"" ସୁନା ବନ୍ଧା ପକାଇ ଝିଅକୁ ଇଂଜିନିୟର କଲେ ମାଆଅଳଙ୍କାର କେବଳ ଗହଣା ନୁହେଁ; ବରଂ ଅସୁବିଧା ବେଳର ସାଥୀ।

ଝିଅର ଭବିଷ୍ୟତ ଗଢ଼ିବା ପାଇଁ ନିଜ ସୁନା ଚୁଡ଼ି ବନ୍ଧା ପକାଇ ଅର୍ଥ ଯୋଗାଇ ଦେଇଥିଲେ ଅମିତା ମହାପାତ୍ର।

ମାଆଙ୍କ ତ୍ୟାଗ ଯୋଗୁଁ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ହାତମୁଠାରେ ପାଇପାରିଲେ ତାଙ୍କ ଗେହ୍ଲୀ ଝିଅ ଅନୁସ୍ମିତା ମହାପାତ୍ର।

ଭୁବନେଶ୍ବର ବାସିନ୍ଦା ଅନୁସ୍ମିତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ।ଅମିତା ମାତ୍ର ୩ ହଜାର ଟଙ୍କା ଦରମାରେ ଚୁକ୍ତିଭିତ୍ତିକ ଶିକ୍ଷକ ଚାକିରି ଆରମ୍ଭ କରିଥିଲେ।

ପିଲାମାନଙ୍କୁ ଛାଡ଼ି ସେ ରାୟଗଡ଼ାରେ ରହୁଥିଲେ।

ଝିଅ ପାଠପଢ଼ାରେ ଭଲ ଥିବାରୁ ତା"ର ଭବିଷ୍ୟତ ଗଢ଼ିବା ପାଇଁ ନିଜେ କଷ୍ଟରେ ରହି ତାକୁ ଅର୍ଥ ଯୋଗାଉଥିଲେ।

ଅନୁସ୍ମିତାଙ୍କର ଏନ୍‌ଆଇଟି ତ୍ରିଚିରେ ନାମଲେଖା ପାଇଁ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ଦରକାର ପଡ଼ିଲା।

ଅମିତା ନିଜ ସୁନା ଚୁଡ଼ି ବନ୍ଧା ପକାଇ ଟଙ୍କା ଯୋଗାଡ଼ କଲେ ଏବଂ  ଝିଅକୁ ଇଂଜିନିୟର କରି ଠିଆ କଲେ।

ଏବେ ବେଙ୍ଗାଲୁରୁରେ ଫ୍ଲିପ୍‌କାର୍ଟରେ ଆସିଷ୍ଟାଣ୍ଟ ମ୍ୟାନେଜର  ଅଛନ୍ତି ଅନୁସ୍ମିତା।

ମାଆଙ୍କ ବଳିଦାନ ସମ୍ପର୍କରେ ସେ କହନ୍ତି, ""ମୋ ମାଆଙ୍କ ତ୍ୟାଗ ଓ ସମର୍ଥନ ମୋ ଜୀବନ ବଦଳାଇ ଦେଇଛି।

ସେ ମୋର ଓ ମୋ ଭାଇର ପାଠପଢ଼ା ପାଇଁ ଅନେକ କଷ୍ଟ ସହିଛନ୍ତି।

୩ ହଜାର ଟଙ୍କାରୁ ଚାକିରି ଆରମ୍ଭ କରି ୬ ବର୍ଷ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଶିକ୍ଷକତା ଆଦୌ ସହଜ ନଥିଲା।

ହେଲେ ମୋ ମାଆ ତାହାକୁ ଆମ ପାଇଁ ହସି ହସି ସହିଗଲେ।

ମୋ ମାଆଙ୍କ ବଳିଦାନକୁ ମୁଁ କେବେ ଭୁଲିବି ନାହିଁ।"" ଭାଇଙ୍କ ସମର୍ଥନ ଦେଲା ନୂଆ ପରିଚୟଭଉଣୀର ସ୍ୱପ୍ନକୁ ଆଗକୁ ବଢ଼ାଇବାରେ ଭାଇଙ୍କ ସମର୍ଥନ କେତେ ମୂଲ୍ୟବାନ୍‌, ତାହାର ଉଦାହରଣ ହେଉଛନ୍ତି ଭାରତୀୟ ମହିଳା ହକି ଖେଳାଳି ଜ୍ୟୋତି ଛତ୍ରୀ।

ରାଉରକେଲାର ପାନପୋଷ ବାସିନ୍ଦା ଜ୍ୟୋତିଙ୍କ ପରିବାର ଅଭାବ ଭିତରେ ଗତି କରୁଥିଲା।

ବାପା ଭୀମ ସିଂହ ଛତ୍ରୀ ଥିଲେ ବୃତ୍ତିରେ ରାଜମିସ୍ତ୍ରି।

କେତେ ବା ରୋଜଗାର!

ହେଲେ ଭଉଣୀର ହକି ପ୍ରତି ଭଲପାଇବା ଦେଖି ବଡ଼ଭାଇ ସୂରଜ ଯୋଗାଡ଼ଯନ୍ତ୍ର କରି ଜ୍ୟୋତିଙ୍କ ହାତରେ ହକିଷ୍ଟିକ୍‌ଟିଏ ଧରାଇ ଦେଇଥିଲେ।

ସେହି ଷ୍ଟିକ୍‌ ଧରି ଜ୍ୟୋତି ଖେଳ ଆରମ୍ଭ କରିଥିଲେ ଏବଂ ୨୦୧୪ରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେବାର ସୁଯୋଗ ପାଇଲେ।

ମାଗଣାରେ ରହିବା, ଖାଇବା, ତାଲିମ ଓ ଖେଳ ଉପକରଣ ପାଇ ଆଗକୁ ବଢ଼ିଲେ।ପରିବାରର ସମର୍ଥନ ଓ ନିଜର କଠିନ ପରିଶ୍ରମ ବଳରେ ଜ୍ୟୋତି ନିଜ ପ୍ରତିଭାକୁ ବିକଶିତ କଲେ।

୨୦୨୧ରେ ସେ ଓଡ଼ିଶା ନାଭାଲ୍‌ ଟାଟା ହକି ହାଇ ପର୍‌ଫର୍‌ମାନ୍ସ ସେଣ୍ଟରରେ ତାଲିମ ନେଲେ।

ପରେ ଜୁନିୟର ଭାରତୀୟ ଦଳରେ ସ୍ଥାନ ପାଇବା ସହ ବରିଷ୍ଠ ଭାରତୀୟ ମହିଳା ହକି ଦଳ ପାଇଁ ମଧ୍ୟ ମନୋନୀତ ହୋଇଥିଲେ।

ଜ୍ୟୋତି କହନ୍ତି, ""ଏହା କେବଳ ମୋର ସଫଳତା ନୁହେଁ; ଏହା ଜଣେ ଭାଇର ଉତ୍ସାହ ଓ ପରିବାରର ସମର୍ଥନର ଫଳ।

ଭାଇ ମୋ ହାତରେ ଏକ ଛୋଟ ହକି ଷ୍ଟିକ୍‌ ଧରାଇଲେ, ଯାହା ମୋତେ ଦେଶ ପାଇଁ ଖେଳିବାର ଯାତ୍ରାରେ ସାମିଲ କରାଇଦେଲା।

ସବୁ ଭାଇ ତାଙ୍କ ଭଉଣୀଙ୍କ ପ୍ରତି ଏଭଳି ସ୍ନେହ-ଶ୍ରଦ୍ଧା ରଖିଲେ, ଭଉଣୀମାନଙ୍କ ସଂଘର୍ଷ ଦୂର ହେବା ନିଶ୍ଚିତ।""ଉପରୋକ୍ତ ମହିଳାମାନଙ୍କ ସଫଳତାର କାହାଣୀ ପ୍ରମାଣ କରୁଛି ଯେ, ପରିବାରର ସମର୍ଥନ ଓ ନିଜସ୍ୱ ନିଷ୍ପତ୍ତି ନେବାର ସ୍ୱାଧୀନତା ମିଳିଲେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବା ସହ ଆର୍ଥିକ ଭାବେ ସଶକ୍ତ ଓ ସ୍ବାବଲମ୍ବୀ ହୋଇପାରିବେ।

ଘରର ନାରୀଙ୍କୁ ଉପଯୁକ୍ତ ସୁଯୋଗ ଓ ସମର୍ଥନ ମିଳିଲେ ସେମାନେ କେବଳ ନିଜ ଭାଗ୍ୟ ବଦଳାନ୍ତି ନାହିଁ, ବରଂ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ସହ ସମାଜର ପ୍ରଗତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରନ୍ତି।

ତେଣୁ ଘରର ନାରୀଙ୍କ ସ୍ୱପ୍ନକୁ ସମ୍ମାନ ଦେବା, ତାଙ୍କ ନିଷ୍ପତ୍ତିକୁ ଗୁରୁତ୍ୱ ଦେବା ଓ ଆତ୍ମନିର୍ଭର ହେବାର ରାସ୍ତାରେ ସହଯୋଗ ହିଁ ପ୍ରକୃତ ସାମାଜିକ ପରିବର୍ତ୍ତନକୁ ବାଟ କଢ଼ାଇ ନେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।