Malaria Cases Surge in Malkangiri: ମାଲକାନଗିରିରେ ପୁଣି ମାଡ଼ିଲା ମ୍ୟାଲେରିଆ, ହଜାର ହଜାର ଆକ୍ରାନ୍ତ

Sep 03, 2026 - 20:33
Malaria Cases Surge in Malkangiri: ମାଲକାନଗିରିରେ ପୁଣି ମାଡ଼ିଲା ମ୍ୟାଲେରିଆ, ହଜାର ହଜାର ଆକ୍ରାନ୍ତ

ଥରୁଛି ମୁଣ୍ଡରୁ ଗୋଡ଼, ସତେଯେମିତି ମୁଣ୍ଡ ଫାଟିଯିବ। ପିଲାଠୁ ବୟସ୍କ, ପୁରୁଷଙ୍କଠୁ ମହିଳା। ମ୍ୟାଲେରିଆ ଜ୍ବରରେ ଆକ୍ରାନ୍ତ ହୋଇ କଲବଲ ହେଉଛନ୍ତି ମାଲାକାନଗିରି ଜିଲ୍ଲାରେ। କାରଣ ଲେଉଟିଛି ମାଇ ଆନୋଫିଲିସ୍ ମଶା, ଗୋଡ଼ାଇ ଗୋଡ଼ାଇ କାମୁଡୁଛି ଦେହ ମୁଣ୍ଡକୁ। ଶୋଇଲେ ତ୍ରାହି ନାହିଁ କି ଚେଇଁଲେ ବି ରକ୍ଷା ନାହିଁ। ତେଣୁ ଗାଁ ଗାଁରେ ଏବେ ଚାଲିଛି ରକ୍ତ ନମୁନା ସଂଗ୍ରହ। ପ୍ରତ୍ୟେକଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ। ଲଗାଣ ବର୍ଷା ସହ ସନ୍ତସନ୍ତିଆ ପରିବେଶ ଭିତରେ ମାଡ଼ି ଚାଲିଛି ମ୍ୟାଲେରିଆ। ଉଦବେଗର କଥା ହେଉଛି, ଏବର୍ଷ ଜୁଲାଇ ସୁଦ୍ଧା ମାଲକାନଗିରିରେ ୭ ହଜାର ୨୩୯ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ କେବଳ ଜୁଲାଇ ମାସରେ ହିଁ ୨ ହଜାର ୮୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପରିକି ୩ ଜଣଙ୍କ ପ୍ରାଣହାନୀ ଅଭିଯୋଗ ବି ଉଠିଛି। ବିଶେଷ କରି କୁଡୁମୁଲୁଗୁମ୍ମା ଅଂଚଳରେ ରୋଗୀସଂଖ୍ୟା ଅଧିକ ରହୁଛି।

ଦିନେ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ଥିଲା ଉଦାହରଣ। ୨୦୧୬ରେ ଜିଲ୍ଲାରେ ଶେଷଥର ପାଇଁ ସର୍ବାଧିକ ପ୍ରାୟ ୪୦ ହଜାର ରୋଗୀ ଚିହ୍ନଟ ହୋଇଥିଲେ। ରାଜ୍ୟ ସରକାର ସେତେବେଳେ ମ୍ୟାଲେରିଆକୁ ଦମନ ପାଇଁ ଆରମ୍ଭ କରିଥିଲେ Durgama Anchalare Malaria Nirakarana ଯୋଜନା ତଥା DAMaN। ଫଳରେ ଉଲ୍ଲେଖନୀୟ ଭାବେ ନିୟନ୍ତ୍ରଣକୁ ଆସିଥିଲା ମ୍ୟାଲେରିଆ। ଗାଁ ଗାଁରେ ଯୋଦ୍ଧା ସାଜି ମ୍ୟାଲେରିଆକୁ ଦମନ କରିଥିଲେ ଡାକ୍ତରଙ୍କଠାରୁ ସ୍ବାସ୍ଥ୍ୟକର୍ମୀ। ଯାହାର ଅନ୍ୟତମ ଉଦାହରଣ ସାଜିଥିଲେ ଡାକ୍ତର ଓମକାର୍ ହୋତା। ରାଜଧାନୀରୁ ଯାଇ ବଣପାହାଡ଼ ଏବଂ ମାଓ ଉପଦ୍ରବ ଭିତରେ ନାନା ରୋଗଦୁଃଖ ସହ ମ୍ୟାଲେରିଆ ମୁକ୍ତ ପାଇଁ ପ୍ରମୁଖ ଭୂମିକା ନେଇଥିଲେ। ଯାହାଙ୍କୁ ନେଇ ଓଡ଼ିଆ ଫିଲ୍ମ ‘ଦମନ’ ବି ତିଆରି କରାଯାଇଛି।    

ତେବେ ଚଳିତ ବର୍ଷ କାହିଁକି ହଠାତ ମାଡ଼ିଗଲା ମ୍ୟାଲେରିଆ ? କ୍ରମାଗତ ବର୍ଷା ସହ ପ୍ରତିକୂଳ ପାଗ ଯୋଗୁ ପାହାଡ଼ି ଇଲାକାରେ ବଢ଼ିଛି କି ମ୍ୟାଲେରିଆ ସଂକ୍ରମଣ ? ନା ଚିକିତ୍ସା ବ୍ୟବସ୍ଥା ଏବଂ ଜନ ସଚେତନତା କ୍ଷେତ୍ରରେ ରହିଯାଇଛି ବିଭାଗୀୟ ଦାୟିତ୍ବହୀନତା ? ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କହିବା କଥା, ମାଲେରିଆ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ରକ୍ତ ପରୀକ୍ଷାକୁ ବଢ଼ାଇବା ସହ ଜିଲ୍ଲାରେ ଏଯାଏଁ ୪ ଲକ୍ଷ ୧୫ ହଜାର ମଶାରି ବଣ୍ଟନ ହୋଇଛି। ଅପରପକ୍ଷେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା କଥା, ରାଜ୍ୟରେ ୭ଟି ଜିଲ୍ଲାରେ ବ୍ୟାପିଛି ମ୍ୟାଲେରିଆ। କିନ୍ତୁ ମାଲକାନଗିରିରେ ସର୍ବାଧିକ କେସ୍ ରହିଛି। ସେପ୍ଟେମ୍ୱର ପରେ ସ୍ଥିତିରେ ସୁଧାର ଆସିବ। 

ମ୍ୟଲେରିଆ ଟେନସନ୍ ଭିତରେ ମାଲକାନଗିରି ଜିଲ୍ଲାକୁ ଖୁବଶୀଘ୍ର ଏକ ରାଜ୍ୟସ୍ତରୀୟ ଟିମ୍ ଯିବ ବୋଲି ସୂଚନା ମିଳିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।