Contaminated water: ଦୂଷିତ ପାଣି ସାଜିଛି କାଳ: କିଡ୍ନି ରୋଗ ଆଁରେ ‘ଅମାସମା’
କପିଳେନ୍ଦ୍ର ପ୍ରଧାନ
ଅନୁଗୋଳ: ପାହାଡ଼ ତଳେ ରହିଛି ଛୋଟ ଗାଁଟିଏ। ମାତ୍ର ୫୦ ପରିବାର ରୁହନ୍ତି। ହେଲେ ଗତ ୩ ବର୍ଷରେ କିଡ୍ନି ରୋଗ ଏ ଗାଁର ୧୮ ଲୋକଙ୍କ ଜୀବନ ନେଲାଣି। ଏବେ ବି ଗାଁରେ ଅଛନ୍ତି ୧୫ରୁ ଅଧିକ କିଡ୍ନି ରୋଗୀ। ପ୍ରତି ମାସେ ଦି’ମାସରେ ନୂଆ ନୂଆ କିଡ୍ନି ରୋଗୀ ଚିହ୍ନଟ ହେଉଛନ୍ତି। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାର ‘ଅମାସମା’ରେ ଦେଖିବାକୁ ମିଳିଛି ଏଭଳି ସାଂଘାତିକ ଚିତ୍ର।
CJP: ସାମ୍ବାଦିକ, ସିଜେପି ନେତାଙ୍କ ବିରୋଧରେ ଜାତିଆଣ ଟିପ୍ପଣୀ, ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଏସିପି
ଆଠମଲ୍ଲିକ ବ୍ଲକ୍ ଠାକୁରଗଡ଼ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ସାଢ଼େ ୪ କିଲୋମିଟର ଦୂର ଗଲେ ପଡ଼େ ଅମାସମା ଗାଁ। ଏ ପାହାଡ଼ିଆ ଗାଁରେ ଅଛି ୩ଟି ସାହି। ୫୪ଟି ପରିବାରର ୨୫୦ ଲୋକ ବାସକରନ୍ତି। ସବୁଜିମାଭରା ଗଛପତ୍ର ଥାଇ ବି ଗାଁ ଲୋକେ ଏବେ ଅଣନିଶ୍ବାସୀ। କିଡ୍ନି ରୋଗ ଏବେ ସେମାନଙ୍କ ପାଇଁ କାଳ ସାଜିଛି। ପ୍ରତିବର୍ଷ ଗାଁରେ କାହାର ଭେଣ୍ଡିଆ ପୁଅ କିଡ୍ନି ରୋଗର ଶିକାର ହେଉଛି ତ’ ଆଉ କାହା ସ୍ବାମୀର ଜୀବନ ଅକାଳରେ ଝଡ଼ିପଡ଼ୁଛି। ଏମିତିକି ଗାଁର ଛୋଟପିଲା ଓ କିଛି ବର୍ଷ ହେଲା ବୋହୂ ହୋଇଆସିଥିବା ମହିଳା ବି ଏଥିରୁ ମୁକୁଳି ପାରୁନାହାନ୍ତି। ଗାଁର ଜୟନ୍ତୀ ପଧାନ କହିଛନ୍ତି, ବର୍ଷତମାମ ସେମାନଙ୍କୁ ଭଲ ପାଣି ମୁନ୍ଦେ ମିଳେନି। ଭଲ ରାସ୍ତାଟିଏ ନଥିବା ଗାଁକୁ ଟ୍ୟାପ୍ ପାଣି ଯୋଗାଇବ କିଏ? ଗାଁରେ ଥିବା ନଳକୂଅରୁ ବାହାରୁଥିବା କଳଙ୍କିମିଶା ପାଣି ହିଁ ସେମାନଙ୍କ ଏକମାତ୍ର ଭରସା। ଏହି ଦୂଷିତ ପାଣି ହିଁ ରୋଗର କାରଣ। ଏନେଇ ବାରମ୍ବାର ଅଭିଯୋଗ କଲେ କିଛି ବାବୁ ଆସନ୍ତି, ନଳକୂଅ ପାଣିକୁ ବୋତଲରେ ପୂରାଇ ପରୀକ୍ଷା ପାଇଁ ନିଅନ୍ତି। ହେଲେ କ’ଣ ବାହାରିଲା କେବେ ଜଣାନ୍ତିନି କି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ବି ପଠାନ୍ତିନି।
Rahul Gandhi: ସିଜେପି ନେତାଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ ଓ ବିରୋଧୀ
ଗାଁର ଜଣେ ବୟସ୍କ ଲୋକ କହିଛନ୍ତି, ଗଲା ୩ ବର୍ଷରେ ଗାଁରେ ୧୮ ଜଣ ଲୋକଙ୍କ ମୃତ୍ୟୁ ହେଲାଣି। ହେଲେ, ସରକାର ତାଙ୍କ ଗାଁ ପ୍ରତି ଆଖି ବୁଜିଦେଇଛନ୍ତି। ପାଣି ଯୋଗୁଁ ଲୋକଙ୍କ ଜୀବନ ଯାଉଥିବା ଆଶଙ୍କାରେ ଏବେ ଗାଁର ବହୁ କିଡ୍ନି ରୋଗୀଙ୍କ ପରିବାର ଲୋକ ଠାକୁରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଥିବା ଆକ୍ବାଗାର୍ଡରୁ ବୋତଲରେ ପାଣି ଆଣି ପିଉଛନ୍ତି। ହେଲେ ରୋଷେଇବାସ ସହ ଅନ୍ୟସବୁ ନିତ୍ୟକର୍ମ ସେହି କଳଙ୍କିମିଶା ନାଲି ରଙ୍ଗର ପାଣିରେ ହିଁ କରିବାକୁ ପଡ଼ୁଛି। ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଦନମୋହନ ପ୍ରଧାନ କହିଛନ୍ତି, କେବଳ ଅମାସମା ଗାଁ ନୁହେଁ, ଅନୁଗୋଳ ଜିଲ୍ଲାର ବିଭିନ୍ନ ଗାଁରେ ଏବେ ବହୁସଂଖ୍ୟକ କିଡ୍ନି ରୋଗୀ ଦେଖିବାକୁ ମିଳୁଛନ୍ତି। କିନ୍ତୁ, କିଡ୍ନି ରୋଗ ବ୍ୟାପିବାର ବାସ୍ତବ କାରଣ ଜଣାପଡ଼ୁନି। ଏହାର କାରଣ ଜାଣିବାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ସହାୟତାରେ ଖୁବ୍ଶୀଘ୍ର ଏକ ସ୍ବତନ୍ତ୍ର ଷ୍ଟଡି କରାଯିବ। ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର୍) ଭୁବନେଶ୍ବର ଶାଖା ଜରିଆରେ ଅନୁଧ୍ୟାନ ପରେ କେଉଁ ଅଞ୍ଚଳରେ କେଉଁ କାରଣରୁ କିଡ୍ନି ରୋଗ ବ୍ୟାପୁଛି, ତାହା ସ୍ପଷ୍ଟ ହୋଇପାରିବ ଏବଂ ତାହାର ପ୍ରତିକାର କରାଯାଇପାରିବ ବୋଲି ଡାକ୍ତର ପ୍ରଧାନ ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।