Custody of a minor child: ମା’ ଚାକିରି କରୁନାହାନ୍ତି, ତଥାପି ପାଇବେ ପିଲାର କଷ୍ଟଡି?
"ନୂଆଦିଲ୍ଲୀ: ସମ୍ପର୍କରେ ଫାଟ, ସଂସାରରେ ପୂର୍ଣ୍ଣଚ୍ଛେଦ!
ଦିନେ ଯେଉଁ ଦୁଇ ହାତ ଧରି ଜୀବନ ବିତାଇବାକୁ ଶପଥ ନେଇଥିଲେ, ଆଜି ସେହି ଦୁଇ ଜଣ ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ।
ହେଲେ ଏହି ଭାଙ୍ଗିଯାଇଥିବା ସମ୍ପର୍କ ଭିତରେ କୁନି ପିଲାଟିର ଭବିଷ୍ୟତ କ"ଣ ହେବ?
ବାପାଙ୍କ ପାଖରେ ରହିବ ନା ମା"ଙ୍କ କୋଳରେ ବଢ଼ିବ?
ଯଦି ମା" ଚାକିରି କରୁନାହାନ୍ତି, ତେବେ କ"ଣ ସେ ପିଲାର କଷ୍ଟଡି ପାଇପାରିବେ ନାହିଁ?
ନା, ଆଇନରେ ରହିଛି ଅନେକ ବ୍ୟବସ୍ଥା।
ତେବେ କେଉଁ ପରିସ୍ଥିତିରେ ମା"ଙ୍କୁ ମିଳିପାରିବ ପିଲାର ଦାୟିତ୍ୱ, ଆସନ୍ତୁ ଜାଣିବା।
ଛାଡ଼ପତ୍ର ପରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ପିଲା କାହା ପାଖରେ ରହିବ?
ଅନେକ ମହିଳାଙ୍କ ମନରେ ଭୟ ଥାଏ, ଯଦି ସେ ରୋଜଗାର କରୁନାହାନ୍ତି, ତେବେ ପିଲାର ଦାୟିତ୍ୱ ତାଙ୍କୁ ମିଳିବ ତ?
ହେଲେ ଭାରତୀୟ ଆଇନ ଅନୁସାରେ, ପିଲାର କଷ୍ଟଡି ନିଷ୍ପତ୍ତି କେବଳ ରୋଜଗାର କିମ୍ବା ଆର୍ଥିକ ସ୍ଥିତି ଆଧାରରେ ହୁଏ ନାହିଁ।
ପିଲାର ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ମାନସିକ ସ୍ଥିତି ଓ ଭାବନାତ୍ମକ ଆବଶ୍ୟକତାକୁ ଅଧିକ ଗୁରୁତ୍ୱ ଦିଆଯାଏ।
ଅର୍ଥାତ୍, ମା" ଚାକିରି କରୁନଥିଲେ ବି ପିଲାର କଷ୍ଟଡି ପାଇପାରିବେ।
ହିନ୍ଦୁ ମାଇନରିଟି ଆଣ୍ଡ ଗାର୍ଜିଆନସିପ୍ ଆକ୍ଟ, ୧୯୫୬ର ଧାରା ୬ ଅନୁସାରେ, ୫ ବର୍ଷରୁ କମ୍ ବୟସର ପିଲାଙ୍କ କଷ୍ଟଡି ସାଧାରଣତଃ ମା"ଙ୍କ ପାଖରେ ରହିବା ଉଚିତ।
ତେବେ ଏହା ମା"ଙ୍କୁ ସବୁ ପରିସ୍ଥିତିରେ କଷ୍ଟଡି ମିଳିବାର ଗ୍ୟାରେଣ୍ଟି ନୁହେଁ।
ଅଦାଲତ ପିଲାର ସର୍ବୋତ୍ତମ ସ୍ୱାର୍ଥକୁ ଆଧାର କରି ନିଷ୍ପତ୍ତି ନିଅନ୍ତି।
ଯଦି ବାପାଙ୍କ ପାଖରେ ରହିବା ଦ୍ୱାରା ପିଲାର ସୁରକ୍ଷା ପ୍ରତି ବିପଦ ରହିଛି, ଦୁର୍ବ୍ୟବହାର ହେଉଛି କିମ୍ବା ଉପଯୁକ୍ତ ଯତ୍ନ ନିଆଯାଉନାହିଁ, ତେବେ ମା" ଅଦାଲତରେ କଷ୍ଟଡି ପାଇଁ ଆବେଦନ କରିପାରିବେ।
ହେଲେ କେବଳ ଅଭିଯୋଗ ନୁହେଁ, ଉପଯୁକ୍ତ ତଥ୍ୟ ଓ ପ୍ରମାଣ ମଧ୍ୟ ଗୁରୁତ୍ୱ ବହନ କରେ।Advertisment IndiaSkills: ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି ସେହିପରି ପିଲା ଯଦି ନିଜ ଇଚ୍ଛା ଜଣାଇବା ଭଳି ବୟସ ଓ ବୁଝିବା ଶକ୍ତି ହାସଲ କରିଥାଏ, ତେବେ ଅଦାଲତ ତା"ର ମତକୁ ମଧ୍ୟ ବିଚାରକୁ ନେଇପାରନ୍ତି।
ହେଲେ ପିଲାର ଇଚ୍ଛା ହିଁ ଶେଷ ନିଷ୍ପତ୍ତି ନୁହେଁ।
ତା"ର ମାନସିକ ସ୍ଥିତି, ପାଠପଢ଼ା ଓ ପାରିବାରିକ ପରିବେଶକୁ ମଧ୍ୟ ଦେଖାଯାଏ।
ହିନ୍ଦୁ ମ୍ୟାରେଜ୍ ଆକ୍ଟର ଧାରା ୨୬ ଅନୁସାରେ, ଅଦାଲତ ପିଲାର କଷ୍ଟଡି, ଭରଣପୋଷଣ ଓ ଶିକ୍ଷା ସମ୍ପର୍କରେ ଆଦେଶ ଦେଇପାରନ୍ତି।
ଆବଶ୍ୟକ ପଡ଼ିଲେ ମାମଲାର ଶେଷ ନିଷ୍ପତ୍ତି ପୂର୍ବରୁ ମଧ୍ୟ ଅନ୍ତରୀଣ କଷ୍ଟଡି ମିଳିପାରେ।
ତେବେ ମା"ଙ୍କୁ ପିଲାର ସ୍ଥାୟୀ କଷ୍ଟଡି ମିଳିଗଲେ ବି ବାପାଙ୍କ ଦେଖା କରିବାର ଅଧିକାର ସବୁବେଳେ ଶେଷ ହୋଇଯାଏ ନାହିଁ।
ପିଲାର ସ୍ୱାର୍ଥକୁ ଦେଖି ଅଦାଲତ ଦେଖାସାକ୍ଷାତ୍, ଫୋନ୍ କିମ୍ବା ଭିଡିଓ କଲ୍ ଏବଂ ଛୁଟିଦିନରେ ସାଙ୍ଗରେ ରହିବା ଭଳି ବ୍ୟବସ୍ଥା କରିପାରନ୍ତି।
ତେବେ ପିଲାର ସୁରକ୍ଷା ପ୍ରତି ବିପଦ ଥିଲେ ଏଥିରେ ସର୍ତ୍ତ ମଧ୍ୟ ରଖାଯାଇପାରେ।
ତେଣୁ ଛାଡ଼ପତ୍ର ସମୟରେ କଷ୍ଟଡିକୁ ନେଇ ଭୟଭୀତ ହେବା ପରିବର୍ତ୍ତେ ଆଇନଗତ ପରାମର୍ଶ ନେବା ଜରୁରୀ।
କାରଣ ଅଦାଲତଙ୍କ ପାଇଁ ସବୁଠୁ ବଡ଼ କଥା ହେଉଛି ବାପା କି ମା", କିଏ ଜିତିଲା ତାହା ନୁହେଁ; ବରଂ ପିଲାର ଭବିଷ୍ୟତ କାହା ପାଖରେ ସୁରକ୍ଷିତ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।