Cuttack Sadar Politics Heats Up: ପିସିକୁ ନେଇ ଆରୋପ-ପ୍ରତ୍ୟାରୋପ: ମୁହାଁମୁହିଁ କଟକ ସଦରର ପୂର୍ବତନ ଓ ବର୍ତ୍ତମାନର ବିଧାୟକ
ପିସି କାରବାରକୁ ନେଇ କଟକ ସଦର ରାଜନୀତିରେ ତେଜିଛି ଆରୋପ-ପ୍ରତ୍ୟାରୋପ। ବର୍ତ୍ତମାନର କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ବିରୋଧରେ ପିସି ନେଉଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା।
ଚନ୍ଦ୍ର ସାରଥୀ ବେହେରାଙ୍କ ଅଭିଯୋଗ ଅନୁସାରେ, କଟକ ସଦର ଅଞ୍ଚଳରେ ବିଧାୟକ ପିସି ନେଉଛନ୍ତି। ଏପରିକି ବାଲିଘାଟରୁ ମଧ୍ୟ ପିସି ଆଦାୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ତେବେ ପୂର୍ବତନ ବିଧାୟକଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ବର୍ତ୍ତମାନର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ। ସେ କହିଛନ୍ତି, ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର ପ୍ରମାଣ ଦିଆଗଲେ ସେ ବିଧାୟକ ପଦରୁ ଇସ୍ତଫା ଦେଇଦେବେ।
ଏହାସହ ପିସି କାରବାରକୁ ନେଇ ପାଲଟା ଅଭିଯୋଗ ମଧ୍ୟ ଆଣିଛନ୍ତି ପ୍ରକାଶ ସେଠୀ। ତାଙ୍କ କହିବାନୁସାରେ, ବିଜେଡି ସରକାର ସମୟରେ ଯେଉଁ ଏଜେନ୍ସିମାନେ କାମ କରୁଥିଲେ, ଏବେ ମଧ୍ୟ ପଞ୍ଚାୟତସ୍ତର ଓ ବାଲିଘାଟରେ ସେହିମାନେ କାମ କରୁଛନ୍ତି। ସେହି ଏଜେନ୍ସିମାନେ ହିଁ ପିସି ନେଉଥିବା ବିଧାୟକ ପାଲଟା ଅଭିଯୋଗ କରିଛନ୍ତି।
ଏଭଳି ଭାବେ ପିସି କାରବାରକୁ ନେଇ କଟକ ସଦରର ପୂର୍ବତନ ଓ ବର୍ତ୍ତମାନର ବିଧାୟକଙ୍କ ମଧ୍ୟରେ ବୟାନବାଜି ତୀବ୍ର ହୋଇଛି। ତେବେ କାହାର ଅଭିଯୋଗ କେତେ ସତ ଏବଂ ଏହାର ପ୍ରମାଣ କ’ଣ, ତାହା ସ୍ପଷ୍ଟ ହେବା ପରେ ହିଁ ପ୍ରକୃତ ଚିତ୍ର ସାମ୍ନାକୁ ଆସିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।