Cyclone Alert in Odisha: ଚାଷୀ ମନରେ `ବାତ୍ୟା' ଛନକା; ସୁନାର ଫସଲ ଧୋଇଯିବା ଭୟରେ ସମୟ ଆଗରୁ କାଟି ପଲାଇଲେ ଫସଲ

Oct 24, 2026 - 20:37
Cyclone Alert in Odisha: ଚାଷୀ ମନରେ `ବାତ୍ୟା' ଛନକା; ସୁନାର ଫସଲ ଧୋଇଯିବା ଭୟରେ ସମୟ ଆଗରୁ କାଟି ପଲାଇଲେ ଫସଲ

ସମ୍ଭାବ୍ୟ ବାତ୍ୟା ଖବର ପରଠୁ କାହାର ଚିନ୍ତା ଥାଉ କି ନଥାଉ, ଅମଳ ସମୟରେ କିନ୍ତୁ ଅନ୍ନଦାତାଙ୍କୁ ଘାରିଛି ଆତଙ୍କ।

କାରଣ ଅମଳ ସମୟରେ ଝଡ଼ ପବନ ଆଉ ବର୍ଷା ଧରି ମାଡ଼ି ଆସୁଛି ବାତ୍ୟା।

ତେଣୁ କାଳେ ଚାଷବାସ ଉଜୁଡ଼ିଯିବ, ସେହି ଆଶଙ୍କାରେ ନିଜ ନିଜର ଫସଲର ସୁରକ୍ଷା ପାଇଁ ଚାଷୀ ଲାଗିପଡ଼ିଛନ୍ତି।

Advertisment ସମ୍ଭାବ୍ୟ ଆନ୍ଧ୍ର ମୁହାଁ ବାତ୍ୟା ଦକ୍ଷିଣ ଓଡ଼ିଶାକୁ ଆଖେଇଥିବାରୁ ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଚାଷବାସ ଉପରେ ପ୍ରଭାବ ପକାଇବାରେ।

ତେଣୁ ସରକାର ମଧ୍ୟ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଗାଡଲାଇନ୍ସ ଜାରି କରିଛନ୍ତି।

କ୍ଷେତରେ ଲହଡ଼ି ଭାଙ୍ଗୁଛି ସୁନାର ଫସଲ, ହେଲେ ମନରେ କିନ୍ତୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଛନକା।

ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା, କିନ୍ତୁ ଏବେ ମୁଣ୍ଡ ଟେକିଥିବା ପ୍ରାକୃତିକ ବିପର୍ଯ୍ୟୟ ଭୟ ବଢ଼ାଇଛି ଫସଲ ପାଇଁ।

ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗାଁର ଚାଷୀ ବୃନ୍ଦାବନ ତ୍ରିପାଠୀ।

ବିହନ, ସାର ଔଷଧ ସହ ଶ୍ରମିକ ଲଗାଇ ୧୦ ଏକରରେ ଧାନ ଚାଷ କରିଛନ୍ତି।

Advertisment କିଛିଦିନ ପରେ ସମ୍ପୂର୍ଣ୍ଣ ପାଚି ଅମଳକ୍ଷମ ହୋଇଥାନ୍ତା।

କିନ୍ତୁ ସେ ଯାଏଁ ଅପେକ୍ଷା କଲେ ଫସଲ ଭାସିଯିବା ଥୟ।

ତେଣୁ ତରତର ହୋଇ କାଟିନେଉଛନ୍ତି।...ସମାନ ଚିତ୍ର କୋରାପୁଟ କୋଟପାଡ଼ ଅଞ୍ଚଳରେ।

ପ୍ରକୃତିର କୋପ ମାଡ଼ି ଆସୁଥିବାରୁ ପ୍ରମାଦ ଗଣୁଥିବା ଚାଷୀ ଫସଲ ସୁରକ୍ଷାରେ ଲାଗିପଡ଼ିଛନ୍ତି।

ନଚେତ ବର୍ଷା ଆଉ ପବନ ମାଡ଼ରେ କ୍ଷେତରେ ବତୁରି ନଷ୍ଟ ହୋଇଯିବ ଧାନ।

ଖାଲି ଧାନ କାହିଁକି, ଭଲ ରୋଜଗାର ଦେଇପାରୁଥିବା ମକା ଓ କପା ଚାଷୀଙ୍କୁ ବି ଘାରିଛି ଭୟ।

ସାରା ଏସିଆରେ ମକା ଚାଷ କ୍ଷେତ୍ରରେ ସ୍ବତନ୍ତ୍ର ନାଁ କରିଛି ନବରଙ୍ଗପୁର ଜିଲ୍ଲା।

ବିଶେଷ କରି ଏବର୍ଷ ଝରିଗାଁ ଅଞ୍ଚଳରେ ଭଲ ମକା ଚାଷ ହୋଇଛି।

କିନ୍ତୁ ଦୁର୍ଭାଗ୍ୟ, ସମ୍ଭାବ୍ୟ ବାତ୍ୟା ଯୋଗୁ ଏଥର କ୍ଷତି ସହିବା ଥୟ।

ରାୟଗଡ଼ା ଦୁମାଗୁଡ଼ା ଗାଁର ଚାଷୀ ଦାମ ମାଣ୍ଡାଙ୍ଗି।

ସାଢ଼େ ୩ ଏକର ଜମିରେ କପା ସହ ଧାନ ଚାଷ କରିଛନ୍ତି।

ଚାଷରୁ ମିଳୁଥିବା ଆୟରେ ପରିବାର ଚଳୁଛି।

ଏବେ ସମ୍ଭାବ୍ୟ ବାତ୍ୟା କିନ୍ତୁ ଚିନ୍ତା ବଢ଼ାଇ ଦେଇଛି।

ସେହିପରି ରାମନାଗୁଡ଼ା ଅଞ୍ଚଳର କପା ଚାଷୀ ବି ଚିନ୍ତାରେ।

କାରଣ କପା ଗଛରେ ଏବେ ଫୁଲ ଫୁଟିବା ଆରମ୍ଭ କରିଛି।

ଏଭଳି ସ୍ଥିତିରେ ବର୍ଷା ସହ ଯଦି ପବନ ବହେ, ତାହେଲେ ବର୍ବାଦ ହେବା ଥୟ।

ଏଣେ ମକାର ଅମଳ ସମୟ ହେଲାଣି।

ବର୍ଷା ଯଦି ହୁଏ, ନଷ୍ଟ ହେବା ସୁନିଶ୍ଚିତ।

ତେଣୁ ବଡ଼ କ୍ଷତି ହେବା ଆଗରୁ ଚାଷୀ ଲାଗିପଡ଼ିଛନ୍ତି ତୋଳି ଘରକୁ ନେଇଯିବାକୁ।

ମକା ହେଉ କି କପା, ଧାନ ହେଉ କି ଅନ୍ୟ ଶସ୍ୟ ଜାତୀୟ ଫସଲ।

ଅମଳ ସମୟରେ ସମ୍ଭାବ୍ୟ ବାତ୍ୟାରୁ କେମିତି ସୁରକ୍ଷା ଦିଆଯାଇପାରିବ, ସେନେଇ ଆଜି ବିଭାଗୀୟ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି.ସିଂଦେଓ।

ତାସହ ଚାଷୀଙ୍କୁ ବିଭାଗ ପକ୍ଷରୁ ଦିଆଯାଇଛି ପରାମର୍ଶ।

ଧାନ ପାଚିଥିଲେ ଅମଳ କରି ଘୋଡ଼େଇ ରଖିବାର ବ୍ୟବସ୍ଥା କରିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପାଚି ନଥିଲେ ଅମଳ କରିବାକୁ ବାରଣ କରାଯାଇଛି।

ଜିଲ୍ଲା କୃଷି ଅଧିକାରୀ ଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରି କୃଷି ବିଭାଗ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି।

ଗୋଟିଏ ପଟେ ଫସଲ ଅମଳର ଆଶା, ଅନ୍ୟପଟେ ପ୍ରକୃତିର ପ୍ରକୋପର ଭୟ।

ଏଭଳି ସ୍ଥିତିରେ ଚାଷୀଙ୍କ ଏକମାତ୍ର ପ୍ରାର୍ଥନା, ବାତ୍ୟା ଟଳିଯାଉ, ସୁରକ୍ଷିତ ରହୁ ବର୍ଷକର ଆହାର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।