Odisha Cyclone Preparedness: ଆସୁଛି ବାତ୍ୟା, ଆକ୍ସନ ମୋଡରେ ସରକାର; ସାଇକ୍ଲୋନ ମୁକାବିଲାରେ ଲକ୍ଷ୍ୟ ଜିରୋ କାଜୁଆଲଟି
ସମୁଦ୍ରରେ ସୃଷ୍ଟି ହୋଇଛି ବାତ୍ୟାର ବଳୟ।
ସମ୍ଭାବ୍ୟ ସାଇକ୍ଲୋନ୍ ଅର୍ଣ୍ଣବକୁ ନେଇ ଆଲର୍ଟରେ ରାଜ୍ୟ ସରକାର।
ଆଜି ସରକାରୀ ଛୁଟି ଥିଲେ ବି ଲୋକସେବା ଭବନରେ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ।
ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Advertisment ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପବନ ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏସବୁ ଜିଲ୍ଲାରେ ୨୮ ଓ ୨୯ରେ ବନ୍ଦ ରହିବ ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର।
ସାଇକ୍ଲୋନ୍ ୱାର ରୁମରେ ବସି ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଆଜି ସରକାରୀ ଛୁଟି ସତ୍ତ୍ବେ ଲୋକସେବା ଭବନରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ଏସଆରସି ଓ ବରିଷ୍ଠ ଅଧିକାରୀଙ୍କ ସହ କରିଥିଲେ ଆଲୋଚନା।
ବାତ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କର ଗୋଟିଏ ଲକ୍ଷ୍ୟ ଜିରୋ କାଜୁଆଲିଟି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ।
ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଉପରେ ସ୍ୱତନ୍ତ୍ର ନଜର ରହିବ।
Advertisment ୨୮ ଓ ୨୯ରେ ଏହି ୫ ଜିଲ୍ଲାର ସବୁ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।
ଅନ୍ୟ ଜିଲ୍ଲାରେ ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ।
ପ୍ରସ୍ତୁତ ରଖାଯାଇଛି ବାତ୍ୟା ଆଶ୍ରୟସ୍ଥଳୀ।
ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସେଭଳି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଗୋଟିଏ ପଟେ ବାତ୍ୟା ମୁକାବିଲା ତୟାରି, ଅନ୍ୟପଟେ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ସଜାଗ ଉଦ୍ଧାରକାରୀ ଟିମ୍।
ବାତ୍ୟା ଆସିବା ପୂର୍ବରୁ ଓ ଛାଡ଼ିବା ପରେ, ସବୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସରକାର ବ୍ଲୁ-ପ୍ରିଣ୍ଟ କରିସାରିଲେଣି।
ପ୍ରାୟ ୬୦ଟି ଓଡ୍ରାଫ୍, ୧୭ ଏନଡିଆରଏଫ୍ ଓ ୨୨୫ଟି ଅଗ୍ନିଶମ ଦଳକୁ ପ୍ରସ୍ତୁତ ରଖାଯାଇଛି।
ରୋଗୀ, ଗର୍ଭବତୀ ମହିଳା ଓ ଅନ୍ୟ ଅସହାୟଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି।
ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବ।ବାତ୍ୟା ପରେ କେବଳ ଉଦ୍ଧାର ନୁହେଁ, ଯେପରି ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ନହୁଏ, ତାଉପରେ ଦିଆଯାଇଛି ଗୁରୁତ୍ବ।
ସେହିପରି ସାପ କାମୁଡ଼ା ଚିକିତ୍ସା ପାଇଁ ଔଷଧ, ଇଞ୍ଜେକ୍ସନ୍ ଓ ଆବଶ୍ୟକ କିଟ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ସତର୍କ ସୂଚନା ଜାରି ହୋଇଛି।
ଚାଷୀଙ୍କୁ ଅମଳ ଫସଲକୁ ଆଗୁଆ କାଟି ସୁରକ୍ଷିତ ରଖିବାକୁ ଦିଆଯାଇଛି ପରାମର୍ଶ।
ସମସ୍ତ ବିଭାଗ ଭିତରେ ସମନ୍ୱୟ ରଖି ସାମୂହିକ ଭାବେ ବିପର୍ଯ୍ୟୟର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଓ ୧୬ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଗୋଟିଏ ପଟେ ସମୁଦ୍ର ଉପରେ ନଜର, ଅନ୍ୟପଟେ ଜନଜୀବନର ସୁରକ୍ଷା ପାଇଁ ସଜବାଜ।
ଏବେ ସମସ୍ତଙ୍କ ନଜର ବାତ୍ୟାର ଗତିପଥ ଓ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନ ଉପରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।