Dara: ଦାରାଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ
ଭୁବନେଶ୍ୱର: ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନକୁ ଓଡ଼ିଶା ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ଅଗଷ୍ଟ ୩୧ରେ ଅନୁଷ୍ଠିତ ରାଜ୍ୟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ସ୍ବତନ୍ତ୍ର ସମୀକ୍ଷା ବୈଠକରେ ତାଙ୍କୁ ଏବେ ମୁକ୍ତି ନ ଦେବାକୁ ନିଷ୍ପତ୍ତି ହୋଇଛି। ତେବେ ଅଗଷ୍ଟ ୧୯ ତାରିଖର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୩୧ ତାରିଖ ସନ୍ଧ୍ୟାରେ ରାଜ୍ୟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ଏକ ଜରୁରୀ ସ୍ୱତନ୍ତ୍ର ବୈଠକ କରାଯାଇଥିଲା। ଏଥିରେ ରାଜ୍ୟ ଆଇନ ସଚିବ ପବିତ୍ର ମୋହନ ସାମଲ, ଖୋର୍ଦ୍ଧାଜିଲ୍ଲା ଦୌରାଜଜ୍ ବିରଞ୍ଚି ନାରାୟଣ ମହାନ୍ତି, କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ପରେଶ ଚନ୍ଦ୍ର ମିଶ୍ର ଓ ଜେଲ୍ ଡିଜି ତଥା ବୋର୍ଡ ସଦସ୍ୟ ସଚିବ ସୁଶାନ୍ତ କୁମାର ନାଥ ଉପସ୍ଥିତ ରହି ଦାରା ସିଂହଙ୍କ ପୂରା ଫାଇଲ୍ ସମୀକ୍ଷା କରିଥିଲେ।
Sex Racket Busted: ଲାଗିଥିଲା ଅବସରପ୍ରାପ୍ତ ପୁଲିସ ଇନ୍ସପେକ୍ଟର ନାମଫଳକ, ଚାଲିଥିଲା ଦେହ ବ୍ୟବସାୟ
ସମୀକ୍ଷା ବେଳେ ଆଶଙ୍କା କରାଯାଇଥିଲା ଯେ ଦାରା ସିଂହ ମୁକୁଳିଲେ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି ହେବ। କାରଣ କେନ୍ଦୁଝର ଜିଲ୍ଲା ପ୍ରଶାସନ ଚିଠି ସ୍ପଷ୍ଟ କରିଥିଲା ଯେ ଗତ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ‘ଦାରା ସେନା’ର ପ୍ରାୟ ୨୫୦ ଜଣ ଉତ୍ତେଜିତ ସମର୍ଥକ କେନ୍ଦୁଝର ଜିଲ୍ଲା ଜେଲ୍ ସମ୍ମୁଖରେ ଏକତ୍ରିତ ହୋଇ ଦାରାଙ୍କ ସମ୍ଭାବ୍ୟ ମୁକ୍ତି ସପକ୍ଷରେ ଉତ୍ତେଜନାମୂଳକ ସ୍ଲୋଗାନମାନ ଦେଇଥିଲେ। ଏହାଛଡ଼ା ପୂର୍ବରୁ ମଧ୍ୟ ସାମାଜିକ ଅଶାନ୍ତି ଯୋଗୁଁ ଗତ ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ପାଞ୍ଚ ଥର ତାଙ୍କ ମୁକ୍ତି ଆବେଦନକୁ ବୋର୍ଡ ଖାରଜ କରିଥିଲା। ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସାମାଜିକ ଶାନ୍ତି ବିଗିଡ଼ିବାର ଆଶଙ୍କା କରି ରିଭ୍ୟୁ ବୋର୍ଡ ଅଗଷ୍ଟ ୩୧ ତାରିଖରେ ଦାରା ସିଂହଙ୍କୁ ଖଲାସ ନ କରିବାକୁ ନିଷ୍ପତ୍ତି ନେଇ ଆବେଦନକୁ ଖାରଜ କରିଥିଲେ। ଆଉ ଏହି ବୈଠକ ସଂକ୍ରାନ୍ତ ବିବରଣୀକୁ ମଧ୍ୟ ସେପ୍ଟେମ୍ବର ୫ ତାରିଖରେ ଜେଲ୍ ଡିଜି ଶ୍ରୀ ନାଥ ଚିଠି ମାଧ୍ୟମରେ ଗୃହ ସଚିବ, ଆଇନ ସଚିବ, କ୍ରାଇମବ୍ରାଞ୍ଚ ଆଇଜି, ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ଜିଲ୍ଲା ଜଜ୍ଙ୍କୁ ଅବଗତ କରାଇଥିଲେ।
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍ ଗେଟ୍ସ
ରୋଚକ ବିଷୟ ହେଲା, ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନକୁ ରିଭ୍ୟୁ ବୋର୍ଡ ଅଗଷ୍ଟ ୩୧ ତାରିଖରେ ଖାରଜ କରି ସେପ୍ଟେମ୍ବର ୫ ତାରିଖରେ ସମସ୍ତ ସଦସ୍ୟଙ୍କୁ ଅବଗତ କରିସାରିଥିଲେ ସୁଦ୍ଧା ସେପ୍ଟେମ୍ବର ୮ ତାରିଖ ଶୁଣାଣିବେଳେ ରାଜ୍ୟ ସରକାରଙ୍କ ଓକିଲ ଏ ବିଷୟରେ କୋର୍ଟକୁ ଜଣାଇ ପାରି ନଥିଲେ। ଅସୁସ୍ଥ ଥିବା ଦର୍ଶାଇ ସରକାରୀ ଓକିଲ ସମୟ ମାଗିଥିଲେ। ଦୁଇ ବର୍ଷ ଧରି ମାମଲାକୁ ଏଭଳି ଝୁଲାଇ ରଖାଯାଇଥିବାରୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ମନୋଜ ମିଶ୍ର ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ତୁରନ୍ତ ନିଷ୍ପତ୍ତି ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନଚେତ୍ ସେପ୍ଟେମ୍ବର ୧୭ ତାରିଖରେ ଶୁଣାଣି ସମୟରେ ସଚିବଙ୍କୁ କାଠଗଡ଼ାକୁ ଭିଡ଼ିବୁ ବୋଲି କଡ଼ା ଭାଷାରେ ଜଣାଇଥିଲେ। ପ୍ରକାଶଥାଉକି, ୧୯୯୯ ମସିହା ଜାନୁଆରିରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଅଷ୍ଟ୍ରେଲୀୟ ମିସନାରି ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅ ଫିଲିପ୍ ଓ ଟିମୋଥିଙ୍କୁ ଗାଡ଼ି ଭିତରେ ଶୋଇଥିବା ବେଳେ ଜୀବନ୍ତ ଜାଳି ଦିଆଯାଇଥିଲା। ଏହି ମାମଲାରେ ଦାରା ସିଂହ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ପ୍ରାୟ ୨୫ ବର୍ଷ ଜେଲ୍ରେ ରହିଥିବା ଦର୍ଶାଇ ଦାରା ସିଂହ ଆଗୁଆ ମୁକ୍ତି ପାଇଁ ଆବେଦନ କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଆବେଦନ ଉପରେ ନିଷ୍ପତ୍ତି ନେବାକୁ କହିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।