Daughter’s Remarks Prove Costly for Mother: ଝିଅର ମନ୍ତବ୍ୟ ମାଆ ପାଇଁ ପଡିଲା ମହଙ୍ଗା, ସିଧା ମନ୍ତ୍ରୀପଦରୁ ବିଦା
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଗୁରୁବାର ତାଙ୍କ କ୍ୟାବିନେଟ୍ ସହଯୋଗୀ କୋଣ୍ଡା ସୁରେଖାଙ୍କୁ ତତ୍କାଳ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳା ନେତ୍ରୀଙ୍କ ଝିଅ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କ ବିରୋଧରେ କରିଥିବା ମନ୍ତବ୍ୟକୁ ନେଇ ବିବାଦ ଚାଲିଥିବା ମଧ୍ୟରେ ଏହି ନିଷ୍ପତ୍ତି ଆସିଛି।
ଏନେଇ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲାଙ୍କ ନିକଟକୁ ସୁରେଖାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବା ପାଇଁ ସୁପାରିସ ପଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ସୁରେଖା ତେଲେଙ୍ଗାନାର ଜଙ୍ଗଲ ଓ ଦେବୋତ୍ତର ବିଭାଗର ମନ୍ତ୍ରୀ ଥିଲେ। ତାଙ୍କ ଝିଅ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଦେଇଥିବା କଡ଼ା ମନ୍ତବ୍ୟ ପରେ ସୁରେଖା ବିବାଦର କେନ୍ଦ୍ରରେ ରହିଥିଲେ। ଏହାକୁ ନେଇ ଶାସକ ଦଳର ବିଧାୟକ ଓ କର୍ମକର୍ତ୍ତାମାନେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ସୁରେଖାଙ୍କୁ କ୍ୟାବିନେଟରୁ ବାଦ ଦେବା ସହିତ ଜି. ଚିନ୍ନା ରେଡ୍ଡୀଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦିଆଯାଇଥିବା ନିଯୁକ୍ତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ରଦ୍ଦ କରିଛନ୍ତି।
ଗତ କିଛି ଦିନ ଧରି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ତାଙ୍କ ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟି ବିକ୍ରମାର୍କା ଏବଂ ରାଜ୍ୟ କଂଗ୍ରେସ ସଭାପତି ବି. ମହେଶ କୁମାର ଗୌଡ଼, ଦଳର ଜାତୀୟ ନେତୃତ୍ୱ—କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କେ.ସି. ବେଣୁଗୋପାଳଙ୍କ ସମେତ ଅନ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି।
ଏହା ପୂର୍ବରୁ କଂଗ୍ରେସର ରାଜ୍ୟ ଶୃଙ୍ଖଳା କମିଟି ସୁରେଖା ଓ ଚିନ୍ନା ରେଡ୍ଡୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦଳୀୟ ନେତୃତ୍ୱକୁ ସୁପାରିଶ କରିଥିଲା। ସୁରେଖା ମଧ୍ୟ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଦଳର ରାଜ୍ୟ ପ୍ରଭାରୀ ମୀନାକ୍ଷୀ ନଟରାଜନଙ୍କୁ ଭେଟି ନିଜ ପକ୍ଷ ରଖିଥିଲେ।
ବୁଧବାର ସାମ୍ବାଦିକମାନଙ୍କୁ ସୁରେଖା କହିଥିଲେ ଯେ, ସେ ଦଳୀୟ ନେତୃତ୍ୱଙ୍କୁ ତାଙ୍କୁ କ୍ୟାବିନେଟରେ ରଖିବାକୁ ଅନୁରୋଧ କରିଥିଲେ। ସେ ଜଣେ ମନ୍ତ୍ରୀ ଭାବେ ଭଲ କାମ କରୁଥିବା ଏବଂ ତାଙ୍କ ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ନଥିବା ମଧ୍ୟ ଦାବି କରିଥିଲେ।
ମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାଙ୍କ ବିରୋଧରେ ଝିଅଙ୍କ ମନ୍ତବ୍ୟକୁ ସୁରେଖା ନିନ୍ଦା କରିନଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନେବାକୁ କିଛି କଂଗ୍ରେସ ବିଧାୟକ ଦାବି କରିଥିଲେ। ଏହା ଉପରେ ସୁରେଖା କହିଥିଲେ ଯେ, କୌଣସି ବିଧାୟକ ନିଜ ଇଚ୍ଛାରେ ଏହି ଦାବି କରିନଥିଲେ; ସେମାନଙ୍କ ପଛରେ “କେହି ଜଣେ” ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।