Dead: ଘର ପାଖରେ ଖେଳୁ ଖେଳୁ ଗାଡ଼ିଆକୁ ଚାଲିଗଲା କୁନି ମୋହିତ, ଡାକ୍ତରଖାନାରେ ମୃତ

Oct 19, 2026 - 19:35
Dead: ଘର ପାଖରେ ଖେଳୁ ଖେଳୁ ଗାଡ଼ିଆକୁ ଚାଲିଗଲା କୁନି ମୋହିତ, ଡାକ୍ତରଖାନାରେ ମୃତ

"ବୈଶିଙ୍ଗା (ଦୀପକ କୁମାର ସିଂହ): ଘର ଅଗଣାରେ ଖେଳୁଥିଲା କୁନି ପୁଅ।

କେହି କିଛି ବୁଝିବା ଆଗରୁ ଘଟିଗଲା ଅଘଟଣ।

ଯେଉଁ ଘରେ ଶୁଭୁଥିଲା ଶିଶୁର କୁଆଁ କୁଆଁ ଡାକ, ସେଠାରେ ଏବେ ଖେଳିଯାଇଛି ନୀରବତା।

ମାତ୍ର ବର୍ଷକର ଶିଶୁପୁତ୍ରକୁ ହରାଇ ପରିବାରରେ ଖେଳିଯାଇଛି ଗଭୀର ଶୋକର ଛାୟା।

ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମେର୍ଦା ପଞ୍ଚାୟତର କୁସୁମପୁରା ଗାଁରେ।Advertisment କୁସୁମପୁରା ଗ୍ରାମର ରଘୁ ମୁର୍ମୁଙ୍କ ଏକ ବର୍ଷର ଶିଶୁପୁତ୍ର ମୋହିତ ଘର ପାଖରେ ଖେଳୁଥିଲା।

ଏହି ସମୟରେ ବାପା ରଘୁ କିଛି ସମୟ ପାଇଁ ଗାଁ ଭିତରକୁ ଯାଇଥିବା ବେଳେ ମାଆ ଫୁଲ ମୁର୍ମୁ ଘର କାମରେ ବ୍ୟସ୍ତ ଥିଲେ।

ତେବେ ରଘୁ ଫେରି ଆସି ପୁଅକୁ ଖେଳୁଥିବା ସ୍ଥାନରେ ନପାଇବାରୁ ପତ୍ନୀଙ୍କୁ ଡାକି ଏଣେତେଣେ ଖୋଜାଖୋଜି କରିଥିଲେ।

କିଛି ସମୟର ଖୋଜାଖୋଜି ପରେ ଘର ନିକଟସ୍ଥ ଗାଡ଼ିଆ ପାଣିରେ ମୋହିତ ଭାସୁଥିବା ଦେଖିବାକୁ ପାଇଥିଲେ।

ତୁରନ୍ତ ତାକୁ ଉଦ୍ଧାର କରି ପରିବାର ଲୋକେ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ।

ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ଶିଶୁପୁତ୍ର ମୋହିତକୁ ମୃତ ଘୋଷଣା କରିଥିଲେ।

କୁନି ପୁଅର ମୃତ୍ୟୁ ଖବର ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଇଛି।

ଯେଉଁ ମାଆର କୋଳରେ ଖେଳିବା କଥା, ସେହି କୋଳ ଆଜି ପୁଅକୁ ହରାଇ ଶୂନ୍ୟ ହୋଇଯାଇଛି।

ପୁଅକୁ ହରାଇ ମାଆ ଫୁଲ ମୁର୍ମୁ କାନ୍ଦି କାନ୍ଦି ଭାଙ୍ଗି ପଡ଼ିଥିବା ବେଳେ ବାପା ରଘୁ ମୁର୍ମୁ ମଧ୍ୟ ଧୈର୍ଯ୍ୟ ହରାଇ ପଡ଼ିଛନ୍ତି।

ଏହି ଘଟଣା ସମଗ୍ର ଗାଁରେ ଶୋକର ବାତାବରଣ ସୃଷ୍ଟି କରିଛି।

ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀର ସହ ସଂଘର୍ଷ ପରେ ବାପାଙ୍କ ଜୀବନ ବଞ୍ଚାଇଲା କୁନି ପୁଅ ଅନ୍ୟପକ୍ଷରେ, ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ଶିଶୁର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ଗୋଟିଏ ମୁହୂର୍ତ୍ତର ଅସାବଧାନତା ଯେ ଏକ ପରିବାରର ହସଖୁସିକୁ ଏଭଳି ଦୁଃଖରେ ପରିଣତ କରିଦେବ, ତାହା କେହି କଳ୍ପନା କରିନଥିଲେ।

କୁନି ମୋହିତର ଅକାଳ ବିୟୋଗରେ କୁସୁମପୁରା ଗାଁରେ ଖେଳିଯାଇଛି ଗଭୀର ଶୋକର ଛାୟା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।