Dead Man Listed as Recovering: ମୃତ୍ୟୁର ୪୨ ଦିନ ପରେ ଆସିଲା ‘ସୁସ୍ଥ ହେଉଛନ୍ତି’ ମେସେଜ୍!
ମଲା ଲୋକକୁ ବଞ୍ଚାଇ ଦେଲା ଆୟୁଷ୍ମାନ ଭାରତ ! ସ୍ତ୍ରୀ ପାଖକୁ ଆସିଲା ସ୍ବାମୀର ଜୀବିତ ଖବର । ଫୋନକୁ ଆସିଲା ମେସେଜ୍ ଆପଣ ସୁସ୍ଥ ହେଉଛନ୍ତି, ଘରକୁ ଫେରୁଛନ୍ତି । ପ୍ରଶାସନିକ ସ୍ତରରେ ଏବଂ ସରକାରୀ କର୍ମଚାରୀଙ୍କ କେତେ ଅବହେଳା ଇଏ ହେଉଛି ତା’ର ଜ୍ବଳନ୍ତ ଉଦାହରଣ । ମୃତ୍ୟୁର ୪୨ ଦିନ ପରେ ଜଣେ ପୋଲିସ କନଷ୍ଟେବଳଙ୍କ ମୋବାଇଲ୍କୁ ଆପଣ ସୁସ୍ଥ ହେଉଛନ୍ତି, ଘରକୁ ଫେରୁଛନ୍ତି’ ବୋଲି ଆୟୁଷ୍ମାନ ଭାରତ ବାର୍ତ୍ତା ପଠାଇଛି ।
ଛତିଶଗଡ଼ର ସୁରଗୁଜା ଜିଲ୍ଲାର ଏହି ଘଟଣା ରୋଗୀଙ୍କ ରେକର୍ଡ ପରିଚାଳନା ଏବଂ ସରକାରୀ ସ୍ୱାସ୍ଥ୍ୟ ଯୋଜନାର ତଥ୍ୟ ଅପଡେଟ୍କୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି ।
କନଷ୍ଟେବଳ ଦେବ ନାରାୟଣ ରାମଙ୍କୁ ଜୁନ୍ ୨୬ରେ ଅମ୍ବିକାପୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜୁନ୍ ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଦେବ ନାରାୟଣଙ୍କ ମୃତଦେହ ଆଣିବା ସହ ଶେଷକୃତ୍ୟ ମଧ୍ୟ ସାରିଥିଲା ।
ଏମିତିକି ପରିବାର ଲୋକେ ସରକାରୀ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ପାଇଥିଲେ । କିନ୍ତୁ ୪୨ ଦିନ ପରେ ତାଙ୍କ ପତ୍ନୀ ସୀମା କୁଜୁରଙ୍କ ଫୋନ୍କୁ ଆସିଥିବା ଏକ ହ୍ୱାଟସଆପ୍ ମେସେଜ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମେସେଜରେ ଲେଖାଥିଲା, ଆୟୁଷ୍ମାନ ଭାରତ କାର୍ଡ ବ୍ୟବହାର କରିଥିବାରୁ ଆପଣଙ୍କୁ ଧନ୍ୟବାଦ; ଦେବ ନାରାୟଣ ସୁସ୍ଥ ହେଉଛନ୍ତି ଏବଂ ଘରକୁ ଫେରୁଛନ୍ତି ।
ଏହି ଘଟଣାକୁ ନେଇ ଦେବ ନାରାୟଣଙ୍କ ପତ୍ନୀ ସୀମା ଗଭୀର ମନସ୍ତାପ କରିଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ଏପରି ବାର୍ତ୍ତା ତାଙ୍କୁ ଗଭୀର ବିଚଳିତ କରିଛି ବୋଲି କହିଛନ୍ତି ସୀମା । ସେ ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ ସହ ଦାୟୀ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନ୍ୟପକ୍ଷରେ ଅମ୍ବିକାପୁର ମେଡିକାଲ ହସ୍ପିଟାଲ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଡାକ୍ତରଙ୍କ କହିବା ଅନୁଯାୟୀ, ହସ୍ପିଟାଲ ପକ୍ଷରୁ ରୋଗୀଙ୍କ ରେକର୍ଡ ବନ୍ଦ କରିବାରେ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିଳମ୍ବକୁ ଦାୟୀ କରାଯାଇଛି । ଘଟଣା ପରେ ସମ୍ପୃକ୍ତ ଅପରେଟରଙ୍କୁ ଆୟୁଷ୍ମାନ ସମ୍ବନ୍ଧୀୟ କାର୍ଯ୍ୟରୁ ହଟାଇ ଦିଆଯାଇଥିବା ମଧ୍ୟ ହସ୍ପିଟାଲ କହିଛି ।
ଏହି ଘଟଣାରେ ଅର୍ଥ ଅନିୟମିତତା ହୋଇଛି କି ନାହିଁ ? ନା କେବଳ ରେକର୍ଡ ଅପଡେଟ୍ରେ ଗୁରୁତର ତ୍ରୁଟି ଘଟିଛି ? ତାହାର ନିରପେକ୍ଷ ତଦନ୍ତ ହିଁ ଏବେ ମୁଖ୍ୟ ପ୍ରଶ୍ନ । ତେବେ ଏପରି ଘଟଣା ସରକାରୀ ସ୍ୱାସ୍ଥ୍ୟ ଯୋଜନାର ତଥ୍ୟ ପରିଚାଳନା ବ୍ୟବସ୍ଥାକୁ ପଦାରେ ପକାଇଦେଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।