Deep Depression Rain Damage Across Southern Odisha: ଗଭୀର ଅବପାତର ଭୀଷଣ ପ୍ରଭାବ, ତିନି ଦିନର ବର୍ଷାରେ ଦକ୍ଷିଣ ଓଡ଼ିଶା ବେହାଲ
ଆଇଏମଡି ଯାହା ପୂର୍ବାନୁମାନ କରିଥିଲା, ତାହା ହିଁ ହେଲା। ପବନ କମ୍ ବହିଲା, ହେଲେ ଅଧିକ ବର୍ଷିଲା। ତିନି ଦିନ ଧରି ବର୍ଷିଛି, ଆହୁରି ବର୍ଷା ଲାଗି ରହିଛି। ଗଭୀର ଅବପାତ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ହାଲ୍ ବେହାଲ ପୁରା ଦକ୍ଷିଣ ଓଡ଼ିଶାର। କେଉଁଠି ଭୂସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ତ ଆଉ କେଉଁଠି ଉପୁଡ଼ି ପଡିଛି ବିରାଟକାୟ ଗଛ। ବିଜୁଳି ସେବା ବି ଠପ୍ ହୋଇଯାଇଛି। ରାୟଗଡା, କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ଭୁଶୁଡି ପଡିଛି କଚ୍ଚା ଘର। ଏବେବି ବର୍ଷା ଲାଗି ରହିଥିବାରୁ ସମସ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି।
ବଡ଼ ବର୍ଷା ଆଣିଛି ବଡ଼ ବିପତ୍ତି। ପାହାଡରୁ ଧୋଇ ନେଇଛି ବିରାଟ ଗାର୍ଡ ୱାଲ୍। ଚିତ୍ର କନ୍ଧମାଳ କଳିଙ୍ଗା ଘାଟିର। ଯାହା ଆଶଙ୍କା କରାଯାଉଥିଲା ତାହା ହୋଇଛି। ଲଗାଣ ବର୍ଷାରେ ଘଟିଛି ଭୂସ୍ଖଳନ। ଭୁଶୁଡି ପଡ଼ିଛି ପ୍ରାୟ ୨ଶହ ମିଟର ପର୍ଯ୍ୟନ୍ତ ନିର୍ମାଣ କାମ। ଅନ୍ଧାରକୋଟର ବନଦୁର୍ଗା ମନ୍ଦିର ନିକଟରେ ତିନି ବର୍ଷ ହେଲା ଚାଲିଥିଲା ପ୍ରକଳ୍ପ କାମ। ଖର୍ଚ୍ଚ ହୋଇଥିଲା ପ୍ରାୟ ୨୫ କୋଟି ଟଙ୍କା। ହେଲେ ଗୋଟିଏ ବର୍ଷା ସବୁ ମାଟିରେ ମିଶାଇଦେଇଛି। ପାଣିରେ ସଂପୂର୍ଣ୍ଣ ଧୋଇଯାଇଛି ପଥରରେ ତିଆରି ପାଚେରୀ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି। ବଡ ବିପଦ ଆଣିଛି ଲଗାଣ ବର୍ଷା। ୧୬ ନମ୍ବର ଜାତୀୟ ରାଜପଥରେ ପାହାଡ଼ରୁ ଖସିଛି ବିରାଟକାୟ ପଥର। ଫଳରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି। NHରେ ଅଟକିଛି ବହୁ ଗାଡ଼ି। ବର୍ଷା ଲାଗି ରହିଥିବାରୁ ଆହୁରି ବଢିଛି ଭୂସ୍ଖଳନ ଆଶଙ୍କା। ସେପଟେ ଗଜପତି ମୋହନାରେ ବି ଭୂସ୍ଖଳନ। ଲଗାଣ ବର୍ଷାରେ ପୁଣି ଖସିଛି ବିରାଟକାୟ ପଥର l ବିରିକୋଟ ପଂଚାୟତ ସାପଶିଳା ଘାଟିରେ ପାହାଡ଼ରୁ ପଥର ଖସି ରାସ୍ତା ଉପରେ ପଡିଛି। ବିରିକୋଟରୁ ହରଭଙ୍ଗା ଡ୍ୟାମ ଓ ଗୁରୁଝୋଳି ପଂଚାୟତକୁ ଠପ୍ ହୋଇଯାଇଛି ଯାତାୟତ। ମାଲକାନଗିରି ଜିଲ୍ଲାର ବାୟାପଡ଼ା ଘାଟିରେ ଭୂସ୍ଖଳନ ପରେ ଉପୁଡି ପଡିଛି ଗଛ। ବର୍ଷା ଲାଗି ରହିଥିବାରୁ ଘାଟି ଅଞ୍ଚଳ ଉପରେ ସତର୍କ ନଜର ରଖିଛନ୍ତି ପ୍ରଶାସନ ଓ ଅଗ୍ନିଶମ ଟିମ୍।
ତିନି ଦିନର ଲଗାଣ ବର୍ଷା, କ୍ଷୟକ୍ଷତିକୁ ଦେଖି ହେଉନି। କେଉଁଠି ପଥର ପଡିଛି ଆଉ କେଉଁଠି ଉପୁଡି ପଡିଛି ବର୍ଷ ବର୍ଷ ଧରି ଠିଆ ହୋଇଥିବା ମଜଭୁୁତ ଗଛ। ରାୟଗଡ଼ା ସଦର ବ୍ଲକ ଶେଷଖାଲ ଥାନା ନିକଟରେ ଗଛ ପଡ଼ି ରାୟଗଡ଼ା-ଆନ୍ଧ୍ରପ୍ରଦେଶ ଯାତାୟତ ଠପ୍ ହୋଇଯାଇଛି। ଗଛ କାଟି ରାସ୍ତା ସଫା କରିବାରେ ଲାଗିଛି ଅଗ୍ନିଶମ ବାହିନୀ। ସେପଟେ ରାୟଗଡ଼ା-କୋରାପୁଟ ରେଳ ଲାଇନ ଟନେଲ୍ ନମ୍ବର ୩ ନିକଟରେ ଭୂସ୍ଖଳନ ଯୋଗୁଁ ରେଳ ଧାରଣା ଉପରେ ଧସେଇ ପଡିଛି ମାଟି, ପ୍ରଭାବିତ ହୋଇଛି ରେଳସେବା। ଗଜପତି ଜିଲ୍ଲା ଗୁମ୍ମାରେ ଧରାଶାୟୀ ବଡ଼ ବଡ଼ ଗଛ। ବିଦ୍ୟୁତ ତାର ବି ଛିଡିପଡିଛି। ବୃଷଭ ପଞ୍ଚାୟତ ଜୁରବୁଡ଼ି ଏବଂ ତୁମୁଲ ପଞ୍ଚାୟତର ବୁରୁସିଂ ଗାଁ ନିକଟରେ ତାର ଉପରେ ଗଛ ଭାଙ୍ଗି ପଡ଼ିଥିବାରୁ ଅନ୍ଧାରରେ ଅନେକ ଗାଁ। ବର୍ଷାରେ ଅଧିକ ପ୍ରଭାବିତ ହୋଇଛି କୋରାପୁଟ। ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ୍ ମାଣ୍ଡିଆଗୁଡାରେ ମାଟିରେ ଲୋଟି ପଡିଛି ବିରାଟକାୟ ଗଛ। ଫଳରେ ନାରାୟଣପାଟଣା ଓ ବନ୍ଧୁଗାଁ ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। OSAP ବାଟାଲିୟନ ନିକଟ NH-26ରେ ମଧ୍ୟ ଗଛ ପଡି ରାସ୍ତା ଅବରୋଧ ହୋଇଛି।ସେପଟେ ଚିତ୍ରକୋଣ୍ଡାରୁ ମାଲକାନଗିରିକୁ ଯାତାୟାତ ବି ଠପ୍। ସକାଳୁ ନାକାମାମୁଡ଼ି ନିକଟ ରାମଗୁଡ଼ା ଅଞ୍ଚଳରେ ଗଛ ଉପୁଡି ବନ୍ଦ ରହିଛି ଗାଡି ଚଳାଚଳ।
ତୁହାକୁ ତୁହା ବର୍ଷା ଫଳରେ ଭୁଶୁଡ଼ି ପଡ଼ିଛି କଚ୍ଚା ଘର। ଧୋଇଯାଇଛି ମାଟିର କାନ୍ଥ। ରାୟଗଡା ବିଷମକଟକ ବ୍ଲକ୍ ନୂଆଗାଁରେ ରାତିରେ ପୁରା ପରିବାର ଶୋଇଥିବା ବେଳେ ହଠାତ ଭୁଶୁଡି ପଡିଥିଲା କାନ୍ଥ। ସୌଭାଗ୍ୟବଶତ ସମସ୍ତେ ସୁରକ୍ଷିତ ଥିବା ବେଳେ ଘରର ଆସବାବପତ୍ର କିନ୍ତୁ ମାଟି ତଳେ ପୋତି ହୋଇଯାଇଛି। ସେପଟେ ମାଲକାଗିରିରେ ଘରେ ଆଣ୍ଠୁଏ ପାଣି। ତାଭିତରେ ବୁଡିଛି ଜିନିଷପତ୍ର। କିଛି ସ୍ଥାନରେ କାନ୍ଥ ବି ଭାଙ୍ଗିଛି। ବ୍ରହ୍ମପୁର ୪୨ ନମ୍ବର ୱାର୍ଡ ଶ୍ୟାମ ନଗରର। ପାଣିରେ ବୁଡିଛି ସାରା ଅଂଚଳ। ଲୋକେ ଜଳବନ୍ଦୀ, ଘରୁ ବାହାରିବା ମୁସ୍କିଲ। ତିନି ଦିନର ଅବିଶ୍ରାନ୍ତ ବର୍ଷା ହାଲ ବେହାଲ କରିଦେଇଛି। ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଲୋକଙ୍କୁ ବୋଟ୍ ରେ ଉଚ୍ଚ ସ୍ଥାନକୁ ନେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।