Dhanteras 2026 Gold Coin Buying Tips: ଧନତେରସରେ ସୁନା କଏନ୍ କିଣୁଛନ୍ତି କି? କିପରି ଜାଣିବେ ଅସଲି… ଯାଞ୍ଚ କରନ୍ତୁ ଏହି ୫ କଥା
ଧନତେରସରେ ସୁନା କଏନ୍ କିଣିବାକୁ ଯୋଜନା କରିଛନ୍ତି କି?
କେବଳ କଏନ୍ର ଚମକ, ଡିଜାଇନ୍ କିମ୍ବା ଦାମ ଦେଖି କିଣନ୍ତୁ ନାହିଁ।
ଶୁଦ୍ଧତା, ଓଜନ, ବିଲ୍ ଓ ବିକ୍ରେତାଙ୍କ ବିଶ୍ୱସନୀୟତା ଯାଞ୍ଚ କଲେ ଠକେଇରୁ ବଞ୍ଚିପାରିବେ।
Advertisment ଚଳିତ ବର୍ଷ ନଭେମ୍ବର ୬ରେ ପାଳନ ହେବ ଧନତେରସ।
ଧାର୍ମିକ ବିଶ୍ୱାସ ଅନୁସାରେ ଏହି ଦିନ ସୁନା ଓ ରୁପା କିଣିବାକୁ ଶୁଭ ମନାଯାଏ।
ବିଶେଷ କରି ମା' ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ଛବି ଥିବା ସୁନା-ରୁପା କଏନ୍ର ଚାହିଦା ଅଧିକ ରହିଥାଏ।
କିନ୍ତୁ ବଜାରରେ ଦେଖିବାକୁ ସୁନା ଭଳି ଲାଗୁଥିବା ପ୍ରତ୍ୟେକ କଏନ୍ ଶୁଦ୍ଧ ସୁନାର ହୋଇଥିବ, ଏହା ଜରୁରୀ ନୁହେଁ।
କାହିଁକି ଧନତେରସରେ କିଣାଯାଏ ସୁନା?
ଧନତେରସର ସମ୍ପର୍କ ଭଗବାନ ଧନ୍ୱନ୍ତରୀ ଓ ସମୁଦ୍ର ମନ୍ଥନର ପୌରାଣିକ କଥା ସହ ରହିଛି।
ଏହି ଦିନ ସୁନା କିଣିବାକୁ ଧନ, ସମୃଦ୍ଧି ଓ ସ୍ଥିରତା ସହ ଯୋଡ଼ି ଦେଖାଯାଏ।
ଅନେକ ପରିବାର ଧନତେରସରେ କିଣିଥିବା ଲକ୍ଷ୍ମୀ-ଗଣେଶ କଏନ୍କୁ ଦୀପାବଳି ପୂଜାରେ ରଖିଥାନ୍ତି।
ତେବେ ଧାର୍ମିକ ଦୃଷ୍ଟିରୁ କେବଳ ସୁନା କିଣିବା ବାଧ୍ୟତାମୂଳକ ନୁହେଁ।
ନିଜ ଆର୍ଥିକ ସାମର୍ଥ୍ୟ ଅନୁସାରେ ରୁପା କଏନ୍ ମଧ୍ୟ ପୂଜା ପାଇଁ କିଣିପାରିବେ।
Advertisment ୨୪ କ୍ୟାରେଟ୍ ନା ୨୨ କ୍ୟାରେଟ୍?
ସୁନାର ଶୁଦ୍ଧତା କ୍ୟାରେଟ୍ରେ ମପାଯାଏ।
୨୪ କ୍ୟାରେଟ୍ ସୁନା ପ୍ରାୟ ଶୁଦ୍ଧ ସୁନା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନାରେ ଅନ୍ୟ ଧାତୁ ମିଶାଯାଇଥାଏ।
୯୯୯ ଫାଇନନେସ୍ ଥିବା ୨୪ କ୍ୟାରେଟ୍ କଏନ୍ରେ ପ୍ରାୟ ୯୯.୯ ପ୍ରତିଶତ ସୁନା ରହିଥାଏ।
ସେହିପରି ୯୧୬ ଫାଇନନେସ୍ ବା ୨୨ କ୍ୟାରେଟ୍ରେ ପ୍ରାୟ ୯୧.୬ ପ୍ରତିଶତ ସୁନା ରହିଥାଏ।
ତେଣୁ କଏନ୍ କିଣିବା ପୂର୍ବରୁ ତା' ଉପରେ ଲେଖାଯାଇଥିବା ଫାଇନନେସ୍ ଏବଂ ବିଲ୍ରେ ଉଲ୍ଲେଖ ହୋଇଥିବା ତଥ୍ୟକୁ ମେଳ କରିବା ଜରୁରୀ।
ଗୋଲ୍ଡ କଏନ୍ରେ HUID ନଥିଲେ ନକଲି କି?
ଗୋଲ୍ଡ ଜୁଏଲାରୀ ପାଇଁ ଯେଉଁ ବାଧ୍ୟତାମୂଳକ ହଲମାର୍କିଂ ବ୍ୟବସ୍ଥା ରହିଛି, ୯୯୯ ଓ ୯୯୫ ଫାଇନନେସ୍ ଗୋଲ୍ଡ ବୁଲିଅନ୍ ଓ କଏନ୍ରେ ସେହି ନିୟମ ସମାନ ଭାବରେ ଲାଗୁ ହୁଏନାହିଁ।
ତେଣୁ କଏନ୍ରେ HUID ନଥିଲେ ତାହା ନକଲି ବୋଲି ଧରିନେବା ଠିକ୍ ନୁହେଁ।
ଗ୍ରାହକ କଏନ୍ର ଓଜନ, ଶୁଦ୍ଧତା, ନିର୍ମାତା ବା ରିଫାଇନେରୀର ନାମ, ପ୍ୟାକେଜିଂ ଏବଂ ପକ୍କା ବିଲ୍ ନିଶ୍ଚିତ ଯାଞ୍ଚ କରନ୍ତୁ।
ଏଥିସହ ଭବିଷ୍ୟତରେ କଏନ୍ଟି ବିକ୍ରି କଲେ ଦୋକାନୀଙ୍କ ବାୟବ୍ୟାକ୍ ନୀତି କ'ଣ ରହିଛି, ତାହା ମଧ୍ୟ ଜାଣିନେବା ଉଚିତ।
ଲକ୍ଷ୍ମୀ-ଗଣେଶଙ୍କ ଛବି ଥିଲେ ଶୁଦ୍ଧତାର ଗ୍ୟାରେଣ୍ଟି ନୁହେଁ ପୂଜା ପାଇଁ ଲକ୍ଷ୍ମୀ-ଗଣେଶଙ୍କ ଛବି ଥିବା କଏନ୍ କିଣିବା ଅନେକ ପରିବାରର ପରମ୍ପରା।
କିନ୍ତୁ କଏନ୍ରେ ଦେବଦେବୀଙ୍କ ଛବି ରହିଲେ ତାହା ଶୁଦ୍ଧ ସୁନା ବୋଲି ପ୍ରମାଣିତ ହୁଏନାହିଁ।
୯୯୯ ବା ୯୧୬ ଫାଇନନେସ୍ ଚିହ୍ନ ସହ ବିଶ୍ୱସନୀୟ ବିକ୍ରେତାଙ୍କଠାରୁ କିଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ।
କେବେ ରହିଛି ଲକ୍ଷ୍ମୀ-କୁବେର ପୂଜା?
ପଞ୍ଜିକା ଅନୁସାରେ ଦିଲ୍ଲୀରେ ନଭେମ୍ବର ୬ ସକାଳ ପ୍ରାୟ ୧୦ଟା ୩୦ରୁ ତ୍ରୟୋଦଶୀ ତିଥି ଆରମ୍ଭ ହେବ।
ଲକ୍ଷ୍ମୀ-କୁବେର ପୂଜା ପାଇଁ ସନ୍ଧ୍ୟା ୬ଟା ୦୨ରୁ ୭ଟା ୫୭ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି।
ତେବେ ସହର ଅନୁସାରେ ପୂଜା ସମୟରେ ପରିବର୍ତ୍ତନ ହୋଇପାରେ।
ଧନତେରସରେ ସୁନା କିଣିବା ପଛରେ ଆସ୍ଥା ଓ ସମୃଦ୍ଧିର କାମନା ରହିଥାଏ।
ତେବେ ଆସ୍ଥା ସହ ସଚେତନତା ମଧ୍ୟ ଜରୁରୀ।
ତେଣୁ ଏଥର ଧନତେରସରେ କଏନ୍ କିଣୁଥିଲେ ଚମକ ଓ ଡିଜାଇନ୍ଠାରୁ ଅଧିକ ଗୁରୁତ୍ୱ ଦିଅନ୍ତୁ ଶୁଦ୍ଧତା, ଓଜନ ଓ ପକ୍କା ବିଲ୍କୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।