Rain Raises Fresh Flood Fears Across Odisha: ପୁଣି ଲଘୁଚାପ, ପୁଣି ବଡ଼ ବର୍ଷା; ଓଡ଼ିଶାରେ ଆସନ୍ନ ବନ୍ୟାକୁ ନେଇ ବଢ଼ିଲା ଭୟ

Aug 08, 2026 - 20:01
Rain Raises Fresh Flood Fears Across Odisha: ପୁଣି ଲଘୁଚାପ, ପୁଣି ବଡ଼ ବର୍ଷା; ଓଡ଼ିଶାରେ ଆସନ୍ନ ବନ୍ୟାକୁ ନେଇ ବଢ଼ିଲା ଭୟ

ପ୍ରଳୟଙ୍କାରୀ ବନ୍ୟା ବିପତ୍ତିକୁ ସପ୍ତାହେ ପୁରିନି, ପ୍ରଭାବିତ ଅଞ୍ଚଳରେ ପୁଣି ପାଣି ପାଣି ସ୍ଥିତି। ବନ୍ୟା ପ୍ରଭାବିତ ଲୋକେ, ଘରକୁ ଫେରି ଅଣ୍ଟା ସଳଖି ନାହାନ୍ତି, ପୁଣି ଡରାଇଲାଣି ଆସନ୍ନ ବନ୍ୟା। ଏ ଦୃଶ୍ୟ ଭଦ୍ରକ ବ୍ଲକ୍ ଅନ୍ନପାଳ ଓ ବିଷ୍ଣୁପୁରବିନ୍ଧା ଅଞ୍ଚଳର। ଗୋଟେପଟେ ଲଗାଣ ବର୍ଷା ଓ ଅନ୍ୟପଟେ ସାଳନ୍ଦୀ ନଦୀ ପୁଣି ଫୁଲିବାରୁ ପୁରୁଣା ଘାଇରେ ପାଣି ବୁଡାଇ ଦେଇଛି ଏ ଅଞ୍ଚଳ। ସେହିଭଳି ତିହିଡି ବ୍ଲକର ତଳଗୋପବିନ୍ଧା, ବାରୋ, ବିଲଣା, ବାରସର ଆଦି ପଞ୍ଚାୟତରେ ପଶିଛି ବନ୍ୟାଜଳ। ଫଳରେ ପୂର୍ବରୁ ଯାହା କିଛି ବଞ୍ଚିଥିଲା, ତାକୁ ସମୂଳେ ଧୋଇନେବାକୁ ବସିଛି ଦ୍ବିତୀୟ ବନ୍ୟା। ସେହିଭଳି କାଲି ରାତିରେ ପ୍ରବଳ ବର୍ଷା ପରେ ନାଳିଆ ନଦୀରେ ପାଣି ବଢ଼ିବାରୁ ଲଞ୍ଜାତାରା ନିକଟରେ ୨୦୦ ଫୁଟର ଘାଇ ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ପୁଣି ବନ୍ୟା ଘେରକୁ ଆସିଛନ୍ତି ୧୦୦ରୁ ଅଧିକ ପରିବାର। ଏପଟେ ପୂର୍ବରୁ ବନ୍ୟା ଆଣିଥିବା ବୈତରଣୀରେ ବିପଦ ସଂକେତ ନିକଟରେ ପ୍ରବାହିତ ହେଉଛି ବନ୍ୟାଜଳ। ସେହିଭଳି ଆଖୁଆପଦାଠାରେ ବିପଦ ସଂକେତ ୧୭ ଫୁଟ ଥିବା ବେଳେ ଏବେ ୧୬ ଫୁଟରେ ଚାଲୁଛି ବନ୍ୟା ପାଣି।

ସେପଟେ ବନ୍ୟାର ଭୟାନକ କୋପରୁ ଏଯାଏଁ ସଂପୂର୍ଣ୍ଣ ମୁୁକୁଳିନି ଯାଜପୁର ଜିଲ୍ଲା। ଦଶରଥପୁର ବ୍ଲକ ପାଟଣାଠାରେ ବୈତରଣୀର ଶାଖା କାଣୀ ନଦୀରେ ଦୁଇଟି ଘାଇ ମରାମତି ଚାଲିଥିବା ହଠାତ ଗୋଟିଏ ଘାଇ ବୁଡି ଆଜି ପୁଣି ଧସେଇ ପଶିଛି ବନ୍ୟା ଜଳ। ଫଳରେ ଦଶରଥପୁରର ତରପଦା ଓ କସପା ପଞ୍ଚାୟତକୁ ବନ୍ୟା ଆଉ ଥରେ ପ୍ରଭାବିତ କରିବାର ଆଶଙ୍କା ବଢିଛି। ଯାହାକୁ ନେଇ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

ଏପଟେ କଟକ ଜିଲ୍ଲାର ଆଠଗଡ଼ରେ ବି ପୁଣି ଫେରିଛି ଜଳବନ୍ଦୀ ସ୍ଥିତି। କାଲିର ଲଗାଣ ବର୍ଷାରେ ସାପୁଆ ଓ କଣ୍ଟିଆ ନଈରେ ପାଣି ବଢିବାରୁ ଆଠଗଡ଼ ଅଞ୍ଚଳରେ ବିଭିନ୍ନ ଅଞ୍ଚଳକୁ ମାଡ଼ିଛି ବନ୍ୟା ଜଳ। ପୁରୁଣା କଟକ-ସମ୍ବଲପୁର ରାସ୍ତାର ଚମ୍ପାପୁର ନିକଟରେ ରାସ୍ତା ବୁଡ଼ିବାରୁ ଠପ୍ ହୋଇଛି ଯାତାୟାତ। ଆଉ କିଛି ସ୍ଥାନରେ ବର୍ଷାଜଳ ଠିକରେ ନିଷ୍କାସନ ହୋଇପାରୁନଥିବାରୁ, କିଛି ଅଞ୍ଚଳରେ କୃତ୍ରିମ ବନ୍ୟାର ଦୁଃଖ ଆଣିଛି। ଏପଟେ ଏକର ଏକର ଜମିରେ ପୁଣି ବନ୍ୟା ଜଳ ଛିଡ଼ାହେବା ପରେ ଭାଙ୍ଗି ଯାଇଛି ଚାଷୀଙ୍କ ମେରୁଦଣ୍ଡ।

ଏ ଦୃଶ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବିଛିନ୍ନlଞ୍ଚଳ କୁହାଯାଉଥିବା ସିଂହଗାଁ ପଂଚାୟତର। ଗୋଟିଏ ପଟେ ବ୍ରାହ୍ମଣୀ ନଦୀର ପାଣି ଓ ଅନ୍ୟପଟେ ଏହାର ଶାଖା କାଣୀ ନଦୀର ଫେରନ୍ତା ପାଣି ମାଡି ଯିବାରୁ ଜଳବନ୍ଦୀ ଅବସ୍ଥାରେ ଶହ ଶହ ପରିବାର।

ଏପଟେ ରାଜ୍ୟରେ ପୁଣି ଦ୍ବିତୀୟ ଥର ପାଇଁ କିଛି ଅଞ୍ଚଳରେ ଆସନ୍ନ ବନ୍ୟା ସ୍ଥିତିକୁ ନେଇ ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ତମାମ ଅଳ୍ପ ଅଳ୍ପ ବର୍ଷା ପରେ ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ବନ୍ୟା ପାଣି ସଂପୂର୍ଣ୍ଣ ନିଷ୍କାସନ ହୋଇନଥିଲା। ତେଣୁ ବର୍ଷା ପରେ ସମସ୍ୟା ବଢି ଯାଇଛି। ମନ୍ତ୍ରୀ କହିଛନ୍ତି ଏବେ କେବଳ ଜଳକା, ଋଷିକୂଲ୍ୟ ଓ ବଂଶଧାରାରେ ଜଳପତନ ବଢିଛି। କୌଣସି ଆସନ୍ନ ପରିସ୍ଥିତି ପାଇଁ ଓଡ୍ରାଫ, ଏନଡ଼ିଆରଏଫ, ଓ ଅଗ୍ନିଶମ ପ୍ରସ୍ତୁତ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।