Dhruv Rathee Joins Protest in London: ଲଣ୍ଡନରେ ଧ୍ରୁବ ରାଠୀଙ୍କ ବିକ୍ଷୋଭ, ଜବାବରେ ମୋଦି ସମର୍ଥକଙ୍କ ପ୍ରତିବାଦ
ଭାରତରେ ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନୀ ଅନିୟମିତତାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ୟୁଟ୍ୟୁବର ଧ୍ରୁବ ରାଠୀ ବ୍ରିଟେନର ରାଜଧାନୀ ଲଣ୍ଡନ ସ୍ଥିତ ପାର୍ଲାମେଣ୍ଟ ସ୍କୋୟାରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ବିରାଟ ପ୍ରତିବାଦ ସଭାର ଆୟୋଜନ କରିଛନ୍ତି। ଭାରତର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଏହି ପ୍ରଦର୍ଶନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଭାରତରେ ଜନ୍ତରମନ୍ତରରେ ବିକ୍ଷୋଭରେ ଯୋଗ ଦେବା ଆଗରୁ ଧ୍ରୁବ ରାଠୀଙ୍କୁ ଉଠାଇ ନେଇଥିଲା ପୋଲିସ। ଏହା ପରେ ତାଙ୍କୁ ଛଡାଯାଇଥିଲା। ଗତ ଶୁକ୍ରବାର ଦିନ ସେ ଭାରତରୁ ଲଣ୍ଡନ ଗସ୍ତ କରିଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ଜରିଆରେ ଲୋକମାନଙ୍କୁ ଏହି ପ୍ରତିବାଦରେ ଯୋଗଦେବାକୁ ଆହ୍ୱାନ କରିଥିଲେ। ଶନିବାର ଦିନ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିବା ପରେ ସେ ଭାଷଣ ଦେଇଥିଲେ। ଏହି ପ୍ରତିବାଦ ସଭାରେ ଶହ ଶହ ଭାରତୀୟ ଛାତ୍ର ଏବଂ ବିଭିନ୍ନ ସଂଗଠନର କର୍ମୀମାନେ ଯୋଗଦେଇଥିଲେ।
ପ୍ରଦର୍ଶନକାରୀମାନଙ୍କ ହାତରେ କମ୍ୟୁନିଷ୍ଟ ପତାକା, କଂଗ୍ରେସ ପତାକା ଏବଂ ଇଣ୍ଡିଆନ୍ ୱାର୍କର୍ସ ଆସୋସିଏସନର ପତାକା ଦେଖିବାକୁ ମିଳିଥିଲା। ସେମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରା ଦେଇଥିଲେ। ଏପରିକି କେତେକ ପ୍ରଦର୍ଶନକାରୀ ଏକ ଖେଳନା ମାଙ୍କଡ଼ ଧରି ମଧ୍ୟ ପ୍ରତିବାଦ କରିଥିଲେ।
ଅନ୍ୟପକ୍ଷରେ, ଏହି ବିରୋଧ ପ୍ରଦର୍ଶନର ଜବାବ ଦେବା ପାଇଁ ଶେଷ ମୁହୂର୍ତ୍ତରେ କିଛି ମୋଦି ସମର୍ଥକ ଏକାଠି ହୋଇ ଏକ କାଉଣ୍ଟର-ପ୍ରୋଟେଷ୍ଟ ବା ପ୍ରତି-ବିକ୍ଷୋଭ କରିଥିଲେ। ସେମାନେ ଜାତୀୟ ପତାକା ତ୍ରିରଙ୍ଗା ଧରି "ବନ୍ଦେ ମାତରମ୍", "ଭାରତ ମାତା କୀ ଜୟ" ଏବଂ "ମୋଦି, ମୋଦି" ଧ୍ୱନିରେ ପରିବେଶକୁ କମ୍ପାଇ ଦେଇଥିଲେ।
ଏହି କାଉଣ୍ଟର-ପ୍ରତିବାଦରେ ଭାଗନେଇଥିବା ହୀର୍ଦେଶ ଗୁପ୍ତା ନାମକ ଜଣେ ବ୍ୟକ୍ତି କହିଛନ୍ତି, "ଏହାକୁ ଏକ ଆନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ କରି ଏଠାରେ ଥିବା ଭାରତୀୟ ପ୍ରବାସୀଙ୍କ ମଧ୍ୟରେ ଭାଗବଣ୍ଟା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି, ଯାହା ଅତ୍ୟନ୍ତ ନିନ୍ଦନୀୟ। ୟୁକେ ସହିତ ଏହାର କୌଣସି ସମ୍ପର୍କ ନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।