DJ Vibrations Trigger Roof Collapse: ଡିଜେ ଆଣିଦେଲା କି ଅକାଳ ମୃତ୍ୟୁ, ଜଟଣୀରେ ଭସାଣ ବେଳେ ଭୁଶୁଡ଼ି ପଡ଼ିଲା ଘରର ତାଜା

Sep 27, 2026 - 20:51
DJ Vibrations Trigger Roof Collapse: ଡିଜେ ଆଣିଦେଲା କି ଅକାଳ ମୃତ୍ୟୁ, ଜଟଣୀରେ ଭସାଣ ବେଳେ ଭୁଶୁଡ଼ି ପଡ଼ିଲା ଘରର ତାଜା

DJ ନେଇଗଲା ଜୀବନ। ଭାଇବ୍ରେସନରେ ହଠାତ୍ ଭୁଶୁଡ଼ି ପଡ଼ିଲା କୋଠାର ତାଜା। ଜଟଣୀରେ ଗଣେଶ ଭସାଣି ଉତ୍ସବରେ ଚାଲିଗଲା ଜଣଙ୍କ ଜୀବନ। ନିୟମ ଥିଲା, କଟକଣା ଥିଲା, ପୋଲିସ ବି ମୁତୟନ ଥିଲା। ତାହା ସତ୍ତ୍ୱେ ଏତେ ଜୋରରେ DJ କେମିତି ବାଜିଲା ? ନିୟମ ଉଲ୍ଲଂଘନକୁ ରୋକାଗଲା ନାହିଁ କାହିଁକି ? ଘଟଣା ପରେ ଆକ୍ସନ୍ ମୋଡରେ କମିଶନରେଟ୍ ପୋଲିସ। 

ବାଜୁଥିଲା DJ।  ଆଉ ଭାଇବ୍ରେସନରେ ଦୋହଲୁଥିଲା ଚାରିପାଖ। କିନ୍ତୁ କେହି ଭାବିନଥିଲେ ଏହି ଭାଇବ୍ରେସନ୍ ହିଁ ପାଲଟିଯିବ ମୃତ୍ୟୁର କାରଣ। ଏ ଘଟଣା ହେଉଛି ଜଟଣୀର ଗଣେଶ ଭସାଣିର। ପ୍ରାୟ ୫୦ଟି ମେଢ଼ର ଭସାଣି ପାଇଁ ରାସ୍ତା ପାଲଟିଥିଲା ଜନସମୁଦ୍ର। ଛାତି ଦୁଲୁକୁଉଥିଲା DJ, ପ୍ରତିଟି ବିଟ୍ ସହ ଦୋହଲୁଥିଲା ଜଟଣୀ ସହର। ହଠାତ୍ ଜଟଣୀ ପୋଷ୍ଟ ଅଫିସ୍ ଛକରେ ଘଟିଲା ବଡ଼ ଅଘଟଣ। ଏକ ଘରୋଇ ବ୍ୟାଙ୍କ କୋଠାର ତାଜା ଭୁଶୁଡ଼ି ପଡ଼ିଲା। ଭସାଣି ଦେଖିବାକୁ ଆସିଥିବା ଲୋକଙ୍କ ଉପରେ ଖସିପଡ଼ିଲା ଭଙ୍ଗା ତାଜାର କିଛି ଅଂଶ। ଆଉ ତା’ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ଆହତ ହୋଇଛନ୍ତି ୧୦ରୁ ଅଧିକ ଲୋକ। ଉତ୍ସବର ମାହୋଲ ହଠାତ୍ ଆତଙ୍କରେ ପାଲଟିଗଲା। 

ଜଟଣୀ ଦୁର୍ଘଟଣା ଅନେକ ପ୍ରଶ୍ନବାଚୀ ଠିଆ କରିଛି। କମିଶନରେଟ ପୋଲିସର ଗାଇଡଲାଇନ୍ ଅନୁସାରେ DJ ଉପରେ କଡ଼ା କଟକଣା ଥିଲା। ତାସତ୍ତ୍ବେ ଏତେ ସଂଖ୍ୟକ DJ ଆସିଲା କେମିତି ? କାନଫଟା ଶବ୍ଦରେ ବାଜିବାକୁ ଅନୁମତି ଦେଲା କିଏ ? କେମିତି କେହି ଶୁଣି ପାରିଲେ ନାହିଁ ? ଭସାଣ ଶୋଭାଯାତ୍ରାରେ ପୋଲିସ ଉପସ୍ଥିତ ଥିଲା। କିନ୍ତୁ ନିୟମ ଭାଙ୍ଗୁଥିବା DJ ଗାଡ଼ିଗୁଡ଼ିକୁ ସାଙ୍ଗେ ସାଙ୍ଗେ ଅଟକାଗଲା ନାହିଁ କାହିଁକି ? ଭସାଣ ରୁଟରେ DJର ଶବ୍ଦ କିମ୍ବା ଭାଇବ୍ରେସନ୍ ମନିଟରିଂ ହେଉଥିଲା କି ?

ନା କୋଠା ଦୁର୍ବଳ ଥିଲା ? ଏହି ଘଟଣା ପରେ ଜଟଣୀର ସବୁ ପୂଜା କମିଟିକୁ ନୋଟିସ୍ କରିଛି କମିସନରେଟ ପୋଲିସ। ବାଲଡିଂର ତାଜା ଭୁଶୁଡ଼ିବାର ଅନୁଧ୍ୟାନ ପାଇଁ କମିଟି ଗଠନ ହୋଇଛି। DJ ପାଇଁ ଦୁର୍ଘଟଣା ଘଟିଛି ନା ଆଉ କୌଣସି କାରଣ ପାଇଁ ତଦନ୍ତ ଚାଲିଛି। ଅନ୍ୟପଟେ ଏଭଳି ପ୍ରାଣଘାତୀ ଡିଜେ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଦାବି ଜୋର ଧରୁଛି। 

ଗତ ସେପ୍ଟେମ୍ବର ୨୪ ତାରିଖରେ ପାର୍ବଣ ଓ ଦୁର୍ଗାପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିଲା ପ୍ରାକ୍ ପ୍ରସ୍ତୁତି ବୈଠକ। ଆଇନଶୃଙ୍ଖଳା, ଟ୍ରାଫିକ୍, ମହିଳା ସୁରକ୍ଷା ସହ DJକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ନିୟମ ଉଲ୍ଲଂଘନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ DJ ମାଲିକଙ୍କ ବିରୋଧରେ ଜରିମାନା ନେଇ ବି ପୋଲିସ ଚେତାବନୀ ଦେଇଥିଲା। କିନ୍ତୁ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଜଟଣୀ ଘଟଣା ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି। ଚେତାବନୀ କେବଳ ବୈଠକରେ ରହିବ ? ନା ରାସ୍ତାରେ ବି ଦେଖାଯିବ ତା’ର ପ୍ରଭାବ ? କାରଣ ଗୋଟିଏ ଭୁଲ୍ DJର ଶବ୍ଦକୁ ନୁହେଁ, ଗୋଟିଏ ପରିବାରର ଜୀବନକୁ ଚୁପ୍ କରିଦେଇଛି।

ଜଟଣୀ ଅଘଟଣରେ ମୃତ ବିଶ୍ୱଜିତ ବାରିକଙ୍କ ମୃତଦେହ ଜନ୍ମମାଟି ହରିରାଜପୁରରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାରକୁ ଭେଟି ସମବେଦନା ଜଣାଇଥିଲେ ସାଂସଦ ସମ୍ବିତ୍ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।