DMF Funds Under Scanner: DMF ଟଙ୍କା ଖର୍ଚ୍ଚରେ ଅନିୟମିତତା, CAG ରିପୋର୍ଟରେ ଉଠିଲା ବଡ଼ ପ୍ରଶ୍ନ
ଡିଏମଏଫ୍ ମାଲ୍, ଦରିଆ ମେ ଡାଲ୍। ୩୦ କୋଟିର ପ୍ରକଳ୍ପ। ୨ ବର୍ଷରେ ସରିବା କଥା, ୬ବର୍ଷ ହେଲା ହୋଇପାରୁନି। କୋଇଡା ବ୍ଲକ୍ ତେହେରାଇରେ ଠିଆ ହୋଇଛି ଜିଲ୍ଲା ଖଣିଜ ପାଣ୍ଠିରେ ତିଆରି ହଜାରେ ଶଯ୍ୟା ବିଶିଷ୍ଟ ଶ୍ରମିକ ବିଶ୍ରାମ ଗୃହ। ୨୦୨୦ରେ ନିଅଁ ପଡିଲା, ୨୨ ସୁଦ୍ଧା ସାରି ହସ୍ତାନ୍ତର ହେବା କଥା। ହେଲେ ଏବେଯାଏଁ ଦିଆଯାଇ ପାରିଲାନି। ବଡ କଥା ହେଉଛି ଯେ, ହସ୍ତାନ୍ତର ପୂର୍ବରୁ ହିଁ ନିର୍ମାଣର ମାନ ନେଇ ଉଠିଲାଣି ପ୍ରଶ୍ନ। ବାରି ହେଲାଣି ବଡ଼ ଦୁର୍ନୀତର ଗନ୍ଧ। କାରଣ, କିଛି ଦିନ ଭିତରେ ହିଁ ଧସିଛି ମାଟି, ଫାଟ ସୃଷ୍ଟି ହୋଇଛି ଅନେକ ସ୍ଥାନରେ।
ଡିଏମଏଫ ବିନିଯୋଗରେ ମହା ଘୋଟାଲା ଯାଜପୁର ଷଠିପୁରରେ। ଜିଲ୍ଲା ଖଣିଜ ପାଣ୍ଠିରୁ ୧୧୩ କୋଟି ଟଙ୍କାରେ ତିଆରି ହୋଇଛି ସାଇନ୍ସ ଏକାଡେମୀ। ୨୦୨୦-୨୧ରେ ଆରମ୍ଭ ହୋଇଥିବା ପ୍ରକଳ୍ପର ନିର୍ମାଣ ଦାୟିତ୍ୱ କେନ୍ଦ୍ରୀୟ ସଂସ୍ଥା NBCCକୁ ଦିଆଯାଇଥିଲା। ହେଲେ ୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଏକାଡେମୀ। ଏବେ ଚାରିଆଡେ ଗଛଲତା ମାଡିଯାଇଛି, ନଷ୍ଟ ହେବାକୁ ବସିଲାଣି କଳାକୃତି। ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନଥିବାବେଳେ ପୂର୍ବ ସରକାର ସମୟରେ ମିଥ୍ୟା ବିଲ୍ କରାଯାଇ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି।
ସୁନ୍ଦରଗଡ ସହର ମଝିରେ ରହିଥିବା ଭବାନୀ ଭବନ ଷ୍ଟାଡିୟମରେ ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ ହୋଇଥିଲା ୨୦ କୋଟି। କାମ କରିଥିଲା ଜିଲ୍ଲା ବାହାରର ଏକ ଠିକା ସଂସ୍ଥା। ହେଲେ ରେଜଲ୍ଟ ସମସ୍ତଙ୍କ ସାମ୍ନାରେ। ବର୍ଷେ ଭିତରେ ନଷ୍ଟ ହୋଇଗଲାଣି ଚଲା ପଥ, ଭାଙ୍ଗିରୁଜି ଗଲାଣି ବ୍ୟାୟାମ ଉପକରଣ। ଡିଏମଏଫ୍ ଟଙ୍କାର ଅପବ୍ୟବହାର କେମିତି ହୁଏ, ଇଏ ତାର ଉଦାହରଣ।
ଡିଏମଏଫ୍ ବିନିଯୋଗରେ ଅନିୟମିତତା ଓ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଅନୁପାଳନ କରାଯାଇନଥିବା ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଦୁର୍ନୀତି ଧରିଛନ୍ତି ସିଏଜି। ଆଇନ ବାହାରକୁ ଯାଇ ମନଇଛା ଖର୍ଚ୍ଚ କରାଯାଇଛି ଟଙ୍କା। ଅଯୋଗ୍ୟ ପ୍ରକଳ୍ପକୁ ଟଙ୍କା ଦିଆଯାଇଛି, କିଛି ସ୍ଥାନରେ ଆବଶ୍ୟକତା ଠାରୁ ଅଧିକ ଦିଆଯାଇଛି। ପ୍ରକଳ୍ପ କରାଯାଇଛି ହେଲେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ସେସବୁ ଏବେ ପରିତ୍ୟକ୍ତ ଓ ଅଚଳ। ଖଣି ପ୍ରଭାବିତ ଗାଁ ଗୁଡିକୁ ଅଣଦେଖା କରି ପ୍ରଭାବିତ ହୋଇନଥିବା ଗାଁକୁ ଦିଆଯାଇଛି ପ୍ରକଳ୍ପ। ପ୍ରସ୍ତୁତ ହୋଇନି ମାଷ୍ଟରପ୍ଲାନ। କୋଟି କୋଟି ଟଙ୍କାର ଅଯଥା ଖର୍ଚ୍ଚ ବି ହୋଇଥିବା ଧରିଛନ୍ତି ସିଏଜି।
କେନ୍ଦୁଝର ଓ ସୁନ୍ଦରଗଡ଼ରେ ୯୮୩ କୋଟି ଟଙ୍କାର ୯୭୬ଟି ପ୍ରକଳ୍ପକୁ ଖଣି ଦ୍ବାରା ପ୍ରଭାବିତ ହୋଇନଥିବା ଗାଁରେ ଖର୍ଚ୍ଚ କରାଯାଇଛି। ସେହିପରି ବିନା ଅନୁମୋଦନରେ କେନ୍ଦୁଝର ଓ ସୁନ୍ଦରଗଡରେ ୫ଶହ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।