Gold Chain Snatching Cases Raise Concern: ପାର୍ବଣ ପୂର୍ବରୁ ରାଜଧାନୀରେ ଚେନ୍ ଲୁଟେରା ଭୟ, କମିଶନରେଟ୍ ପୋଲିସର ବ୍ଲୁପ୍ରିଣ୍ଟ
ରଥ ବେଳେ ଟାର୍ଗେଟରେ ଥିଲା ପୁରୀ। ମାତିଥିଲା ବଞ୍ଜାରା ଗ୍ୟାଙ୍ଗ୍। ସେତେବେଳେ ପୁରୀ ପୋଲିସ୍, ସ୍ପେଶାଲ୍ ଅପରେସନ୍ କରି ଛିନତାଇ କରୁଥିବା ୧୭୫ ଜଣଙ୍କୁ ବାନ୍ଧି ଥିଲା। ଉଦ୍ଧାର ହୋଇଥିଲା ୩୦୪ଟି ଚୋରି ମୋବାଇଲ୍ ଫୋନ୍। ଏହା ପୂର୍ବରୁ ରଥଯାତ୍ରା ସମୟରେ ଭିଡ଼ର ସାହାରାରେ ଭୁବନେଶ୍ବରରେ ଲୁଟ୍ କରୁଥିବା ଆଉ ଏକ ବଂଜାରା ଗ୍ୟାଙ୍ଗକୁ ଧରିଥିଲା ନୟାପଲ୍ଲୀ ପୋଲିସ୍।
ଆଗକୁ ଦଶହରା ଓ କାଳୀପୂଜା। ପାର୍ବଣରେ ଲୁଟେରା ପୁଣି ମାତିବାର ଆଶଙ୍କା ରହିଛି। ଖାସ୍ କରି ରାଜଧାନୀ ଭୁବନେଶ୍ବର। ଦିନରେ ଭିକ୍ଷା ବୃତ୍ତି ଆଉ ରାତିରେ ଚୋରି କରୁଥିବା ବଞ୍ଜାରା ଗ୍ୟାଙ୍ଗ ଉପରେ କମିଶନରେଟ୍ ପୋଲିସ୍ ଅଙ୍କ କଷିବା ଆରମ୍ଭ କରିଛି। ବିଭିନ୍ନ ଛକରେ ଭିକ୍ଷା ବୃତ୍ତି କରୁଥିବା ଏହି ବଞ୍ଜାରାମାନେ ରାତି ହେଲେ ଚୋରି କରୁଛନ୍ତି ତାର କିଛି ସୁରାକ ମଧ୍ୟ ପୋଲିସ ହାତରେ ଲାଗିଛି। ସେହି ଗ୍ୟାଙ୍ଗକୁ ତଡ଼ିିପାର୍ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ୍। ପୁରୁଣା ଦାଗୀ, ଅଭ୍ୟାସଗତ ଲୁଟେରାଙ୍କ କୁଣ୍ଡଳି ବାହାର କରି ସେମାନଙ୍କୁ ଖୋଜା ଚାଲିଛି।
୧୮ ଅଗଷ୍ଟ। ଏମସ ହସ୍ପିଟାଲ ସାମନା। ବାଇକରେ ଦୁଇ ଲୁଟେରା ଆସିଲେ, ମହିଳାଙ୍କ ବେକରୁ ଚେନ୍ ଝାଂପି ନେବା ପାଇଁ ଚେଷ୍ଟା କଲେ। କିନ୍ତୁ ମହିଳାଙ୍କ ସାହସ ପାଇଁ ଲୋକମାନେ ଜଣେ ଚେନ୍ ଲୁଟେରାଙ୍କୁ ବନ୍ଧୁକ ସହ କାବୁ କଲେ। ୧୨ ଅଗଷ୍ଟ। କାନନ ବିହାରରେ ଜଣେ ବୃଦ୍ଧା ସକାଳୁ ସକାଳୁ ଘର ବାହାରେ ଛିଡା ହୋଇଥିବା ବେଳେ ବାଇକରେ ଆସି ଠିକଣା ପଚାରିବା ବାହାନାରେ ଝାମ୍ପିନେଲେ ଚେନ୍, ଯାହାର ପୁରା ଦୃଶ୍ୟ CCTVରେ କଏଦ୍ ହୋଇଥିଲା। ରାଜଧାନୀ ଭୁବନେଶ୍ୱରରେ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ବୟାନ କରୁଛି ଚେନ୍ ଲୁଟେରାଙ୍କ ଦୌରାତ୍ମ୍ୟ ବଢିଛି। ତେଣୁ ଲୋକଙ୍କୁ ପୂଜା ସମୟରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି।
ବିଧାନସଭା ତଥ୍ୟ କହୁଛି ବିଗତ ୮ ମାସରେ ସାରା ରାଜ୍ୟରୁ ୩୮୬ ଟି ସୁନା ଚେନ୍ ଲୁଟ୍ ହୋଇଛି। ଏ ମଧ୍ୟରୁ କେବଳ ଭୁବନେଶ୍ୱର ୟୁପିଡିରୁ ଲୁଟ୍ ହୋଇଛି ୧୧୫ଟି। ଯେଉଁଠିକି ୨୦୨୫ରେ 118 ଚେନ୍ ଲୁଟ୍ ମାମଲା ସାମ୍ନାକୁ ଆସିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।