Dogs Can Read Human Faces: ମୁହଁ ଦେଖି ଆପଣଙ୍କ ଭାବନା ବୁଝେ କୁକୁର, ବିଜ୍ଞାନର ବଡ଼ ଖୁଲାସା

Aug 12, 2026 - 17:49
Dogs Can Read Human Faces: ମୁହଁ ଦେଖି ଆପଣଙ୍କ ଭାବନା ବୁଝେ କୁକୁର, ବିଜ୍ଞାନର ବଡ଼ ଖୁଲାସା

ଆପଣ ଦୁଃଖୀ ଥିଲେ ଆପଣଙ୍କ ପୋଷା କୁକୁରଟି କ’ଣ ତାହା ବୁଝିପାରେ? ଏବେ ବୈଜ୍ଞାନିକ ଅଧ୍ୟୟନ ଏହି ପ୍ରଶ୍ନର ଏକ ରୋଚକ ଉତ୍ତର ଦେଇଛି। ଗବେଷଣା ଅନୁସାରେ, କୁକୁର ମଣିଷର ମୁହଁର ଭାବଭଙ୍ଗୀ ଦେଖି ଭିନ୍ନ ଭିନ୍ନ ଭାବନା ଚିହ୍ନଟ କରିପାରେ।

ଭିଏନା ବିଶ୍ୱବିଦ୍ୟାଳୟର ଗବେଷକମାନେ ପୋଷା କୁକୁରଙ୍କ ମସ୍ତିଷ୍କ କାର୍ଯ୍ୟକଳାପକୁ MRI ସ୍କାନ୍‌ ମାଧ୍ୟମରେ ଅଧ୍ୟୟନ କରିଥିଲେ। ଖୁସି, ଦୁଃଖ, ଭୟ ଓ ରାଗ ଭଳି ଭାବନା ପ୍ରକାଶ କରୁଥିବା ମଣିଷଙ୍କ ମୁହଁ ଦେଖାଇବା ପରେ କୁକୁରଙ୍କ ମସ୍ତିଷ୍କରେ ଭିନ୍ନ ପ୍ରତିକ୍ରିୟା ଦେଖାଯାଇଥିଲା।

ବିଶେଷ କରି ଖୁସିର ମୁହଁକୁ କୁକୁରମାନେ ଭୟ, ଦୁଃଖ କିମ୍ବା ରାଗର ମୁହଁଠାରୁ ଅଲଗା ଭାବେ ଚିହ୍ନଟ କରିପାରିଥିଲେ। ଭୟଭୀତ ମୁହଁ ଦେଖିଲେ ମଧ୍ୟ ମସ୍ତିଷ୍କର ପ୍ରତିକ୍ରିୟା ଦୁଃଖ କିମ୍ବା ରାଗର ମୁହଁଠାରୁ ଭିନ୍ନ ଥିଲା। ହେଲେ ରାଗ ଓ ଦୁଃଖ ମଧ୍ୟରେ ପାର୍ଥକ୍ୟ କୁକୁରମାନେ ସ୍ପଷ୍ଟ ଭାବେ ଚିହ୍ନଟ କରିପାରିନଥିଲେ।

ଗବେଷକଙ୍କ କହିବା ଅନୁସାରେ, ଏଭଳି ସୂକ୍ଷ୍ମ ଭାବନା ବୁଝିବା ପାଇଁ କୁକୁରଙ୍କୁ ମଣିଷର ଶରୀର ଭାଷା କିମ୍ବା ସ୍ୱର ଭଳି ଅନ୍ୟ ସଙ୍କେତ ମଧ୍ୟ ଆବଶ୍ୟକ ହୋଇପାରେ।

ତେବେ ଅଧ୍ୟୟନରେ କୁକୁରଙ୍କ ସଂଖ୍ୟା କମ୍ ଥିଲା ଏବଂ ଅଧିକାଂଶ କୁକୁର ବର୍ଡର କଲି ଜାତିର ଥିଲେ। ତେଣୁ ସବୁ ଜାତିର କୁକୁରଙ୍କ ପାଇଁ ସମାନ ନିଷ୍କର୍ଷ ଲାଗୁ ହେବ କି ନାହିଁ, ତାହା ନେଇ ଆହୁରି ଗବେଷଣା ଆବଶ୍ୟକ।

ଅର୍ଥାତ୍, ଆପଣ ହସୁଛନ୍ତି କି ମନ ଖରାପ କରିଛନ୍ତି, ଆପଣଙ୍କ ଘରର ସେହି ଚାରିଗୋଡିଆ ସାଥୀଟି ବୋଧହୁଏ ଆପଣଙ୍କ ମୁହଁକୁ ଭଲ ଭାବରେ ପଢ଼ୁଛି। ମଣିଷ ସହ ହଜାର ହଜାର ବର୍ଷର ସାଥୀତ୍ୱ ହିଁ ହୁଏତ କୁକୁରଙ୍କ ଏହି ଅସାଧାରଣ ସାମାଜିକ ଦକ୍ଷତାର କାରଣ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।