Donald Trump Claims 'The Moon is Ours': ‘ଚନ୍ଦ୍ର ଆମର’ ଦାବି କଲେ ଟ୍ରମ୍ପ; ହାତରେ ଗ୍ରୀନ ଲାଇଟ୍, ଟ୍ରମ୍ପଙ୍କ ସୁପର ହିରୋ ଅବତାର
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ। ସେ ଚନ୍ଦ୍ରକୁ ନେଇ ‘ଦି ମୁନ ଇଜ ଆୱାର୍ସ’ ବା ‘ଚନ୍ଦ୍ର ଆମର’ ଲେଖା ଥିବା ଏକ ଫଟୋ ପୋଷ୍ଟ କରିବା ସହ ଆମେରିକାର ସ୍ପେଶ ଫୋର୍ସ ପାଇଁ ଏକ ନୂଆ ସର୍ଭିସ୍ ଡ୍ରେସ୍ ୟୁନିଫର୍ମର ଡିଜାଇନ୍ ମଧ୍ୟ ସେୟାର କରିଛନ୍ତି।
ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲ ଆକାଉଣ୍ଟରେ ପୃଥିବୀ ପଛରେ ଦେଖାଯାଉଥିବା ଚନ୍ଦ୍ରର ଏକ ଛବି ସହ ଆମେରିକୀୟ ପତାକା ଲଗାଇ ‘ଚନ୍ଦ୍ର ଆମର’ ବୋଲି ଲେଖିଥିଲେ। ତେବେ ଏହାକୁ ଚନ୍ଦ୍ର ଉପରେ ଆମେରିକାର ଆଇନଗତ ମାଲିକାନା ଦାବି ବୋଲି ଧରିବା ଠିକ୍ ନୁହେଁ। ତେବେ ଅନ୍ତର୍ଜାତୀୟ ଆଇନ ଏବଂ ୧୯୬୭ ମସିହାର 'ବାହ୍ୟ ମହାକାଶ ଚୁକ୍ତି' (Outer Space Treaty) ଅନୁଯାୟୀ କୌଣସି ଦେଶ ମହାକାଶ କିମ୍ବା ଚନ୍ଦ୍ର ଭଳି ମହାଜାଗତିକ ବସ୍ତୁ କିମ୍ବା ଗ୍ରହ ଉପରେ ନିଜର ମାଲିକାନା ଦାବି କରିପାରିବେ ନାହିଁ। ଏହି ଚୁକ୍ତିକୁ ଆମେରିକା ସମେତ ୧୦୦ଟି ଦେଶ ସ୍ୱାକ୍ଷରିତ କରିଛି। ମାତ୍ର ଟ୍ରମ୍ପଙ୍କ ଏପରି ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
‘ସ୍ପେଶ ଫୋର୍ସ’ ପାଇଁ ନୂଆ ୟୁନିଫର୍ମ
ଟ୍ରମ୍ପ ଆମେରିକୀୟ ମହାକାଶ ସେନା 'ସ୍ପେସ୍ ଫୋର୍ସ' (Space Force) ପାଇଁ ଏକ ନୂତନ ସେବା ପୋଷାକର ଡିଜାଇନ୍ ମଧ୍ୟ ସାମ୍ନାକୁ ଆଣିଛନ୍ତି। ଏହି ପୋଷାକର ରଙ୍ଗ ମଧ୍ୟରେ ଧୂସର-କଳା ଏବଂ ଚାର୍କୋଲ୍ ରଙ୍ଗ ବ୍ୟବହାର କରାଯାଇଛି। ଏହାକୁ ଏକ ଆଧୁନିକ ଜ୍ୟାକେଟ୍, ପ୍ୟାଣ୍ଟ, କଳା ବେଲ୍ଟ, କଳା ଜୋତା ଏବଂ ମ୍ୟାଚିଂ କ୍ୟାପ୍ ସହିତ ଡିଜାଇନ୍ କରାଯାଇଛି। ଏହି ପୋଷାକଟି ପ୍ରସିଦ୍ଧ ସିନେମା 'ଷ୍ଟାର୍ସିପ୍ ଟ୍ରୁପର୍ସ' (Starship Trooper) ରୁ ପ୍ରେରିତ ହୋଇଛି। ତେବେ ସୋସିଆଲ ମିଡିଆରେ ଲୋକମାନେ ଏହାକୁ 'ଷ୍ଟାର୍ ଆର୍ମି'ର ପୋଷାକ ସହିତ ତୁଳନା କରୁଛନ୍ତି।
ଏହି ସମସ୍ତ ପୋଷ୍ଟ ମଧ୍ୟରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ଏଆଇ ଜେନେରେଟେଡ୍ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ଡୋନାଲ୍ଡ ଟ୍ରମ୍ପଙ୍କ ହାତରୁ ଏକ ଶକ୍ତିଶାଳୀ ସବୁଜ ରଙ୍ଗର ଆଲୋକ ବାହାରୁଥିବାର ଦଖାଯାଇଛି। ଏଥିସହ "କୌଣସି ଅନିଷ୍ଟ ବା କୁକର୍ମ ଏଥିରୁ ବର୍ତ୍ତି ପାରିବ ନାହିଁ" ବୋଲି କୁହାଯାଇଛି।
ତେବେ ଟ୍ରମ୍ପ (American President Donald Trump) ବିଭିନ୍ନ ସମୟ ଧରି ନିଜର ସୋସିଆଲ ମିଡିଆ ପୋଷ୍ଟ ପାଇଁ ଚର୍ଚ୍ଚାରେ ଥିବା ବେଳେ ଏଥର ମଧ୍ୟ ଅଜବ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।