Drishyam 3 Creates Massive Buzz: ‘ଦୃଶ୍ୟମ ୩’ର ଧମାକା, ରୋଜଗାର୍ କଲାଣି କୋଟି କୋଟି ଟଙ୍କା; ଫିଗର୍ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Sep 30, 2026 - 18:28
Drishyam 3 Creates Massive Buzz: ‘ଦୃଶ୍ୟମ ୩’ର ଧମାକା, ରୋଜଗାର୍ କଲାଣି କୋଟି କୋଟି ଟଙ୍କା; ଫିଗର୍ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଅଜୟ ଦେବଗନ ପୁଣିଥରେ ବିଜୟ ସାଲଗାଓଁକର ଭୂମିକାରେ ବଡ଼ ପରଦାକୁ ଫେରିବାକୁ ପ୍ରସ୍ତୁତ। ଦର୍ଶକଙ୍କ ମଧ୍ୟରେ ବହୁପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’ ଅକ୍ଟୋବର ୨ରେ ପ୍ରେକ୍ଷାଳୟକୁ ଆସିବ। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ଦୃଶ୍ୟମ’ ଫ୍ରାଞ୍ଚାଇଜିର ତୃତୀୟ ତଥା ଶେଷ ଅଧ୍ୟାୟ ହେବ।

ଫିଲ୍ମ ରିଲିଜ୍‌କୁ ଆଉ ମାତ୍ର ୨ ଦିନ ବାକି ଥିବାବେଳେ ଆଡଭାନ୍ସ ବୁକିଂର ଟ୍ରେଣ୍ଡ ଏବେଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରେଡ୍ ରିପୋର୍ଟ ଅନୁସାରେ, ଫିଲ୍ମଟି ରିଲିଜ୍ ପୂର୍ବରୁ ହିଁ କୋଟି କୋଟି ଟଙ୍କାର ଟିକେଟ୍ ବିକ୍ରି କରିସାରିଛି।

ପ୍ରଥମ ଦିନ ପାଇଁ ୧୪ କୋଟିରୁ ଅଧିକ ବୁକିଂ

ରିପୋର୍ଟ ଅନୁସାରେ, ‘ଦୃଶ୍ୟମ ୩’ର ଆଡଭାନ୍ସ ବୁକିଂ ସେପ୍ଟେମ୍ବର ୨୭ରୁ ଆରମ୍ଭ ହୋଇଥିଲା। କେବଳ ରିଲିଜ୍ ଦିନ ଅର୍ଥାତ୍ ଅକ୍ଟୋବର ୨ ପାଇଁ ପ୍ରାୟ ୧୪.୨୨ କୋଟି ଟଙ୍କାର ଟିକେଟ୍ ବୁକିଂ ହୋଇଥିବା କୁହାଯାଉଛି। ଉପଲବ୍ଧ ଆକଳନ ଅନୁସାରେ, ୯,୪୫୪ଟି ଶୋ’ ପାଇଁ ପ୍ରାୟ ୩.୭୭ ଲକ୍ଷ ଟିକେଟ୍ ବୁକ୍ ହୋଇଛି। ସେହିପରି ଅକ୍ଟୋବର ୩ ପାଇଁ ପ୍ରାୟ ୬.୬୫ କୋଟି ଟଙ୍କା ଏବଂ ଅକ୍ଟୋବର ୪ ପାଇଁ ପ୍ରାୟ ୫.୮୪ କୋଟି ଟଙ୍କାର ଆଡଭାନ୍ସ ବୁକିଂ ହୋଇଥିବା ରିପୋର୍ଟ ରହିଛି।

ଅକ୍ଟୋବର ୫ ପାଇଁ ମଧ୍ୟ ବୁକିଂ ଆରମ୍ଭ ହୋଇସାରିଛି। ସମସ୍ତ ଦିନର ବୁକିଂକୁ ମିଶାଇ ଫିଲ୍ମର ଆଡଭାନ୍ସ ଟିକେଟ୍ ବିକ୍ରି ପ୍ରାୟ ୨୬.୭୨ କୋଟି ଟଙ୍କାରେ ପହଞ୍ଚିଥିବା କୁହାଯାଉଛି।

‘ଦୃଶ୍ୟମ ୨’ ପରେ ଆହୁରି ବଢ଼ିଛି କ୍ରେଜ୍

ହିନ୍ଦୀ ‘ଦୃଶ୍ୟମ’ ଫ୍ରାଞ୍ଚାଇଜିର ଆରମ୍ଭ ୨୦୧୫ରେ ହୋଇଥିଲା। ପ୍ରଥମ ଫିଲ୍ମରେ ଅଜୟ ଦେବଗନଙ୍କ ସହ ତବ୍ବୁ ଓ ଶ୍ରୀୟା ସରନ୍ ପ୍ରମୁଖ ଭୂମିକାରେ ଥିଲେ। ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ଭଲ ପ୍ରତିକ୍ରିୟା ପାଇଥିଲା। ତା’ପରେ ୨୦୨୨ରେ ଆସିଥିଲା ‘ଦୃଶ୍ୟମ ୨’। ଏଥିରେ ବିଜୟ ସାଲଗାଓଁକର ଓ ତାଙ୍କ ପରିବାରର କାହାଣୀକୁ ଆଗକୁ ବଢ଼ାଯାଇଥିଲା। ଫିଲ୍ମଟି ବକ୍ସ ଅଫିସ୍‌ରେ ମଧ୍ୟ ଜୋରଦାର ସଫଳତା ହାସଲ କରିଥିଲା।

ଏବେ ତୃତୀୟ ଭାଗରେ ସେହି ପରିବାର ପୁଣି ନୂଆ ସମସ୍ୟାରେ ପଡ଼ିବା ସହ କାହାଣୀ ତା’ର ଶେଷ ପର୍ଯ୍ୟାୟକୁ ପହଞ୍ଚିବ। ନିର୍ଦ୍ଦେଶକ ଅଭିଷେକ ପାଠକ ମଧ୍ୟ ଏହା ହିନ୍ଦୀ ଫ୍ରାଞ୍ଚାଇଜିର ଶେଷ ଅଧ୍ୟାୟ ବୋଲି ସ୍ପଷ୍ଟ କରିଛନ୍ତି।

ଅଜୟଙ୍କ ସହ ଏହି ତାରକାମାନେ

‘ଦୃଶ୍ୟମ ୩: ଦ କନକ୍ଲୁଜନ୍’ରେ ଅଜୟ ଦେବଗନଙ୍କ ସହ ତବ୍ବୁ, ଶ୍ରୀୟା ସରନ୍, ରଜତ କପୁର, ଇଶିତା ଦତ୍ତା, ମୃଣାଳ ଯାଧବ ଓ କମଲେଶ ସାୱନ୍ତ ନଜର ଆସିବେ। ଏହା ସହ ତୃତୀୟ ଭାଗରେ ଜୟଦୀପ ଅହଲାୱତ ଓ ପ୍ରକାଶ ରାଜଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଆଡଭାନ୍ସ ବୁକିଂର ଚିତ୍ର ଦେଖିଲେ ଫିଲ୍ମର ଶେଷ ଅଧ୍ୟାୟକୁ ନେଇ ଦର୍ଶକଙ୍କ ମଧ୍ୟରେ ଜୋରଦାର ଉତ୍ସାହ ଥିବା ସ୍ପଷ୍ଟ ହେଉଛି। ଏବେ ନଜର ଅକ୍ଟୋବର ୨ର ଓପନିଂ ଡେ କଲେକ୍ସନ୍ ଉପରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।