Flydubai Horror: ମଝି ଆକାଶରେ ଭୟଙ୍କର ଘଟଣା, ସହପାଇଲଟ୍ଙ୍କ ସହ ଲଢ଼ିଲେ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ଭାରତୀୟ କ୍ୟାପ୍ଟେନ୍
ଫ୍ଲାଇଦୁବାଇ ବିମାନର ଭାରତୀୟ କ୍ୟାପ୍ଟେନ୍ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଉଦ୍ୟମ କରୁଥିବା ସହପାଇଲଟ୍ଙ୍କ ସହ ଲଢ଼ି ୧୮୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଛୁରିମାଡ଼ରେ ଆହତ ହେବା ସତ୍ତ୍ୱେ ଭାରତୀୟ କ୍ୟାପ୍ଟେନ୍ ବିମାନକୁ ରକ୍ଷା କରିଥିଲେ। ଇସ୍ରାଏଲୀ ଅଧିକାରୀମାନେ ଏହାକୁ ଦ୍ୱିତୀୟ ୯/୧୧ ଭଳି ଏକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ଉଦ୍ୟମ ବୋଲି କହୁଛନ୍ତି।
ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇର ବିମାନରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ବିମାନ ଉଡ଼ାଣ ସମୟରେ ଜଣେ ପାଇଲଟ୍ ଅନ୍ୟ ପାଇଲଟ୍ଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଇସ୍ରାଏଲୀ ଗଣମାଧ୍ୟମ ଅନୁସାରେ, ଆକ୍ରମଣର ଶିକାର ହୋଇଥିବା କ୍ୟାପ୍ଟେନ୍ ଭାରତୀୟ ନାଗରିକ । ତେବେ ଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ,ସେ ଭାରତୀୟ ବଂଶୋଦ୍ଭବ ବୋଲି ସୂଚନା ମିଳିଛି।
ରିପୋର୍ଟ ଅନୁସାରେ, ଓମାନର ସହପାଇଲଟ୍ ହଠାତ୍ କ୍ୟାପ୍ଟେନ୍ଙ୍କୁ ଛୁରିରେ ଆକ୍ରମଣ କରିଥିଲା। ଏହାପରେ ବିମାନଟି ତଳକୁ ଖସିବା ଆରମ୍ଭ କରିଥିଲା। କ୍ୟାପ୍ଟେନ୍ ଆକ୍ରମଣର ପ୍ରତିରୋଧ କରିବା ସହ ବିମାନକୁ ନିୟନ୍ତ୍ରଣରେ ରଖିବା ପାଇଁ ଲଢ଼ିଥିବା କୁହାଯାଉଛି। ଏହି ସମୟରେ ବିମାନର ସାମ୍ନା ଭାଗରେ ବସିଥିବା କିଛି ଯାତ୍ରୀ କକପିଟ୍ ଭିତରକୁ ଯାଇ ଆକ୍ରମଣକାରୀଙ୍କୁ କାବୁ କରିବାରେ ସହଯୋଗ କରିଥିଲେ।
ଜଣେ ଯାତ୍ରୀଙ୍କ କହିବା ଅନୁସାରେ, କକପିଟ୍ ଭିତରେ ରକ୍ତ ଦେଖି ଜଣେ ଯାତ୍ରୀ ସହାୟତା ପାଇଁ ଚିତ୍କାର କରିଥିଲେ। ଏହାପରେ ଅନ୍ୟ କିଛି ଯାତ୍ରୀ ମିଶି ଆକ୍ରମଣକାରୀଙ୍କୁ ଧରିଥିଲେ। ଆକ୍ରମଣକାରୀଙ୍କୁ କକପିଟ୍ରୁ ହଟାଇବା ପରେ ପାଇଲଟ୍ ବିମାନକୁ ନିୟନ୍ତ୍ରଣକୁ ନେଇଥିଲେ।
ଘଟଣାରେ ଆହତ କ୍ୟାପ୍ଟେନ୍ଙ୍କ ଅବସ୍ଥା ଗୁରୁତର ଥିବା ଜଣେ ଯାତ୍ରୀ କହିଛନ୍ତି। ବିମାନରେ ଯାତ୍ରା କରୁଥିବା ଜଣେ ଇସ୍ରାଏଲୀ ଦନ୍ତ ଚିକିତ୍ସକ ଆହତ ପାଇଲଟ୍ଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେଇଥିବା ମଧ୍ୟ ଜଣାପଡ଼ିଛି। ଯାତ୍ରୀଙ୍କ ଅନୁସାରେ, ଏହି ପ୍ରାଥମିକ ଚିକିତ୍ସା ଆହତ ପାଇଲଟ୍ଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା।
ଇସ୍ରାଏଲୀ ଅଧିକାରୀମାନେ ଏହାକୁ ଏକ ବଡ଼ ସୁରକ୍ଷା ଘଟଣା ଭାବେ ଦେଖୁଛନ୍ତି। ଜଣେ ଅଧିକାରୀ କହିଥିବା ଅନୁସାରେ, ଏହି ଘଟଣାରେ ଏକ ବଡ଼ ଆକ୍ରମଣ ଏଡ଼ାଇ ଦିଆଯାଇଥିଲା। ତେବେ ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ ନେଇ ତଦନ୍ତ ଜାରି ରହିଛି।
ଅନ୍ୟପଟେ ଆକ୍ରମଣକାରୀ ଓମାନୀ ସହପାଇଲଟ୍ଙ୍କୁ ଇସ୍ରାଏଲ ଯିବା ପାଇଁ କିପରି ଅନୁମତି ମିଳିଲା, ତାହା ନେଇ ମଧ୍ୟ ତଦନ୍ତ ହେଉଛି। ସେ ଫ୍ଲାଇଦୁବାଇରେ ଏକ ବର୍ଷରୁ କମ୍ ସମୟ ଧରି କାମ କରୁଥିବା ଇସ୍ରାଏଲୀ ସୂତ୍ରକୁ ଉଦ୍ଧୃତ କରି ଗଣମାଧ୍ୟମ ରିପୋର୍ଟ କରିଛି। ଉଭୟ ପାଇଲଟ୍ ବର୍ତ୍ତମାନ ସାଉଦି ଆରବର ତାବୁକ୍ସ୍ଥିତ ଏକ ହସ୍ପିଟାଲରେ ଥିବା ଜଣାପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।