Durga Puja: ପୂଜାରେ ଓଡ଼ିଆ ଫିଲ୍ମ: ତିନି ପ୍ରେମ କାହାଣୀ, ତିନି ଆକ୍ସନ୍ ଛବି
"ଶିବଶଙ୍କର ଓଝା ୨୦୨୬ ଦୁର୍ଗାପୂଜା ଓଡ଼ିଆ ସିନେପ୍ରେମୀଙ୍କ ଲାଗି ଆଣିଛି ବଡ଼ ସୁଯୋଗ।
ଭିନ୍ନ ଭିନ୍ନ ସ୍ବାଦର ଛଅଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ଏଥର।
ସେଗୁଡ଼ିକ ହେଲା, "ମନ୍ଷ୍ଟର୍", "ଏ ଡବ୍ଲୁ ଏମ୍", "ମଧୁମାଳତୀ", "ଡେଞ୍ଜର୍ ଦେବଦାସ", "ଗେମ୍ ଓଭର" ଓ "ମୋହନଗିରି"।
ଏଥର ପୂଜା ବଜାରର ବିଶେଷତ୍ବ ହେଲା, ତିନିଟି ଛବି ଆକ୍ସନ୍ ଧର୍ମୀ ଏବଂ ଅନ୍ୟ ତିନିଟି ପ୍ରେମକାହାଣୀଭିତ୍ତିକ ଚଳଚ୍ଚିତ୍ର। "ମଧୁମାଳତୀ", "ମୋହନଗିରି" ଓ "ଏ ଡବ୍ଲୁ ଏମ୍" ପ୍ରେମକାହାଣୀ ଆଧାରିତ ହୋଇଥିବା ବେଳେ "ମନ୍ଷ୍ଟର୍", "ଡେଞ୍ଜର୍ ଦେବଦାସ" ଓ "ଗେମ୍ ଓଭର୍" ଆକ୍ସନ୍ ମୁଭି।
Advertisment Seva Sankalp campaign: ସେବା ସଂକଳ୍ପ ଅଭିଯାନରେ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ତିନି ଭିନ୍ନସ୍ବାଦର ପ୍ରେମକାହାଣୀଅଶୋକ କୁମାର ପାଢ଼ୀ ଓ ବ୍ରଜକିଶୋର ମିଶ୍ରଙ୍କ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ "ମଧୁମାଳତୀ" ହେଉଛି ଟିନ୍ଏଜ୍ ଲଭ୍ଷ୍ଟୋରି।
୧୯୮୦ ଦଶକରେ ଗଁାର ଦୁଇ କିଶୋର-କିଶୋରୀ ପରସ୍ପରକୁ ଭଲପାଇ ବସନ୍ତି, ମାତ୍ର ସେ ଦୁହେଁ ଜୀବନସାଥୀ ହୋଇପାରନ୍ତି ନାହିଁ।
ଆଜିକା ସମୟରେ ଉଭୟଙ୍କର ପୁଣି ଦେଖା ହେବା ପରେ କ"ଣ ସବୁ ଘଟିଛି, ତାହା "ମଧୁମାଳତୀ"ର ମୁଖ୍ୟ ଉପଜୀବ୍ୟ।
ଏହି ସିନେମାରେ ପ୍ରଥମ ଥର ପାଇଁ ବଲିଉଡ୍ର ଜଣାଶୁଣା ଅଭିନେତା ସଞ୍ଜୟ ମିଶ୍ରାଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ।
ଏଥିରେ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ଅର୍ଦ୍ଧଶତାବ୍ଦୀର ଅଭିନେତ୍ରୀ ମହାଶ୍ବେତା।
ଏହାଛଡ଼ା ଭୂମିକା, ଆକାଶ ହୋତା, ସରୋଜ, ପ୍ରଜ୍ଞା ଓ କେ.କେ.
ପ୍ରମୁଖଙ୍କୁ ଦେଖିବାକୁ ମିଳିଛି।
ପ୍ରିୟବ୍ରତ ପଣ୍ଡା ଏହା କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ସଙ୍ଗୀତରେ ଅଛନ୍ତି ବୈଦ୍ୟନାଥ ଦାଶ।
ଠିକ୍ ସେହିପରି ନୂଆ ନିର୍ଦ୍ଦେଶକ ଋଷଭ ଅଗ୍ରୱାଲଙ୍କ ସିନେମା "ଏ ଡବ୍ଲୁ ଏମ୍"ରେ ପ୍ରଦର୍ଶିତ ହୋଇଛି ଜଣେ ଦିବ୍ୟାଙ୍ଗ ଯୁବକ ଓ ସୁନ୍ଦରୀ ଯୁବତୀଙ୍କ ପ୍ରେମକାହାଣୀ।
ଆଗ୍ନେ ଓ ମିନଲ୍ ପରସ୍ପରକୁ ଭଲପାଇ ବାହା ହୁଅନ୍ତି, ହେଲେ ତା"ପରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତାନ୍ତର ଓ ମନାନ୍ତର ହିଁ ସିନେମାର ପ୍ରମୁଖ ପ୍ରସଙ୍ଗ।
ମନୋଜ ମିଶ୍ର, ମମତା ନନ୍ଦ, ଫୋରୁନ ଶାହା ଅଗ୍ରୱାଲ, ଜଗନ ମହନ୍ତ ଓ ପ୍ରଶାନ୍ତ ବେହେରାଙ୍କ ପ୍ରଯୋଜିତ ଏହି ସିନେମାରେ ମନୋଜ ମିଶ୍ର, ଅର୍ଲିନ ଅଙ୍କିତା, ଉଷସୀ ମିଶ୍ର ଓ ଶକ୍ତି ବରାଳ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।
ଏହାଛଡ଼ା କୁକିଜ୍ ସ୍ବାଇଁ, ଶିବମ୍ ଆଲେକ୍ସ ଓ ଜୟଦେବ ରାଉଳଙ୍କୁ ବି ଦେଖିବାକୁ ମିଳିଛି।
ଏଣେ ନବାଗତ ରିୟାଜ୍ ଖାନ୍ଙ୍କ ନିର୍ଦ୍ଦେଶିତ "ମୋହନଗିରି"ରେ ରହିଛି ଦୁଇ ଜନ୍ମର ପ୍ରେମକାହାଣୀ।
ଏ ଜନ୍ମରେ ନାୟକ ଜଣଙ୍କୁ ଭଲପାଉଛି, କିନ୍ତୁ ମୋହନଗିରିକୁ ଯିବା ପରେ ତା"ର ପୂର୍ବ ଜନ୍ମର ପ୍ରେମ ପ୍ରସଙ୍ଗ ମନେପଡୁଛି।
ପୂର୍ବ ଜନ୍ମର ପ୍ରେମ କାହିଁକି ଅସଫଳ ହୋଇଥିଲା, ତାହା ଦେଖିବାକୁ ମିଳିଛି ସିନେମାରେ।
ଏଥିରେ ସାର୍ଥକ, ଅର୍ଲିନ ଅଙ୍କିତା, ହିରଣ୍ମୟୀ, ଉଷସୀ ମିଶ୍ର, ଦେବ୍ ପ୍ରମୁଖ ନଜର ଆସିଛନ୍ତି ମୁଖ୍ୟ ଭୂମିକାରେ।
ବୈଦ୍ୟନାଥ ଦାଶ ଏହାର ସଙ୍ଗୀତକାର।
Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍କୋର୍ଟ ତିନି ଆକ୍ସନ୍ ଫିଲ୍ମପୂଜା ବଜାରକୁ ସରଗରମ କରିଥିବା ତିନି ଆକ୍ସନ୍ ଫିଲ୍ମରେ ରହିଛି ପ୍ରେମ, ପ୍ରତିଶୋଧ, ପ୍ରତାରଣାର ତଡ଼କା।
ଦେବରାଜ ବିଧାରଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ "ମନଷ୍ଟର୍"ରେ ଆଦିତ୍ୟ, ମହାଶ୍ବେତା, ଦିବ୍ୟଜ୍ୟୋତି, କେ.କେ., ରାଜ୍ ରାଜେଶ, ଜୟପ୍ରକାଶ ଦାସ ଓ ସୂର୍ଯ୍ୟମୟୀଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଛି।
ଏହାଛଡ଼ା ଗ୍ଲାମରସ୍ ସ୍ବପ୍ନା ପ୍ରିୟଦର୍ଶିନୀଙ୍କ ଆଇଟମ୍ ନମ୍ବର ବି ଅଛି।
ଆଶିଷ ପ୍ରଧାନ ଏହାର ସଙ୍ଗୀତ ନିର୍ଦ୍ଦେଶକ।
ଏହି ଫିଲ୍ମରେ ଆକ୍ସନ୍ ସିନ୍ଗୁଡ଼ିକ ଦେଖିବା ଭଳି ହୋଇଛି ବୋଲି ଚର୍ଚ୍ଚା ଶୁଣିବାକୁ ମିଳିଛି।
ସେହିପରି ଆଦିଲକ୍ଷ୍ମୀ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ପ୍ରସ୍ତୁତ ତଥା ରାଜା ଡି.ଙ୍କ ନିର୍ଦ୍ଦେଶିତ "ଗେମ୍ ଓଭର୍"ରେ ବି ରହିଛି ଧମାକାଦାର ଆକ୍ସନ୍।
ଏଥିରେ ନାୟକ ଅର୍ଦ୍ଧେନ୍ଦୁ ଓ ଖଳନାୟକ ଅଂଶୁମାନଙ୍କର ଜବରଦସ୍ତ ଟକ୍ରାଟକ୍ରି ଦର୍ଶକଙ୍କୁ ଭଲ ଲାଗୁଛି ବୋଲି ପ୍ରାରମ୍ଭିକ ପ୍ରତିକ୍ରିୟା ମିଳିଛି।
ଏଥିରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ମହାଶ୍ବେତା, ସୁପ୍ରିୟା, କୁନା ତ୍ରିପାଠୀ, ପୃଥ୍ବୀରାଜ, ବିଭାସ ଓ ରତନ ମେହେର ପ୍ରମୁଖ ଅଛନ୍ତି।
ତେଣେ ଦମ୍ଦାର ଷ୍ଟାରକାଷ୍ଟ ସହ ଆସିଛି ଶୁଭ୍ରା ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅଶ୍ବିନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ "ଡେଞ୍ଜର ଦେବଦାସ"।
ଏଥିରେ ଅମ୍ଳାନ, ଜ୍ୟୋତି, ଏଲିନା ସାମନ୍ତରାୟ, ଅନିଶା ଶର୍ମା, ପପୁ ପମ୍ପମ୍, ବବି ମିଶ୍ର, ସୁଶାନ୍ତ ଦାଶ ମହାପାତ୍ର, ସୁକୁମାର ଟୁଡୁ ଓ କୁନା ତ୍ରିପାଠୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।
ଆକ୍ସନ୍ ସାଙ୍ଗକୁ ଫ୍ୟାମିଲି ଡ୍ରାମା, ରୋମାନ୍ସ ଓ ଆଇଟମ୍ ନମ୍ବର ଏହାର ଅନ୍ୟାତମ ଆକର୍ଷଣ।
ଅମିତ ଦାଶ ଓ ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପକାର ଏବଂ ଏଥିରେ ସ୍ବର ସଂଯୋଜନା କରିଛନ୍ତି ଗୌରବ ଆନନ୍ଦ।
ପୂଜା ବଜାରର ଉପରୋକ୍ତ ଛଅଟି ସିନେମା ମଧ୍ୟରୁ କାହାକୁ ଦର୍ଶକ ସବୁଠାରୁ ଅଧିକ ପସନ୍ଦ କରୁଛନ୍ତି, ତାହା ଆଉ କିଛିଦିନ ଭିତରେ ଜଣାପଡ଼ିବ।
ଏକାବେଳେକେ ଛଅଟି ଛବି ଆସିବା ନିଶ୍ଚିତ ଭାବେ ଓଲିଉଡ୍ ପାଇଁ ଆନନ୍ଦର ବିଷୟ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।