Eco-Friendly Rakhi Using Sabai Grass: ସବାଇଘାସରେ ଇକୋ-ଫ୍ରେଣ୍ଡଲି ରାକ୍ଷୀ, ମହିଳା କାରିଗରଙ୍କ ନିଆରା କାରିଗରୀ
ଭାଇ-ଭଉଣୀଙ୍କ ଅତୁଟ ବନ୍ଧନର ସାକ୍ଷୀ ହେଉଛି ରାକ୍ଷୀ। ତେବେ ଏହି ରାକ୍ଷୀକୁ ସ୍ବତନ୍ତ୍ର କରିବା ପାଇଁ ଇକୋ ଫ୍ରେଣ୍ଡଲି ରାକ୍ଷୀ ମାର୍କେଟରେ ବେଶ ଚାହିଦା ରହିଛି। ସବାଇ ଘାସ ସହ ରେଶମୀ ସୂତା, ନାଲି ନେଳିର ଏହି ରାକ୍ଷୀ ବଜାରର ଅନ୍ୟ ରାକ୍ଷୀଠୁ ବେଶ ଅଲଗା ବାରି ହେଉଛି। ସବାଇ ଘାସକୁ ନେଇ ମୟୂରଭଞ୍ଜ ବାରିପଦାର ମହିଳା କାରିଗରମାନେ ତିଆରି କରିଛନ୍ତି ଏହି ନିଆରା ରାକ୍ଷୀ। ଯାହାକି ଖୁବ ସୁନ୍ଦର ହୋଇଛି। ସବାଇ ଘାସ, ଧାନ, ଅରୁଆ ଚାଉଳ ଓ ବିଭିନ୍ନ ପ୍ରାକୃତିକ ସାମଗ୍ରୀରେ ତିଆରି ହୋଇଛି ଏହି ସୁନ୍ଦର ସୁନ୍ଦର ମନକୁ ଛୁଇଁଲା ପରି ରାକ୍ଷୀ। ଏହାସହିତ ରାକ୍ଷୀରେ ଦେଖିବାକୁ ମିଳିଛି ମୟୂରଭଞ୍ଜର ବିଶ୍ବବିଖ୍ୟାତ ଡୋକ୍ରା କଳାର ଛାପ।
ପରମ୍ପରା, ପ୍ରକୃତି ଓ ଆଧୁନିକତାର ଏହି ମିଶ୍ରଣ ରାକ୍ଷୀକୁ କରିଛି ଅନନ୍ୟ। ଖାଲି ସେତିକି ନୁହେଁ ଏହି ରାକ୍ଷୀ ପ୍ରସ୍ତୁତ କରି ମହିଳା ମାନେ ମଧ୍ୟ ସ୍ବାବଲମ୍ବୀ ହେବା ସହ ସ୍ଥାନୀୟ କଳା ଓ ହସ୍ତଶିଳ୍ପକୁ ବଜାର ଯୋଗାଇବାରେ ସହାୟକ ହୋଇଛି ଓରମାସ। ସବାଇ ଘାସର ରାକ୍ଷୀ ୨୦ଟଙ୍କାରୁ ଆରମ୍ଭ ହୋଇ ୪୦ଟଙ୍କା ପର୍ଯ୍ୟନ୍ତ ରହିଛି। ଅନ୍ୟ ରାକ୍ଷୀ ତୁଳନାରେ ଏହି ରାକ୍ଷୀର ଦାମ କମ ଥିବାର ଗ୍ରାହକ ମାନେ ମଧ୍ୟ କିଣିବାକୁ ଖୁବ ପସନ୍ଦ କରୁଛନ୍ତି। ଏଯାବତ ୬ହଜାରୁ ଅଧିକ ରାକ୍ଷୀ ବିକ୍ରି ହୋଇ ସାରିଥିବା ବେଳେ ଆଗକୁ ବ୍ୟବସାୟ ଆହୁରି ବଢିବା ନେଇ ନୁହେଁ ରଖିଛନ୍ତି ବ୍ୟବସାୟୀ।
ଏପଟେ କେନ୍ଦ୍ରାପଡାରେ ମଧ୍ୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିବେଶ ଉପଯୋଗୀ ରାକ୍ଷୀ ପ୍ରସ୍ତୁତ କରିଛନ୍ତି। କାଇଁଚ ବା ଗୋଲଡେନ ଗ୍ରାସ୍ ରେ ତିଆରି ହୋଇଛି ଖୁବ ସୁନ୍ଦର ରାକ୍ଷୀ। ପ୍ଲାଷ୍ଟିକ ଓ ପଲିଥିନ୍ ପରିବେଶକୁ ଅସୁରକ୍ଷିତ କରୁଥିବାରୁ ଏହି ସମସ୍ୟାକୁ ଅନୁଭବ କରି ପରିବେଶ ଅନୁକୂଳ ରାକ୍ଷୀ ତିଆରି କରିଛନ୍ତି କେନ୍ଦ୍ରାପଡା ବାରୋ ଗାଁର ସିଦ୍ଧ ବଳଦେବଜୀଉ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା। ପ୍ରାୟ ଦେଢ ଶହରୁ ଅଧିକ ମହିଳ ମାନେ ଏକାଠି ହୋଇ କାଇଁଚ, ରଙ୍ଗୀନ କାଚ, ଚୁମୁକି, ରଙ୍ଗବେରଙ୍ଗର ଉଲ୍, ରେଶମୀ ସୂତା ଓ ଷ୍ଟୋନକୁ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି ଏହି ରାକ୍ଷୀ। ଯାହାର ମୂଲ୍ୟ ୨୦ରୁ ଟଙ୍କାରୁ ଆରମ୍ଭ କରି ୫୦ଟଙ୍କା ପର୍ଯ୍ୟନ୍ତ ରହିଛି। ଚଳିତ ବର୍ଷ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତାରୁ ଏହି ରାକ୍ଷୀ ପାଇଁ ଅର୍ଡର ଆସିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।