What Caused Ocean Winner Sink: ୮ ମିନିଟରେ ଦୁଇଫାଳ, Ocean Winner ବୁଡ଼ିବା ପଛରେ କ’ଣ ରହସ୍ୟ?

Aug 26, 2026 - 20:27
What Caused Ocean Winner Sink: ୮ ମିନିଟରେ ଦୁଇଫାଳ, Ocean Winner ବୁଡ଼ିବା ପଛରେ କ’ଣ ରହସ୍ୟ?

ପାରାଦୀପ ବନ୍ଦରରୁ ବାହାରିଥିବା MV Ocean Winner ଜାହାଜରେ ଏମିତି କଣ ଘଟିଲା ଯାହା ରହସ୍ୟ ଦିନକୁ ଦିନ ଅଧିକ ଘନଉଛି। ଆବଶ୍ୟକରୁ ଅଧିକ ଓଜନର ମାଲ୍ ନେଉଥିଲା କି ? ଆଦ୍ରତାର ମାତ୍ରା ଅଧିକ ଥିଲା କି ? ଯାହା ଫଳରେ ଆଖି ଆଗରେ, ଚାହୁଁ ଚାହୁଁ ଦି ଫାଳ ହୋଇଗଲା MV Ocean Winner। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ଭାଇରାଲ୍ ଭିଡିଓକୁ ଥରେ ଦେଖନ୍ତୁ...ପାରାଦୀପ ବନ୍ଦରରେ ଲାଗିଥିବା Ocean Winnerର ଲୋଡିଂ ସମୟର ୟେ ଦୃଶ୍ୟ। କେମିତି ଲୁହାପଥର ଗୁଣ୍ଡ ବୋଝେଇ ହେଉଛି। ପାଣି ସଢ଼ ସଢ଼ ତାସହ ଆଦ୍ରତା ଭରପୁର। ଲୁହାପଥର ଗୁଣ୍ଡରେ ଯେତିକି ଆଦ୍ରତା ରହିବା କଥା ବୋଧେ ସେତିକି ନଥିଲା। ଆବଶ୍ୟକତାରୁ ଅଧିକ ଆଦ୍ର ଥିବା ସତ୍ତ୍ବେ ଏହାକୁ ଜାହାଜରେ ଲୋଡ୍ କରାଯାଇଥିଲା କି ?

ଆଦ୍ରତା ଅର୍ଥ ଜାହାଜରେ ଲୋଡ୍ ହେଉଥିବା ସାମଗ୍ରୀରେ ଥିବା ପାଣିର ଅଂଶ। Ocean Winner ପାରାଦୀପ ଛାଡ଼ିବା ପୂର୍ବରୁ ଇନସ୍ୟୁରେନ୍ସ କମ୍ପାନୀର ଏଇ ଯାଞ୍ଚ ରିପୋର୍ଟକୁ ଥରେ ନଜର ପକାନ୍ତୁ। ୪୫ ହଜାର ମେଟ୍ରିକ୍ ଟନ୍ ର ଲୁହା ପଥର ବୋଝେଇ ଯାଉଥିବା ଏହି ଜାହାଜରେ ଆଦ୍ରତା ପରିମାଣ ଥିଲା ୯୦ ପ୍ରତିଶତ। ବାସ୍ ଯାହା ଭିଡିଓରେ ବାରି ହେଉଥିଲା, ସେମିତି କିଛି ତଥ୍ୟ ଆଡ଼କୁ ୟେ ବି ଇସାରା କରୁଛି। ହେଲେ ଆଦ୍ରତା ଅଧିକ ରହିଲେ କଣ ଜାହାଜ ବୁଡ଼ିଯିବ? କ’ଣ ଜାହାଜ ଓଜନ ସମ୍ଭାଳି ପାରିବନି?

ଭଲ ଭାବେ ବୁଝନ୍ତୁ, MV Ocean Winner ସହ କ’ଣ ଘଟି ଥାଇପାରେ। ସାଧାରଣତଃ ସମୁଦ୍ରରେ ଜାହାଜ ଦୁଇ ପ୍ରକାରର ଓହ୍ଲାଇ ଥାଏ। Tender Ship ଓ Stiff Ship। ଗୋଟିଏ ଅଧିକ ଝୁଲି ଥାଏ, ଅନ୍ୟଟି କମ୍। ଜାହାଜରେ ଓଜନ ବେଶୀ ଥିଲେ ଏହାର ମାଧ୍ୟାକର୍ଷଣ ଶକ୍ତି ତଳ ମୁହାଁ ହୋଇ ୟେ କମ୍ ଦୋହଲି ଥାଏ। ଯାହା ଜାହାଜ ପାଇଁ ନିରାପଦ। କିନ୍ତୁ MV Ocean Winner କ୍ଷେତ୍ରରେ ଓଜନ ଅଧିକ ଥିବା ସତ୍ତ୍ବେ ଆଦ୍ରତା ଥିବାରୁ ମାଲ୍ ତଳେ ଥିଲା ଓ ଜଳୀୟ ଅଂଶ ଅଧିକ ଥିବାରୁ ଅଧିକ ଝୁଲିଥିଲା। ଫଳରେ ସମୟ ସହ ୟେ ଗୋଟିଏ ପଟକୁ ଅଧିକ ଢଳିଥିବା କୁହାଯାଉଛି। ଆଉ ଢଳି ଢଳି ମାତ୍ର ୮ ମିନିଟରେ ମଝିରୁ ଦୁଇ ଫାଳ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଏବେ ବି ଜାହାଜର ପତ୍ତା ମିଳିନଥିବା ବେଳେ ୨୨ ଜଣ ନାବିକ ଗଲେ କୁଆଡ଼େ ସେ ଖୋଜଖବର ନାହିଁ। ଭାରତ ସହ ଚୀନର ଜାହାଜ ବି ଖୋଜାଖୋଜିରେ ଲାଗିଛନ୍ତି। 

୯ ସେପ୍ଟେମ୍ବର ୨୦୦୯ ପାରାଦୀପ ବନ୍ଦରରୁ ମାତ୍ର କିଛି କିଲୋମିଟର ଦୂରରେ ଜଳ ସମାଧି ନେଇଥିଲା MV Black Rose। ୨୩ ହଜାର ମେଟ୍ରିକ୍ ଟନରୁ ଅଧିକ ଲୁହା ପଥର ବୋଝେଇ ହୋଇ ଚୀନ ଯିବାକୁ ଥିବା ବ୍ଲାକରୋଜ୍ ଜାହାଜ ଆଜି ବି ସେମିତି ବୁଡ଼ି ରହିଛି। ଘଟଣାରେ ସିବିଆଇ ତଦନ୍ତ ହୋଇଥିଲେ ବି ଏହାର କାରଣ ଜଣାପଡ଼ିନି। MV Ocean Winner ସହ କ’ଣ ସେମିତି ଘଟିଛି ଆଉ ଘଟିବ? କେମିତି ବୁଡ଼ିଥିଲା ଓ କ’ଣ ଘଟିଲା ସେ କଥା ଜଣାପଡ଼ିବ ନା ନାହିଁ? ଆଦ୍ରତା ଏତେ ଥିବା ସତ୍ତ୍ବେ କାହିଁକି ଲୋଡିଂର ଅନୁମତି ଦିଆଗଲା ସେ ନେଇ ତଦନ୍ତ କେବେ ହେବ ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।