Eden: ଇଡେନ୍‌ ସ୍ମୃତିକୁ ଜୀବନ୍ତ କଲା ଉରୁଗୁଏ: ଭାରତକୁ ‘ଲାଟିନ ଆମେରିକା’ ଦେଉଛି ନୂଆ ଭରସା

Oct 06, 2026 - 09:25
Eden: ଇଡେନ୍‌ ସ୍ମୃତିକୁ ଜୀବନ୍ତ କଲା ଉରୁଗୁଏ: ଭାରତକୁ ‘ଲାଟିନ ଆମେରିକା’ ଦେଉଛି ନୂଆ ଭରସା

"ଭୂବନେଶ୍ବର (ଦେବାଶିଷ ସୁନ୍ଦରାୟ): ସମୟର କରାଳ ସ୍ରୋତରେ ଅନେକ ସ୍ମୃତି ଧୀରେଧୀରେ ଧୂମିଳ ପଡ଼ିଯାଏ।

ହେଲେ ଭାରତୀୟ ଫୁଟ୍‌ବଲ୍‌ର ଅନ୍ୟତମ ପେଣ୍ଠସ୍ଥଳୀ କୋଲକାତା ସହରରେ ଅତୀତରେ ଏମିତି କିଛି ଫୁଟବଲ୍‌ ମ୍ୟାଚ୍‌ ଖେଳାଯାଇଛି, ଯାହାକୁ ଭାରତୀୟ କ୍ରୀଡ଼ାପ୍ରେମୀ କେବେବି ଭୁଲିପାରିବେନି।

ସେହି ମ୍ୟାଚ୍‌ଗୁଡ଼ିକର ପଦଚିହ୍ନ ଆଜି ବି କୋଲକାତା ସହରର କାନ୍ଥ, ପୁରୁଣା ଖବରକାଗଜର ପୃଷ୍ଠା ଏବଂ ପିଢ଼ି ପରେ ପିଢ଼ି ଫୁଟ୍‌ବଲ୍‌କୁ ଭଲପାଇ ଆସୁଥିବା ଲୋକଙ୍କ ସ୍ମୃତିରେ ବଞ୍ଚି ରହିଛି।

ଆଜିର କ୍ରିକେଟ୍‌ ଗଡ଼ ଇଡେନ୍ ଗାର୍ଡେନ୍ସରେ ୧୯୮୨ ମସିହାରେ ଖେଳାଯାଇଥିବା ସେହି ମ୍ୟାଚ୍‌ର ଅଭୁଲା ସ୍ମୃତି କେବଳ କୋଲକାତା ନୁହେଁ, ଏବେବି ଭାରତୀୟ ଫୁଟ୍‌ବଲ୍‌ର ଅନ୍ୟତମ ସ୍ମରଣୀୟ ଓ ସ୍ବର୍ଣ୍ଣିମ ସ୍ମୃତି ଭାବେ ଲିପିବଦ୍ଧ ହୋଇ ରହିଛି।

୪୪ ବର୍ଷ ପରେ ସେହିଭଳି ଏକ ଐତିହାସିକ ମୁହୂର୍ତ୍ତର ଦ୍ୱାର ପୁଣି ଖୋଲିବାକୁ ଯାଉଛି।

କୋଲକାତାର ସଲ୍ଟଲେକ୍‌ସ୍ଥିତ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଭାରତ ମଙ୍ଗଳବାର ସାମ୍ନା କରିବାକୁ ଯାଉଛି ଦୁଇଥର ବିଶ୍ୱକପ୍‌ ବିଜେତା ଉରୁଗୁଏକୁ।

ପୂର୍ବରୁ ଏହି ଷ୍ଟାଡିୟମ୍‌ରେ ଭାରତ ପାଞ୍ଚ ଥର ବିଶ୍ବବିଜେତା ବ୍ରାଜିଲକୁ ଶନିବାର ଭେଟି ୦-୪ରେ ପରାଜିତ ହୋଇଛି।

ଏହି ମ୍ୟାଚ୍‌କୁ ଭାରତୀୟ ଦଳ ହାରି ଯାଇଛି ସତ।

ହେ‌ଲେ ୨୭ ମିନିଟ୍‌ କାଳ ବ୍ରାଜିଲ ଭଳି ଏକ ଦୁର୍ଦ୍ଧର୍ଷ ଦଳକୁ ଗୋଲ୍‌ରୁ ଅଟକାଇ ଆଜିର ଭାରତୀୟ ଦଳ ପ୍ରତିଶ୍ରୁତିର ସମ୍ଭାର ଛାଡ଼ିଛି।

ସେହିଭଳି ସେପ୍ଟେମ୍ବର ୨୫ରେ ବେଙ୍ଗାଲୁରୁରେ ଖେଳିଥିବା ପାନାମା ବିପକ୍ଷ ଅନ୍ୟତମ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌କୁ ଭାରତ ୧-୧ରେ ଡ୍ର" ରଖି ଆତ୍ମବିଶ୍ବାସ ବି ପାଇଛି।

ଉରୁଗୁଏ ବିପକ୍ଷରେ ମଧ୍ୟ ଭାରତ ଅନ୍ତତଃ ସେହି  ସଫଳତା ଦୋହରାଇବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

ବ୍ରାଜିଲ ଓ ଉରୁଗୁଏ ଭଳି ଲାଟିନ ଆମେରିକୀୟ ଦଳ ବିପକ୍ଷରେ ଖେଳିବା କିନ୍ତୁ ଭାରତୀୟ ଫୁଟ୍‌ବଲ୍‌ ପାଇଁ ନୂଆ ଭରସା ଭାବେ ଉଭା ହୋଇଛି।

ଏହି ଅଭିଜ୍ଞତାକୁ ସାଉଣ୍ଟି ଭାରତୀୟ ଦଳ ତା"ର ପୂର୍ବ ଗୌରବକୁ ଫେରାଇ ଆଣିବା ଦିଗରେ ଠୋସ୍‌ ଓ ବଡ଼ ପାଦ ବଢ଼ାଇବାର ପ୍ରବଳ ଆଶା ବି ସୃଷ୍ଟି ହୋଇଛି।

ଉରୁଗୁଏର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ଡିଏଗୋ ଫୋର୍ଲାନ୍‌ ୨୦୧୬ରେ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ମୁମ୍ବାଇ ସିଟି ଏଫ୍‌ସି ପକ୍ଷରୁ ଖେଳିଥିଲେ।

ଏହା ମଧ୍ୟ ଆଉ ଏକ ସଂଯୋଗ ହୋଇଛି।

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ର ଅନ୍ୟତମ ସଫଳ ଦଳ ଉରୁଗୁଏ ବର୍ତ୍ତମାନ ଫିଫା ବିଶ୍ୱ ମାନ୍ୟତାର ୨୦ତମ ସ୍ଥାନରେ ରହିଛି।

ଭାରତ କିନ୍ତୁ ୧୩୮ତମ ସ୍ଥାନରେ ରହିଛି।

ଏଣୁ ଏହି ଆକାଶ-ପାତାଳ ମାନ୍ୟତାର ଫରକ କିନ୍ତୁ ମଙ୍ଗଳବାର ପଡ଼ିଆ ଭିତରେ ଦେଖାଯିବାର ସମ୍ଭାବନା ଅଧିକ ରହିଛି।

Advertisment Flydubai: ଭାରତୀୟ କ୍ୟାପ୍ଟେନ ସ୍ମିତ୍‌ ମାଚ୍ଛରଙ୍କୁ ଜଘନ୍ୟ ଆକ୍ରମଣ ଭାରତକୁ "ଲାଟିନ ଆମେରିକା" ଦେଉଛି ନୂଆ ଭରସାବ୍ରାଜିଲ ପରେ ଭାରତ-ଉରୁଗୁଏ ମୁକାବିଲା ଭାରତ-ଉରୁଗୁଏ ଫୁଟ୍‌ବଲ୍‌ ସଂପର୍କର ଶୁଭାରମ୍ଭ ହୋଇଥିଲା ୧୯୮୨ ଫେବ୍ରୁଆରୀ ୨୫ରେ।

ମଇଦାନ ଥିଲା କୋଲକାତାର ଇଡେନ୍‌ ଗାର୍ଡେନ୍ସ।

ସେତେବେଳେ ଇଡେନ୍‌ କେବଳ କ୍ରିକେଟ୍‌ର ଦୁର୍ଗ ନଥିଲା; ଫୁଟ୍‌ବଲ୍‌ ମଧ୍ୟ ସେଠାରେ ଗର୍ବର ସହ ଖେଳାଯାଉଥିଲା ଏବଂ ଗ୍ୟାଲେରି ପୂରା ଭରିଯାଉଥିଲା ଦର୍ଶକରେ।

୧୯୩୦ରେ ପ୍ରଥମ ବିଶ୍ୱକପ୍‌ ଜିତିଥିବା ଏବଂ ୧୯୫୦ରେ ମାରାକାନାରେ ବ୍ରାଜିଲ୍‌କୁ ସ୍ତବ୍ଧ କରି ବିଶ୍ୱକପ୍‌ ଜିତିଥିବା ଉରୁଗୁଏ।

୧୯୮୨ର ନେହରୁ ଗୋଲ୍‌ଡ କପ୍‌ର ଗ୍ରୁପ୍‌ ପର୍ଯ୍ୟାୟରେ ହୋଇଥିଲା ଭାରତ-ଉରୁଗୁଏ ମୁକାବିଲା।

ଭାରତ ସେହି ମ୍ୟାଚ୍‌ରେ ୦-୨ରେ ପଛୁଆ ରହିବା ପରେ ମାନସ ଭଟ୍ଟାଚାର୍ଯ୍ୟଙ୍କ ଗୋଲ୍‌ ବଳରେ ସ୍ଥିତି ୧-୨କୁ କମାଇ ଥିଲା।

ପରେ ଆଉ ଏକ ଗୋଲ୍‌ ବରଣ କରି ୧-୩ରେ ହାରିଥିଲା।

ଭାସ୍କର ଗାଙ୍ଗୁଲି, ମନୋରଞ୍ଜନ ଭଟ୍ଟାଚାର୍ଯ୍ୟ, ସମର ଭଟ୍ଟାଚାର୍ଯ୍ୟ, ସୁଦୀପ ଚାଟାର୍ଜୀ, ପୁଷ୍ପରାଜ କୁମାର, ମାନସ ଭଟ୍ଟାଚାର୍ଯ୍ୟ, ଆଲୋକ ମୁଖାର୍ଜୀ, ପ୍ରଶାନ୍ତ ବାନାର୍ଜୀ, ପ୍ରସୁନ୍‌ ବାନାର୍ଜୀ, ମିହିର ବୋଷ ଓ ବିଦେଶ ବୋଷଙ୍କ ଭଳି ଖେଳାଳି ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।

ଦଳର ପ୍ରଶିକ୍ଷକ ଥିଲେ ଭାରତୀୟ ଫୁଟ୍‌ବଲ୍‌ର ଅନ୍ୟତମ ମହାନ ନାମ ପି.କେ.

ବାନାର୍ଜୀ।

Liver Transplantation: ଯକୃତ ପ୍ରତିରୋପଣ‌ରେ ଷ୍ଟାର୍‌ ହସ୍ପିଟାଲ୍‌ର ସଫଳତା ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଉରୁଗୁଏକୁ ପୁଣି କୋଲକାତାରେ ଖେଳୁଥିବାର ଦେଖିବା ନେଇ ସେହି ଦଳର ତିନି ଖେଳାଳି ମାନସ ଭଟ୍ଟଚାର୍ଯ୍ୟ, ଆଲୋକ ମୁଖାର୍ଜୀ ଓ ବିଦେଶ ବୋଷ ବେଶ୍‌ ଉତ୍ସାହିତ ଅଛନ୍ତି।

ସଂପ୍ରତି ପ୍ରଶିକ୍ଷକ ଖାଲିଦ ଜମିଲଙ୍କ ନେତୃତ୍ବରେ ଭାରତ ଅଶି ଦଶକର ସେହି ଧାରାକୁ ଫେରାଇ ଆଣିବା ଆଶାରେ ଅଛି।

ଏହି ଆଶା ପୂରଣ ପାଇଁ ଭାରତୀୟ ଦଳରେ ଗୋଲ୍‌କିପର ଗୁରପ୍ରୀତ ସିଂହ ସାନ୍ଧୁ (ଅଧିନାୟକ), ଅଭିଷେକ ସିଂହ ଟେକଚାମ, ଅନୱାର ଅଲୀ, ବିଜୟ ବର୍ଗିଜ, ଆକାଶ ମିଶ୍ର, ଅନିରୁଦ୍ଧ ଥାପା, ସାହଲ ଅବଦୁଲ ସମଦ, ଲାଲେଙ୍ଗମାୱିଆ ରାଲ୍‌ତେ, ଆଶିକ୍‌ କୁରୁନିୟାନ, ମନବୀର ସିଂହ, ରିଆନ୍‌ ୱିଲିୟମ୍ସଙ୍କ ଭଳି ଖେଳାଳି ବି ରହିଛନ୍ତି।

ଭାରତ-ଉରୁଗୁଏ ମଧ୍ୟ ୨୦୦୧ରେ କୋଚିଠାରେ ଏକ ଅଣଆନୁଷ୍ଠାନିକ ମ୍ୟାଚ୍‌ରେ ଭେଟାଭେଟି ହୋଇଥିଲେ।

ସାହାରା ମିଲେନିୟମ ସୁପର ସକ୍କର କପ୍‌ ଅନ୍ତର୍ଗତ ଏହି ମୁକାବିଲାରେ ଭାରତ ବିପକ୍ଷରେ ଉରୁଗୁଏର ଦ୍ବିତୀୟସ୍ତରୀୟ ଦଳ ଖେଳି ୩-୦ରେ ବିଜୟୀ ହୋଇଥିଲା।

ଏହାକୁ କିନ୍ତୁ ବରିଷ୍ଠସ୍ତରୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ର ମାନ୍ୟତା ମିଳି ନଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।