Editorial: ଟାକ୍‌ସି ଡ୍ରାଇଭର

Oct 01, 2026 - 07:00
Editorial: ଟାକ୍‌ସି ଡ୍ରାଇଭର

"କୃଷ୍ଣଚନ୍ଦ୍ର ମହାପାତ୍ର କଲିକତା ମହାନଗରୀର ପଞ୍ଚତାରକା ହୋଟେଲ କେନିଲୱର୍ଥ।

ସକାଳ ୯ଟା।

ଜଳଖିଆ ଖାଇ ଟାକ୍‌ସିକୁ ଅପେକ୍ଷା।

ହୋଟେଲ କାଉଣ୍ଟରରୁ ଫୋନ ପାଇ ଟାକ୍‌ସି ଡ୍ରାଇଭର ଆସି ଆମ ପାଖରେ ପହଞ୍ଚିଗଲା।

ଆମେ ତିନି ଜଣ।

ମୁଁ, ମୋ ସ୍ତ୍ରୀ ଓ ମୋ ଝିଅ।

ଆମ ଯୋଜନା ଅନୁସାରେ ସେହି ଟାକ୍‌ସି ଡ୍ରାଇଭର ଆମକୁ ଆମ ଛଅ ଦିନର ରହଣିରେ କଲିକତା ମହାନଗରୀ ବୁଲାଇବ।

ତା"ର ମାର୍ଜିତ ବ୍ୟବହାର ପ୍ରଥମ ଦିନରୁ ଆମକୁ ଖୁବ୍ ଭଲ ଲାଗିଲା।

ଟାକ୍‌ସି ଡ୍ରାଇଭରର ନାଁ ଥିଲା ଦେବଜିତ।Advertisment Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା ଦିନେ ଦୁଇ ଦିନ ଭିତରେ ତା" ସହିତ ଆମର ଆତ୍ମୀୟତା ବଢ଼ିଯାଇଥିଲା।

ଅନୁମାନ କରି ହେଉଥିଲା ଯେ ସେ ପ୍ରୌଡ଼ତ୍ବର ଦ୍ବାର ଦେଶରେ।

ଘର ବମ୍ବେ ସହରତଳି କୌଣସି ଗାଁରେ; ପୂର୍ବରୁ ସେ ସେଠାରେ ଟାକ୍‌ସି ଚଳାଉଥିଲା।

ଘରେ ସ୍ତ୍ରୀ, ପୁଅ ଓ ଗୋଟିଏ ଝିଅ।

କଥାରୁ ଲାଗୁଥିଲା ଯେ ସେ ପାଠ ବି ପଢ଼ିଛି।

ଏବଂ କଲିକତାରେ ସେ ହୋଇଯାଇଥିଲା ଆମର ଟୁରିଷ୍ଟ ଗାଇଡ୍।

ଛଅ ଦିନ ସୁରୁଖୁରୁରେ କଟିଗଲା।

ଲାଗୁଥିଲା ଦେବଜିତ ମଧ୍ୟ ଆମ ମଧ୍ୟରୁ ଜଣେ।

ଫେରିବା ଦିନ ସକାଳୁ ବିମାନ ବନ୍ଦରକୁ ନେବା ଲାଗି ସେ ଠିକ୍‌ ସମୟରେ ପହଞ୍ଚିଗଲା।

କିନ୍ତୁ, ତା" ମୁହଁରେ ସବୁ ଦିନ ଭଳି ସରସତା ନଥିଲା।

ସେ ଦିନ ସଂଧ୍ୟାରେ ସେ ତା" ପିଲାମାନଙ୍କ ପାଖକୁ ବମ୍ବେ ଫେରିଯିବ ବୋଲି ମଧ୍ୟ କହିଥିଲା।

ତା"ଠାରୁ ଶୁଣିଲୁ ଯେ ଦୀର୍ଘ ୫ ବର୍ଷ ହେଲାଣି ସେ ଘରକୁ ଯାଇନି।

ପୁଣି କଲିକତା ଫେରିବ କି ନାହିଁ ଠିକ୍ ନାହିଁ ।

ତା" ଝିଅ ବାରମ୍ବାର ଫୋନ କରି ଘରକୁ ଆସିବା ଲାଗି ଜିଗର କରୁଥିଲା।

କିନ୍ତୁ ପ୍ରତି ମାସରେ ସେ ତା" ଘରକୁ କିଛି ଟଙ୍କା ପଠାଇ ଦେଇ ଭାବୁଥିଲା ଯେ ତା" କାମ ସରିଗଲା।

ଲକ୍ଷ୍ୟ କଲୁ ଦେବଜିତର ଆଖରେ ଲୁହ।

ଆମ ସହିତ ତା"ର ଆତ୍ମୀୟତା ଖୁବ୍‌ ବଢ଼ି ଯାଇଥିବାରୁ ଏହା କ"ଣ ଥିଲା ଆମଠାରୁ ବିଦାୟ ନେବାର ଦୁଃଖର ଲୁହ?

ଏୟାରପୋର୍ଟରେ ସେ ତା"ର ଟେଲିଫୋନ ନମ୍ବର, ଘର ଠିକଣା, ଇ-ମେଲ ଆଇଡି ସବୁ ଦେଇ ଆମଠାରୁ ମଧ୍ୟ ସବୁ ମାଗି ନେଲା।

କିନ୍ତୁ ଆମେମାନେ ଯିବାକୁ ବାହାରିବାବେଳେ ଦେଖିଲୁ ସତେ ଯେମିତି ତା"ର ବନ୍ଧ ଭାଙ୍ଗି ଯାଇଛି।

ସେ କଇଁ କଇଁ ହୋଇ କାନ୍ଦି ଉଠିଲା।

ଆମେ ବ୍ୟସ୍ତ ହୋଇ କାରଣ ପଚାରିବାରୁ ସେ ଧୀର କଣ୍ଠରେ କହିଲା, "ସେ ଦିନ ଗୋଟିଏ ପର୍ବରେ ଆମ ଗାଁ ଉତ୍ସବମୁଖର ଥିବା ବେଳେ ସ୍ତ୍ରୀ ସହ ସାମାନ୍ୟ ବଚସାରୁ ରାଗି କରି ଘର ଛାଡ଼ି ଚାଲିଆସିଲି।

ଆସିଲା ବେଳେ ଝିଅ ବହୁତ କାନ୍ଦିଲା।

କିନ୍ତୁ ମୁଁ ଅଟକି ନ ଥିଲି।

କିନ୍ତୁ ଏବେ ମାମା ଦିଦି (ଆମ ଝିଅ)ଙ୍କୁ ଦେଖ‌ିବା ପରେ ମୋ ଝିଅ ମୋର ବହୁତ ମନେ ପଡ଼ିଲା।

ଏଇ ଭିତରେ ପାଞ୍ଚ ବର୍ଷ ବିତି ଗଲାଣି।

ମୋ ଝିଅର ବୟସ ପାଞ୍ଚ ବର୍ଷ ବଢ଼ିଯାଇଛି।

ତା" ସାଙ୍ଗମାନେ ବାହା ହୋଇ ସାରିବେଣି।

ମାମା ଦିଦିଙ୍କ ବୟସର ହେବ ମୋ ଝିଅ।

ତା" ଆଖିରୁ ଲୁହ ଧାର ବହି ଚାଲିଥିଲା।

ମୋ ଝିଅ କହିଲା, “ହଉ, କାନ୍ଦ ନାହିଁ।

ଝିଅକୁ ବର୍ତ୍ତମାନ ଫୋନ କରି କହିଦିଅ ଯେ ତୁମେ ଆଜି ସଂଧ୍ୟାରେ ଗାଁକୁ ଫେରି ଯାଉଛ।"" ଆମେ ବିମାନ ପ୍ରବେଶ କରିବାକୁ ବାହାରିଲୁ।

ଦେବଜିତ ଲୁହ ପୋଛି ଟାକ୍‌ସି ନେଇ ଚାଲିଗଲା।

ଟ୍ରେନ୍‌ର ଟ୍ରାକ୍ ମଧ୍ୟରେ ପଥର କାହିଁକି ବିଛାଯାଏ?

ତେବେ, କଥାଟିର ପରିସମାପ୍ତି କିନ୍ତୁ ଏଇଠି ହୋଇ ନ ଥିଲା।

କିଛି ଦିନ ପରେ ଦେବଜିତ ପାଖରୁ ଗୋଟିଏ ଚିଠି ଓ ନିମନ୍ତ୍ରଣ ପତ୍ର ଆସିଲା।

ଚିଠିଟି ଲେଖା ଥିଲା ମୋ ପତ୍ନୀଙ୍କ ଉଦ୍ଦେଶ୍ୟରେ।

ଦେବଜିତ ଲେଖିଥିଲା, “ମାଆ, ଆପଣମାନେ ଆସି ପାରିବେନି, ବୁଝୁଛି।

ତେଣୁ ଦୂରରୁ ଆପଣମାନଙ୍କର ଆଶୀର୍ବାଦ ଭିକ୍ଷା କରୁଛି।

ଯଦି ଆପଣମାନଙ୍କ ସହ ମୋର ଦେଖା ହୋଇ ନଥାନ୍ତା, ତେବେ ହୁଏତ ଏମିତି ଘଟି ନ ଥାଆନ୍ତା।

ମୋ ଝିଅର ବାହାଘର ସଂପନ୍ନ ହେବାକୁ ଯାଉଛି।

ଆପଣମାନଙ୍କ ସହିତ ଦେଖା ହୋଇ ନ ଥିଲେ ମୋ ଛାତିରେ ଜମା ବରଫ ତରଳି ନଥାଆନ୍ତା କି ଏଇ ଦିନ ଦେଖିବାର ସଯୋଗ ମୋତେ ମିଳି ନ ଥାଆନ୍ତା।

ପୁଣି ଥରେ ଆଶୀର୍ବାଦ ମାଗି ସେ ତା"ର ଚିଠି ସାରିଥିଲା।

ମୋର ମନେ ପଡ଼ିଯାଉଥିଲା ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କ ରଚିତ ସେହି ଅନବଦ୍ୟ ଗଳ୍ପ "କାବୁଲିବାଲା"!

ପ୍ରବାସରେ ରହିଥିବା ପିତା ତା"ର ଅଲିଅଳୀ ଝିଅକୁ ଝୁରିବାର ମର୍ମଦାହ ସେହି ଗଳ୍ପରେ ଅଛି।

ଦେବଜିତ ତା" ପରିବାରକୁ ଫେରି ଯାଇଥିଲା ସବୁ ଦିନ ଲାଗି।

ସେ ଆଉ କଲିକତା ଫେରି ନାହିଁ।

ମାତ୍ର ଛଅ ଦିନର ଦେଖା ସାକ୍ଷାତ କିଭଳି ଏକ ସ୍ଥାୟୀ ସଂପର୍କର ରୂପ ନେଇପାରେ, ତାହା ସେହି କଲିକତା ଅନୁଭୂତିରେ ମୁଁ ପ୍ରତ୍ୟକ୍ଷ କରିଛି ଏବଂ ‌ତାହା ଭାବିଲେ ମୋ ହୃଦୟ ପୁଲକରେ ଭରିଯାଏ। (ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୦୩୨୦୦୨ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।