editorial: ସର୍ପରେ ଜାତ କଲୁ ମୋତେ
"ପର୍ଯ୍ୟଟନ ହେଉଛି ନେପାଳୀ ଅର୍ଥନୀତିର ମେରୁଦଣ୍ଡ।
ଅତ୍ୟଧିକ ସଂଖ୍ୟାରେ ପର୍ଯ୍ୟଟକମାନଙ୍କର ଅନୁପ୍ରବେଶ ହିମାଳୟର ସ୍ପର୍ଶକାତର ପରିବେଶ ଉପରେ ଯେଉଁ ଚାପ ସୃଷ୍ଟି କରିଥାଏ, ତା"ର ଯେ ବର୍ତ୍ତମାନର ବିପର୍ଯ୍ୟୟ ସହିତ ସଂପର୍କ ନାହିଁ, କିଏ କହିପାରିବ?Advertisment Horoscope 2026 September 09: ଜାଣନ୍ତୁ ଆଜିର ରାଶିଫଳ...
ନେପାଳରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ପରେ ସର୍ବପ୍ରଥମ ସାହାଯ୍ୟକାରୀ ବା "ଫାଷ୍ଟ ରେସ୍ପଣ୍ଡର୍" ରୂପେ ଆଗେଇ ଆସି ଭାରତ "ଅପରେସନ୍ ମୈତ୍ରୀ ୨.୦" ନାମକ ଅଭିଯାନ ଆରମ୍ଭ କରିଦେଇ ସେ ଦେଶକୁ ଜରୁରିକାଳୀନ ଭିତ୍ତିରେ ଆବଶ୍ୟକ ଖାଦ୍ୟ, ଔଷଧପତ୍ର ଆଦି ଯୋଗାଇବାରୁ ଉଦ୍ଧାରକାରୀ ଦଳ ଓ ଯନ୍ତ୍ରପାତି ଆଦି ଯୋଗାଇବା ପର୍ଯ୍ୟନ୍ତ ବିଭିନ୍ନ ପଡ଼ୋଶୀସୁଲଭ ତଥା ମାନବୀୟ ପଦକ୍ଷେପମାନ ନେବାରେ ଲାଗିଛି।
ସଚରାଚର ଏପରି େକ୍ଷତ୍ରରେ ସାହାଯ୍ୟ ସହାନୁଭୂତି ଲାଭ କରିଥିବା ଦେଶ ସାହାଯ୍ୟ ପ୍ରଦାନକାରୀ ଦେଶ ପ୍ରତି କୃତଜ୍ଞତା ପ୍ରକାଶ କରିବା ଦେଖାଯାଇଥାଏ।
ଏବେ କିନ୍ତୁ ଏ ପ୍ରସଙ୍ଗରେ ନେପାଳ ଯେଉଁ ଆଚରଣ ପ୍ରଦର୍ଶନ କରିଛି, ତାହାକୁ ଏଇ ସ୍ବାଭାବିକ ଧାରାର ସଂପୂର୍ଣ୍ଣ ବିପରୀତ କହିଲେ ଭୁଲ୍ ହେବ ନାହିଁ, ଯାହା ଭାରତୀୟମାନଙ୍କୁ ହତଭମ୍ଭ କରିଦେଇଛି।ନେପାଳ କୃତଜ୍ଞତା ପ୍ରକାଶ କରିବା ପରିବର୍ତ୍ତେ ଭାରତ ଠାରୁ କ୍ଷତିପୂରଣ ଦାବି କରିଛି!
ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖନଲ୍ ଏକ ଟେଲିଭିଜନ ଚାନେଲ୍କୁ ସାକ୍ଷାତ୍କାର ଦେବା ଅବସରରେ ଅଭିଯୋଗ କରିଛନ୍ତି ଯେ ଚୀନ, ଆମେରିକା ଓ ଭାରତ ଭଳି ଦେଶମାନଙ୍କର ""ଅତ୍ୟନ୍ତ ବିଶାଳ ଅବଦାନ"" ଯୋଗୁଁ ଯେଉଁ ଜଳବାୟୁ ପରିବର୍ତ୍ତନ ଘଟିଚାଲିଛି, ନେପାଳ ପରି ଛୋଟିଆ ଦେଶମାନଙ୍କୁ ""ତା"ର ମୂଲ୍ୟ ବହନ"" କରିବାକୁ ପଡୁଛି।
ନେପାଳ ବସ୍ତୁତଃ ଏଇ ଦେଶମାନଙ୍କ ଠାରୁ ଏବେ କ୍ଷତିପୂରଣ ଦାବି କରୁଛି।
ଏହା ଦ୍ବାରା ନେପାଳର ଜେନ୍-ଜି ସରକାର ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ନେପାଳବାସୀଙ୍କର ବିରାଗ ଭାଜନ ନ ହେବା ପାଇଁ ଏଇ ମର୍ମନ୍ତୁଦ ବିପର୍ଯ୍ୟୟର ଯେ ରାଜନୀତିକରଣ କରିବାକୁ ଚେଷ୍ଟା କରୁଛି, ତାହା ଜଳଜଳ ହୋଇ ଦେଖାଯାଉଛି।
କିନ୍ତୁ ନେପାଳ ଦ୍ବାରା ପ୍ରଦର୍ଶିତ ଏହି ଅକୃତଜ୍ଞତାକୁ ଆଡ଼େଇ ଦେଇ ନେପାଳର ଏଭଳି ଦାବି ଭାରତ ପାଇଁ ଏକ ଯୁକ୍ତିଯୁକ୍ତ ଓ ଆଇନସମ୍ମତ ଦାୟ ସୃଷ୍ଟି କରିବାର କେତେ ଦୂର ସମ୍ଭାବନା ରହିଛି, ତାହା ପରୀକ୍ଷା କରି ଦେଖିବାର ଏକ ନିଶ୍ଚିତ ଆବଶ୍ୟକତା ଏବେ ଉପସ୍ଥିତ ହୋଇଛି।ନେପାଳର ଅଭିଯୋଗ ଯେଉଁ ବିଜ୍ଞାନ ଉପରେ ଆଧାରିତ, ତାହା ଏବେ ବେଶ୍ ଜଣାଶୁଣା।
ଏ ସଂପର୍କିତ ଜାତିସଂଘର ସଂସ୍ଥା "ଇଣ୍ଟର ଗଭର୍ନମେଣ୍ଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ" ("ଆଇପିସିସି") ସାବ୍ୟସ୍ତ କରିଛି ଯେ ପୃଥିବୀରେ ଅଙ୍ଗାରକାମ୍ଳ ଓ ମିଥେନ୍ ଆଦି ଉତ୍ତାପଧାରଣକାରୀ "ଗ୍ରିନ୍ହାଉସ୍ ଗ୍ୟାସ୍" ("ଜିଏଚ୍ଜି") ନିର୍ଗମନରେ ଯେତେ ବୃଦ୍ଧି ଘଟି ଚାଲିବ, ତା" ସହିତ ତାଳ ଦେଇ ନେପାଳରେ ଘଟିଥିବା ଭଳି ଚରମ ଜଳବାୟୁ ବିପର୍ଯ୍ୟୟ ଘଟଣାମାନ ସେତେ ଅଧିକ ସଂଖ୍ୟାରେ ଘଟିବା ଦେଖାଯିବ।
ତେବେ ପୃଥିବୀରେ ଏପରି କୌଣସି ଦେଶ ନାହିଁ, ଯେଉଁଠି ଆଦୌ "ଜିଏଚ୍ଜି"ର ନିର୍ଗମନ ଘଟି ନ ଥାଏ- ଏପରିକି କୃଷି ଓ ଗୋପାଳନ ମଧ୍ୟ ଏହାର ଏକ ଉତ୍ସ ହୋଇଥାଏ।
ଆଇନର ଦୃଷ୍ଟିକୋଣରୁ "ଇଣ୍ଟରନେସନାଲ୍ କୋର୍ଟ ଅଫ ଜଷ୍ଟିସ୍" ("ଆଇସିଜେ") ଏହା ସ୍ପଷ୍ଟ କରିଦେଇଛି ଯେ ଯେତେବେଳେ କୌଣସି ଏକ କ୍ଷତିକାରକ କାର୍ଯ୍ୟ ଏକାଧିକ ରାଷ୍ଟ୍ରମାନଙ୍କ ଦ୍ବାରା ସଂଘଟିତ ହୋଇଥାଏ, ସେତେବେଳେ ଏଥିରେ ପ୍ରତ୍ୟେକ ଦେଶର ଅବଦାନ ଅଲଗା ଅଲଗା ସ୍ଥିରୀକୃତ ହେବା ଆବଶ୍ୟକ।
ନେପାଳ ଯଦି "ଆଇସିଜେ"ର ଦ୍ବାରସ୍ଥ ହୁଏ, ତାକୁ ତେଣୁ ପୃଥିବୀରେ ଅତୀତରେ ହୋଇଥିବା ଏବଂ ବର୍ତ୍ତମାନ ହେଉଥିବା "ଜିଏଚ୍ଜି" ନିର୍ଗମନରେ ଭାରତର ଅଂଶ କେତେ ତାହା ନିର୍ଦ୍ଦିଷ୍ଟ ଭାବରେ ହିସାବ କରି ବାହାର କରିବାକୁ ହେବ, ଯାହା ବିଜ୍ଞାନସମ୍ମତ ହେବା ଓ ଅଦାଲତଙ୍କ ପାଇଁ ଗ୍ରହଣଯୋଗ୍ୟ ହେବା ଆବଶ୍ୟକ।
ସେତିକି ନୁହେଁ, ନେପାଳକୁ ମଧ୍ୟ ପ୍ରଦର୍ଶିତ କରିବାକୁ ହେବ, ଭାରତ ଦ୍ବାରା ସଂଘଟିତ ହୋଇଥିବା "ଜିଏଚ୍ଜି" ନିର୍ଗମନର କେତେ ଅଂଶର ନେପାଳରେ ଘଟିଥିବା ବନ୍ୟା ବିପର୍ଯ୍ୟୟ ସହିତ ସିଧାସଳଖ ସଂପର୍କ ରହିଛି।ଯଦି ବି ଏ ସମସ୍ତ ଅସମ୍ଭବକୁ ସମ୍ଭବ କରି ନେପାଳ ଭାରତକୁ ଆନ୍ତର୍ଜାତିକ ଅଦାଲତରେ କାଠଗଡ଼ାକୁ ଟାଣେ, ସେଠାରେ ମଧ୍ୟ ତାକୁ ଆଉ ଏକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ।
ଲକ୍ଷ୍ୟ କରିବା କଥା ନେପାଳ ଯେଉଁ ଦେଶମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଛି, ସେମାନଙ୍କ ମଧ୍ୟରେ ଇଉରୋପର କୌଣସି ଦେଶ ଅନ୍ତର୍ଭୁକ୍ତ ନୁହେଁ।
କିନ୍ତୁ ଏହା ସର୍ବଜନବିଦିତ ଯେ ପୃଥିବୀର ଇତିହାସରେ ତା"ର କୌଣସି ଅଞ୍ଚଳ ଯଦି ସର୍ବାଧିକ "ଜିଏଚ୍ଜି" ନିର୍ଗମନ ଘଟାଇଥାଏ, ତାହା ହେଉଛି ଶିଳ୍ପ ବିପ୍ଳବର ଜନ୍ମଭୂମି ବ୍ରିଟେନ୍ ଓ ଇଉରୋପ।
ଆଉ ଇଉରୋପ ଓ ଭାରତ ମଧ୍ୟରେ ଏ ବାବଦରେ ଥିବା ଏକ ବିଶେଷ ଫରକକୁ ମଧ୍ୟ ଅଦାଲତ ଅଣଦେଖା କରିପାରିବେ ନାହିଁ।
ଇଉରୋପ ପ୍ରାଚୁର୍ଯ୍ୟର ଅନୁଧାବନ କରି ଏହି ନିର୍ଗମନ ଘଟାଇଥିବା ବେଳେ ଭାରତ ଜୀବନଧାରଣର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ବେଳେ ଏଭଳି ନିର୍ଗମନ ଘଟିଛି।
ନେପାଳର ଅଭିଯୋଗ ତେଣୁ ନ୍ୟାୟସଂଗତ ନୁହେଁ ଏବଂ ପକ୍ଷପାତିତାମୂଳକ ବୋଲି ସାବ୍ୟସ୍ତ ହେବ।
ନେପାଳ ତେଣୁ ଭାରତ ଠାରୁ କ୍ଷତିପୂରଣ ଦାବି କରି ଆନ୍ତର୍ଜାତିକ ଅଦାଲତର ଦ୍ବାରସ୍ଥ ହେବାର ସମ୍ଭାବନା କ୍ଷୀଣ।ପରିବେଶ ପ୍ରଦୂଷଣ ପରିପ୍ରେକ୍ଷୀରେ ନେପାଳର ଆଚରଣ ମଧ୍ୟ ସାଧୁସନ୍ଥସୁଲଭ ନୁହେଁ।
ପର୍ଯ୍ୟଟନ ହେଉଛି ନେପାଳୀ ଅର୍ଥନୀତିର ମେରୁଦଣ୍ଡ।
ଅତ୍ୟଧିକ ସଂଖ୍ୟାରେ ପର୍ଯ୍ୟଟକମାନଙ୍କର ଅନୁପ୍ରବେଶ ହିମାଳୟର ସ୍ପର୍ଶକାତର ପରିବେଶ ଉପରେ ଯେଉଁ ଚାପ ସୃଷ୍ଟି କରିଥାଏ, ତା"ର ଯେ ବର୍ତ୍ତମାନର ବିପର୍ଯ୍ୟୟ ସହିତ ସଂପର୍କ ନାହିଁ, କିଏ କହିପାରିବ?ଭାରତ ବର୍ତ୍ତମାନ ନେପାଳକୁ ବିପର୍ଯ୍ୟୟ ମୁକାବିଲା ପାଇଁ ଯେଉଁ ସାହାଯ୍ୟ ଯୋଗାଉଛି, ତାହା ସେ ଦେଶ ସହିତ ୧୯୫୦ରେ ସ୍ବାକ୍ଷରିତ ଶାନ୍ତି ଓ ମୈତ୍ରୀ ଚୁକ୍ତି ସହିତ ଖାପ ଖାଇଥାଏ, ଯଦିବା ବିଧିବଦ୍ଧ ଭାବରେ ଏହାକୁ ସେଇ ଚୁକ୍ତି ସହିତ ସଂଯୁକ୍ତ କରାଯାଇ ନାହିଁ।
ଏହା ବ୍ୟତୀତ ଉଭୟ ଦେଶ ହେଉଛନ୍ତି ଆଞ୍ଚଳିକ ସଂଗଠନ "ସାର୍କ"ର ସଦସ୍ୟ ଏବଂ ତାହା ଅନ୍ତର୍ଗତ "ଆଗ୍ରିମେଣ୍ଟ ଅନ୍ ରାପିଡ୍ ରେସ୍ପନ୍ସ ଟୁ ନାଚୁରାଲ୍ ଡିଜାଷ୍ଟର୍ସ, ୨୦୧୧" ଚୁକ୍ତିର ସ୍ବାକ୍ଷରକାରୀ ସଦସ୍ୟ।
କିନ୍ତୁ ଏହା ସତ୍ତ୍ବେ ନେପାଳର କୃତଘ୍ନ ଆଚରଣ ପ୍ରଦର୍ଶନ ପରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଭାରତ ତାକୁ ସାହାଯ୍ୟ ପ୍ରଦାନ ଅବ୍ୟାହତ ରଖିବା ଉଚିତ କି?ଏହାର ଏକମାତ୍ର ତଥା ଦ୍ବିଧାହୀନ ଉତ୍ତର ହେଉଛି- ହଁ।
ଏହାର କାରଣ ନିମ୍ନୋକ୍ତ ସୁଫି କାହାଣୀଟିରେ ନିହିତ ଥାଏ।
ଥରେ ଜଣେ ବାଟୋଇ ଜଙ୍ଗଲ ଭିତରେ ଯିବାବେଳେ ଦେଖିଲେ ଗୋଟିଏ ସ୍ଥାନରେ ବଣବୁଦାରେ ନିଅଁା ଲାଗିଯାଇଛି ଓ ତା" ଭିତରେ ଥିବା ଏକ ଫାଙ୍କା ଜାଗାରେ ସାପଟିଏ ଅଟକି ଯାଇ ଆର୍ତ୍ତଚିତ୍କାର କରୁଛି।
ବାଟୋଇ ତତ୍କ୍ଷଣାତ୍ ହାତରେ ଧରିଥିବା ଲମ୍ବା ବାଡ଼ିଟିକୁ ବଢ଼ାଇ ଦେଲେ ଓ ସାପଟି ସେଥିରେ ଗୁଡ଼େଇ ହୋଇଗଲା ପରେ ତାକୁ ବାହାରକୁ ନେଇ ଆସିଲେ।
ସାପଟି ବାହାରକୁ ଆସିବା ମାତ୍ରେ କିନ୍ତୁ ବାଟୋଇଙ୍କ ହାତକୁ କାମୁଡ଼ିଦେଲା।
ବାଟୋଇ ଯନ୍ତ୍ରଣାରେ ହାତ ଛାଟି ଦେବାରୁ ସାପଟି ଛିଟ୍କି ଯାଇ ପୁଣି ନିଅଁା ମଝିରେ ପଡ଼ିଗଲା।
ବାଟୋଇ ଜଣକ ନିଜ ଯନ୍ତ୍ରଣାକୁ ଖାତିର ନ କରି ପୁନରାୟ ନିଜର ବାଡ଼ିଟିକୁ ବଢ଼ାଇ ସାପକୁ ନିରାପଦରେ ନିଅଁା ଭିତରୁ ବାହାର କରି ଆଣିଲେ।
ଏ ଦୃଶ୍ୟ ଦେଖିଥିବା ଆଉ ଜଣେ ପଥିକ ଆଶ୍ଚର୍ଯ୍ୟଚକିତ ହୋଇ ସେ ବାଟୋଇଙ୍କୁ ତାଙ୍କର ଏତାଦୃଶ ଆଚରଣର କାରଣ ପଚାରିବାରୁ ସେ ଯେଉଁ ଉତ୍ତର ଦେଲେ, ତାହାର ସାରମର୍ମ ହେଲା: ""ସାପର ସ୍ବଭାବ ହେଉଛି ଦଂଶନ କରିବା, ମନୁଷ୍ୟର ସ୍ବଭାବ ହେଉଛି ଅସହାୟକୁ ସାହାଯ୍ୟ କରିବା।
ଆମେ ଉଭୟ ଆମର ସ୍ବଭାବ ଅନୁସାରେ କାର୍ଯ୍ୟ କରିଛୁ।"" ପ୍ରଶ୍ନକର୍ତ୍ତା ପଥିକଙ୍କର ମନେ ପଡ଼ିଗଲା: ""ସର୍ପରେ ଜାତ କଲୁ ମୋତେ, ସ୍ବଭାବ ଛାଡ଼ିବି କେମନ୍ତେ?"""
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।