Education sector: ଶିକ୍ଷା କ୍ଷେତ୍ରରେ ଅସଲ ସଂକଟ
"ଅମିୟ ଭୂଷଣ ତ୍ରିପାଠୀ ନିଟ୍ରେ ହେଉଥିବା ପ୍ରଶ୍ନପତ୍ର ପ୍ରଘଟ, ସିବିଏସ୍ଇ ଅଘଟଣ, ଓଡ଼ିଶାରେ ଘଟିଥିବା ଅକ୍ଷମଣୀୟ ପାଠ୍ୟପୁସ୍ତକ ମୁଦ୍ରଣରେ ତ୍ରୁଟି ଉପରେ ଆଲୋଚନା କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ ନୁହେଁ।
ଉଦ୍ଦେଶ୍ୟ ହେଉଛି, ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟମାନଙ୍କ ପର୍ଯ୍ୟନ୍ତ, ଆମ ଶିକ୍ଷା ବ୍ୟବସ୍ଥା, ଯେଉଁ ସଂକଟ ମଧ୍ୟ ଦେଇ ଗତି କରୁଛି, ତା" ଉପରେ ଆଲୋଚନା କରିବା।
ଏ ସଂକଟ ଯେ ହଠାତ୍ ଆସିଲା, ତାହା ନୁହେଁ।
ଗତ କେତେ ଦଶନ୍ଧି ଧରି ଏହା ଚାଲି ଆସିଛି ଏବଂ ବିଭିନ୍ନ ସରକାର ତ୍ରୁଟି ନିରାକରଣ କରିବା ବଦଳରେ ଏହାକୁ ଆହୁରି ଘନୀଭୂତ କରିଛନ୍ତି।
ବର୍ତ୍ତମାନ ଦେଶର ଜନସଂଖ୍ୟାଗତ ଭାଗମାପ ଯାହା ତହିଁରେ ଦେଶକୁ "ଡେମୋଗ୍ରାଫିକ ଡିଭିଡେଣ୍ଡ" ବା ଜନସଂଖ୍ୟାର ଲାଭ ମିଳିବା ଆରମ୍ଭ କରିବା କଥା।
ବର୍ତ୍ତମାନ ଭାରତରେ ୧୫ ବର୍ଷରୁ ୬୪ ବର୍ଷ ବୟସ ବନ୍ଧନୀ ମଧ୍ୟରେ ଅଛନ୍ତି ପ୍ରାୟ ୬୭% ଲୋକ, ଯେଉଁମାନେ ମୋଟାମୋଟି କାର୍ଯ୍ୟକ୍ଷମ ଏବଂ ୧୫ ବର୍ଷରୁ ୪୫ ବର୍ଷ ବୟସ ବନ୍ଧନୀେର ଅଛନ୍ତି ପ୍ରାୟ ୪୮% ଲୋକ, ଯେଉଁମାନେ ଶିକ୍ଷା, ବ୍ୟବସାୟ, ଚାକିରି ଓ ଉତ୍ପାଦନରେ ନିବିଡ଼ ଭାବେ ସଂଶ୍ଳିଷ୍ଟ।
ପୂର୍ବ ଏସିଆର ଜାପାନ, ଦକ୍ଷିଣ କୋରିଆ, ତାଇୱାନ ଓ ଚୀନ ଏବଂ ଦକ୍ଷିଣ ପୂର୍ବ ଏସିଆର ଥାଇଲାଣ୍ଡ, ଭିଏତନାମ ଆଦି ଦେଶମାନେ ତାଙ୍କ "ଡେମୋଗ୍ରାଫିକ ଡିଭିଡେଣ୍ଡ" ସମୟରେ ଅଭୂତପୂର୍ବ ବିକାଶ ସାଧନ କରିଛନ୍ତି ଓ କରୁଛନ୍ତି।
ଏ ଅବସ୍ଥା ଭାରତରେ ଏ ଶତାବ୍ଦୀର ପ୍ରଥମ ଦଶକର ଶେଷ ଭାଗରେ ଆସିଛି ଓ ଏହା ପ୍ରାୟ ୨୦୫୦ ଯାଏ ରହିବ।
ଏହାର ଶୀର୍ଷ ସମୟ ହେବ ୨୦୪୦-୪୧ ମସିହା।
କିନ୍ତୁ ପ୍ରଶ୍ନ ହେଲା, ଭାରତ ଏହାର ଲାଭ ଉଠାଇ ପାରିବ ତ?
କାରଣ ଗୁଣାତ୍ମକ ଶିକ୍ଷାର ଅଭାବ ହେତୁ ଦକ୍ଷତାହୀନ ଓ ନିଯୁକ୍ତିହୀନ ଭାରତୀୟ ଯୁବକଙ୍କ ସଂଖ୍ୟାରେ ବୃଦ୍ଧି ହେବ ସିନା, ତାହା ଦେଶର କାମରେ ଲାଗି ପାରିବ ନାହିଁ।ସପ୍ତମ-ଅଷ୍ଟମ ଦଶକ ପର୍ଯ୍ୟନ୍ତ ଭାରତ ଓ ଚୀନ ଆର୍ଥିକ ଦୃଷ୍ଟିରୁ ପ୍ରାୟ ଏକା ସ୍ତରରେ ଥିଲେ।
ହେଲେ, ଏବେ ପ୍ରାୟ ୨୦ ଟ୍ରିଲିଅନ ଡଲାରର ଜି.ଡି.ପି.
ସହିତ ଚୀନ ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥନୀତି।
ଭାରତର ଜି.ଡି.ପି.
ହେଉଛି ୪.୫ ଟ୍ରିଲିଅନ ଡଲାର, ଚୀନର ପ୍ରାୟ ଏକ-ପଞ୍ଚମାଂଶ।
ଏହାର ଏକ ବଡ଼ କାରଣ ହେଲା ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଭାରତର ସ୍ଥାନ ଖୁବ୍ ପଛୁଆ ହୋଇଥିବା ବେଳେ ଚୀନ ବହୁତ ଆଗେଇ ଗଲାଣି।
ବିଶ୍ବର ୧୦୦ଟି ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭିତରୁ ଚୀନରେ ପାଞ୍ଚଟି ଥିଲାବେଳେ ଭାରତରେ ଗୋଟିଏ ମଧ୍ୟ ନାହିଁ।
ସାର୍ବଜନୀନ ଶିକ୍ଷା ଯୋଜନା ହେତୁ ଏବେ ଅବଶ୍ୟ ଦେଶର କୋଣ ଅନୁକୋଣରେ ସରକାରୀ ସ୍କୁଲ ଓ କଲେଜମାନ ଖୋଲିଛି, କିନ୍ତୁ ଶିକ୍ଷାର ସ୍ଥିତି ଓ ଗୁଣାତ୍ମକତା ଅତ୍ୟନ୍ତ ନିମ୍ନ ସ୍ତରୀୟ।
୨୦୧୪ ସୁଦ୍ଧା ସମଗ୍ର ଦେଶରେ ୩୭,୦୦୦ କଲେଜ ଓ ୭୫୦ ବିଶ୍ବବିଦ୍ୟାଳୟ ଥିଲେ।
୨୦୨୩ ମସିହା ବେଳକୁ ଏହି ସଂଖ୍ୟା ବୃଦ୍ଧି ପାଇ ୫୪,୦୦୦ କଲେଜ ଓ ପ୍ରାୟ ୧,୩୦୦ ବିଶ୍ବବିଦ୍ୟାଳୟରେ ପହଞ୍ଚିଛି।
ଉଚ୍ଚ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୧୧-୧୨ରେ ପ୍ରାୟ ୨୫ ଲକ୍ଷ ଥିଲାବେଳେ ୨୦୨୩ରେ ତାହା ୩୦ ଲକ୍ଷ ହୋଇଛି, ଅର୍ଥାତ୍ ଅଭିବୃଦ୍ଧି ୨୨ ପ୍ରତିଶତ ବା ଏକ-ଚତୁର୍ଥାଂଶରୁ ସାମାନ୍ୟ କମ୍।
ଅଥଚ, ଘରୋଇ କଲେଜରେ ୨୦୧୧-୧୨ରେ ୨ ଲକ୍ଷ ୭୦ ହଜାର ବିଦ୍ୟାର୍ଥୀ ଥିଲାବେଳେ ୨୦୨୩ରେ ପ୍ରାୟ ୧୬ ଲକ୍ଷ ବିଦ୍ୟାର୍ଥୀ ପଢୁଛନ୍ତି, ଅର୍ଥାତ୍ ପ୍ରାୟ ୫ ଗୁଣ ବୃଦ୍ଧି।
ଏଥିରୁ ସରକାରୀ ଶିକ୍ଷାନୁଷ୍ଠାନର ଦୟନୀୟ ଚିତ୍ର ସ୍ପଷ୍ଟ ହେଉଛି।
ସରକାରୀ ଶିକ୍ଷାନୁଷ୍ଠାନ ତୁଳନାରେ ଛାତ୍ରଛାତ୍ରୀ ସଂଖ୍ୟା କମୁଥିବାରୁ ସରକାରୀ ସ୍କୁଲକୁ ବନ୍ଦ କରିବାକୁ ହେଉଛି। "ନିତି" ଆୟୋଗଙ୍କ ଏକ ରିପୋର୍ଟରୁ ଜଣାଯାଏ ଦେଶରେ ଗତ ଦଶନ୍ଧିରେ ୯୪,୦୦୦ଟି ସରକାରୀ ବିଦ୍ୟାଳୟ ବନ୍ଦ ହୋଇଯାଇଛି, ଅର୍ଥାତ୍ ପ୍ରତିଦିନ ପ୍ରାୟ ୨୫ଟି ବିଦ୍ୟାଳୟ ବନ୍ଦ ହେଉଛି।
ଅନ୍ୟପକ୍ଷେ ଘରୋଇ ବିଦ୍ୟାଳୟ ୨ ଲକ୍ଷ ୮୮ ହଜାରରୁ ବୃଦ୍ଧି ପାଇ ୩ ଲକ୍ଷ ୪୦ ହଜାରରେ ପହଞ୍ଚିଛି।
୨୦୦୫ରେ ସରକାରୀ ବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀ ସଂଖ୍ୟା ମୋଟ ସଂଖ୍ୟାର ୭୧ ପ୍ରତିଶତ ଥିଲାବେଳେ ୨୦୨୫ରେ ଏହା ୪୯ ପ୍ରତିଶତକୁ ଖସିଛି। "ଇଣ୍ଡିଆ ଟୁଡେ"ର ସର୍ବେକ୍ଷଣରୁ ଜଣାପଡ଼େ ଯେ ଘରୋଇ ଅନୁଷ୍ଠାନର ମାନଦଣ୍ଡ ବୃଦ୍ଧି ପାଉଥିବାବେଳେ ସରକାରୀ ଶିକ୍ଷାନୁଷ୍ଠାନମାନେ ନିମ୍ନଗାମୀ ହେଉଛନ୍ତି।
ଯେହେତୁ ଏକ ବିଶାଳ ସଂଖ୍ୟକ ଛାତ୍ରଛାତ୍ରୀ ତଥାପି ସରକାରୀ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପଢୁଛନ୍ତି, କୁହାଯାଇପାରେ ଯେ ସେମାନଙ୍କ ଶିକ୍ଷାଗତ ମୂଳଦୁଆ ଅତ୍ୟନ୍ତ ଦୁର୍ବଳ ହୋଇଛି, ଯାହା ଉପରେ ନିର୍ଭର କରି ବିକାଶର ଇମାରତ ଛିଡ଼ା ହୋଇ ପାରିବ ନାହିଁ।
ଏବେ ଆମ ରାଜ୍ୟ ଓଡ଼ିଶା କଥା ଦେଖିବା।
ଓଡ଼ିଶାରେ ବର୍ତ୍ତମାନ ୪୮,୦୦୦ଟି ସରକାରୀ, ୬,୦୦୦ଟି ସାହାଯ୍ୟପ୍ରାପ୍ତ ଓ ୬,୦୦୦ଟି ଘରୋଇ ବିଦ୍ୟାଳୟ ଅଛି।
ଏ ସବୁ ବିଦ୍ୟାଳୟମାନଙ୍କରେ ବିଦ୍ୟାର୍ଥୀଙ୍କ ସଂଖ୍ୟା ୭୮ ଲକ୍ଷ।
ଶିକ୍ଷକମାନଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ ୪୧ ହଜାର।
କିନ୍ତୁ ଏହି ପରିସଂଖ୍ୟାନରେ ଥିବା ପ୍ରମାଦଟି ହେଲା ସରକାରୀ ସ୍କୁଲରେ ୪୦ରୁ ୫୦ ପ୍ରତିଶତ ପଦ ଖାଲି ପଡ଼ିଛି।
ଅତ୍ୟନ୍ତ ଶୋଚନୀୟ କଥା ହେଲା ପ୍ରାୟ ୧୫୦୦ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି।
ପୁଣି ସରକାରୀ ଶିକ୍ଷକଙ୍କ କାର୍ଯ୍ୟ କେବଳ ଶିକ୍ଷାଦାନରେ ସୀମିତ ନୁହେଁ, ସେମାନେ ଜନଗଣନା, ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟ ଆଦି କରନ୍ତି।
ଶିକ୍ଷା ଅଧିକାର ଏକ ମୌଳିକ ଅଧିକାର ହେବା ପରେ ପ୍ରତ୍ୟେକ ବିଦ୍ୟାଳୟରେ ଅନ୍ତତଃ ୨ ଜଣ ଶିକ୍ଷକ ରହିବା କଥା।
କିନ୍ତୁ, ସରକାରୀ ତଥ୍ୟ ଅନୁସାରେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପ୍ରାୟ ୪୫,୦୦୦ ଶିକ୍ଷକ ପଦ ଖାଲି ଅଛି।
ଉଚ୍ଚ ବିଦ୍ୟାଳୟରଗୁଡ଼ିକର ସ୍ଥିତି ମଧ୍ୟ ତଦ୍ରୂପ।
ଏଣେ ପଦ ପୂରଣ କରାଯିବା ନେଇ ଚିନ୍ତା କଲାବେଳକୁ ଦେଖାଯାଉଛି ଯେ ଉପଯୁକ୍ତ ସଂଖ୍ୟକ ଡିଗ୍ରିଧାରୀ ବା ପ୍ରଶିକ୍ଷିତ ପ୍ରାର୍ଥୀ ନାହାନ୍ତି।
ଯେଉଁମାନେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଦକ୍ଷତା ଦୃଷ୍ଟିରୁ ଅଯୋଗ୍ୟ।
ରାଜ୍ୟରେ ସରକାରୀ ବି.ଏଡ୍.
କଲେଜ ସଂଖ୍ୟା ମାତ୍ର ୧୫ରୁ ୧୮; ଏଣୁ ବେସରକାରୀ ବି.ଏଡ୍.
କଲେଜ ଓ ବାହାର ରାଜ୍ୟରୁ ବି.ଏଡ୍.
କରୁଥିବା ବିଦ୍ୟାର୍ଥୀମାନଙ୍କ ସଂଖ୍ୟା ବଡୁଛି, ଯେଉଁମାନଙ୍କ ଦକ୍ଷତା ସନ୍ଦେହାସ୍ପଦ ବୋଲି ଅଭିେଯାଗ ଶୁଣିବାକୁ ମିଳିଥାଏ।
ଯଦିଓ, ଏବେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି; କିନ୍ତୁ ବିଭିନ୍ନ ପର୍ଯ୍ୟାୟରେ ୧୫,୦୦୦ ଶିକ୍ଷକ ନିଯୁକ୍ତି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ।
ମୋଟ ଉପରେ ଶିକ୍ଷା ଓ ପ୍ରଶିକ୍ଷଣ ସକାଶେ ଉଚ୍ଚ ଗୁଣବତ୍ତାକୁ ପ୍ରାଧାନ୍ୟ ଦିଆଯାଉନାହିଁ।
ସୁତରାଂ, ସ୍ଥିତି ଯାହା, ସେଥିରେ ଜଣାପଡୁଛି ଯେ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କ ଆକର୍ଷଣ ହ୍ରାସ ପାଉଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନର ଆକର୍ଷଣ ବଢୁଛି।
ଦ୍ବିତୀୟରେ ସରକାରୀ ଅନୁଷ୍ଠାନମାନଙ୍କରେ ଶିକ୍ଷକ ମରୁଡ଼ି ଥିବାବେଳେ ଘରୋଇ କ୍ଷେତ୍ରରେ ତାହା ନାହିଁ।
ନବମ ଦଶକରେ ରେଭେନ୍ସା କଲେଜରେ ପ୍ରାୟ ୫୦ଟି ପଦ ଖାଲି ଥିଲା।
୨୦୦୬ରେ ଏହା ବିଶ୍ବବିଦ୍ୟାଳୟ ହେଲା ପରେ ଆଶା କରାଯାଉଥିଲା ବୃଦ୍ଧି ପାଇଥିବା ଶହେରୁ ଅଧିକ ପଦ ପୂରଣ ହେବ।
ବର୍ତ୍ତମାନ ୨୦୨୬ ଏବଂ ଅଧ୍ୟାପକ ସଂଖ୍ୟା ୧୫୦ ପାଖାପାଖି ବଢ଼ିଛି, କିନ୍ତୁ ଅଭାବ ମେଣ୍ଟି ନାହିଁ।
ରାଜ୍ୟରେ ସରକାରୀ କଲେଜ ସଂଖ୍ୟା ପ୍ରାୟ ୧୦୨୫।
ଏ ଅନୁଷ୍ଠାନମାନଙ୍କରେ ପ୍ରାୟ ୬୦ ପ୍ରତିଶତ ଅଧ୍ୟାପକ ପଦ ଖାଲି ଅଛି।
ରାଜ୍ୟର ୪୪ଟି ବିଶ୍ବବିଦ୍ୟାଳୟରୁ ସରକାରୀ ସଂଖ୍ୟା ୨୫, ଯହିଁରେ ୨୦୦୦ ଅଧ୍ୟାପକ ଆବଶ୍ୟକ ଥିଲାବେଳେ ଅଛନ୍ତି ପ୍ରାୟ ୬୬୦।
୨୦୦୫-୦୬ରେ ମୁଁ ଜାତୀୟ ମାନବାଧିକାର କମିସନଙ୍କ ସ୍ବତନ୍ତ୍ର ପ୍ରତିନିଧି ରୂପେ କୋରାପୁଟ ଓ କଳାହାଣ୍ଡି ଗସ୍ତ ବେଳେ ଦେଖିଲି କଲେଜମାନଙ୍କରେ ପ୍ରାୟ ୫୦ ପ୍ରତିଶତ ପଦ ଖାଲି।
ସେ ଅବସ୍ଥାରେ ଏ ପର୍ଯ୍ୟନ୍ତ କୌଣସି ଉନ୍ନତି ହୋଇନାହିଁ।
ତୃତୀୟରେ ଶିକ୍ଷକମାନଙ୍କ ଗୁଣାତ୍ମକ ମାନଦଣ୍ଡ ଉପରେ ମଧ୍ୟ ଦୃଷ୍ଟି ଦେବାକୁ ହେବ।
ତେଣୁ ଶିକ୍ଷକ ପ୍ରଶିକ୍ଷଣକୁ ହାଲୁକା ଭାବେ ନିଆଯାଇପାରିବ ନାହିଁ।
ଚତୁର୍ଥରେ ଶିକ୍ଷା କ୍ଷେତ୍ରକୁ ରାଜନୈତିକ ଓ ଧାର୍ମିକ ପ୍ରଭାବରୁ ମୁକ୍ତ ରଖିବାକୁ ହେବ।
୨୦୨୦ ଜାତୀୟ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ ହେଲା ଛାତ୍ରଛାତ୍ରୀମାନଙ୍କ ମାନସିକ ଓ ଭାବଗତ ସାମର୍ଥ୍ୟରେ ଦିଗନ୍ତର ବୃଦ୍ଧି, ଯାହା ସେମାନଙ୍କୁ ଯଥାଯୋଗ୍ୟ ନାଗରିକ କରିପାରିବ।
ତେଣୁ ସେ ଦିଗରେ ମଧ୍ୟ ବିହିତ ଦୃଷ୍ଟି ଦିଆଯିବା ଜରୁରି।
ସେମିତି ଗବେଷଣା କ୍ଷେତ୍ରରେ ଭାରତର ପ୍ରଦର୍ଶନ ବହୁ ପଛରେ ଥିବାରୁ ତହିଁରେ ବିପୁଳ ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି।
ଏଥିରେ ଦ୍ବିରୁକ୍ତିି ନାହିଁ ଯେ ଆଗକୁ ଦେଶର ଅଭିବୃଦ୍ଧି େକବଳ ଚିରାଚରିତ ସେବା ଦ୍ରବ୍ୟ ଉତ୍ପାଦନ ଉପରେ ନିର୍ଭର କରିବ ନାହିଁ।
ଉଚ୍ଚସ୍ତରୀୟ ଗବେଷଣା ହିଁ ହେବ ବିକାଶର ଇଂଜିନ।
ଚୀନ ସେ କ୍ଷେତ୍ରରେ ବହୁତ ଆଗୁଆ।
ଏବେ ଶେଷରେ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ଅର୍ଥ ବିନିଯୋଗର ପରିମାଣ କୋଠାରୀ କମିସନଙ୍କ ସୁପାରିସ ଅନୁଯାୟୀ ଜି.ଡି.ପି.ର ୬ ପ୍ରତିଶତ ହେବା ଉଚିତ।
ସଂପ୍ରତି ତାହା ୩ରୁ ୪ ପ୍ରତିଶତରେ ସୀମିତ ରହୁଛି।ସତ କଥାଟି ହେଲା, ଶିକ୍ଷା କ୍ଷେତ୍ରର ଉପଯୁକ୍ତ ବିକାଶ ହେଉଛି ବର୍ତ୍ତମାନ ସରକାର ପାଇଁ ଏକ ବିରାଟ ଆହ୍ବାନ।
ସରକାର ଏହାର ମୁକାବିଲା କରିପାରିବାରେ ନିହିତ ଅଛି ଦେଶର ଭବିଷ୍ୟତର ରୂପରେଖ। (ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୦୭୬୭୯୪Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।