Editorial: ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ
"ନରେନ୍ଦ୍ର ମୋଦୀପ୍ରଧାନମନ୍ତ୍ରୀ ଖୁବ୍ ସୁନ୍ଦର ଉକ୍ତିଟିଏ ଅଛି- “ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍।
ପରମାରଥ କେ କାରନେ, ସାଧୁନ ଧରା ଶରୀର।"" ଏହାର ଅର୍ଥ ହେଉଛି ଗଛ କେବେ ବି ନିଜ ଫଳ ନିଜେ ଖାଏ ନାହିଁ।
ନଦୀ ନିଜ ପାଖରେ ନିଜର ଜଳ ରଖିପାରେ ନାହିଁ।
ଠିକ୍ ସେହିପରି ସନ୍ଥ ସ୍ୱଭାବର ଲୋକମାନେ ମଧ୍ୟ ନିଜ ସ୍ୱାର୍ଥକୁ ପ୍ରାଥମିକତା ନଦେଇ ସବୁବେଳେ ଅନ୍ୟମାନଙ୍କ ସେବା ଲାଗି ତତ୍ପର ରହିଥା"ନ୍ତି।
ସେମାନେ ନିଜ ଜୀବନକୁ ଲୋକ କଲ୍ୟାଣ ପାଇଁ ସମର୍ପି ଦିଅନ୍ତି।
ଶହ ଶହ ବର୍ଷ ଧରି ଆମର ମହାପୁରୁଷମାନେ ଆମକୁ ଶିଖାଇଛନ୍ତି ଯେ ମାନବତାର କଲ୍ୟାଣ ପାଇଁ ସମର୍ପିତ ଜୀବନର ମହତ୍ୱ ବ୍ୟକ୍ତିଗତ ଉପଲବ୍ଧି ଠାରୁ ଢେର୍ ଅଧିକ ହୋଇଥାଏ।
ଶ୍ରଦ୍ଧେୟ ଅଶୋକ ସିଂଘଲଜୀଙ୍କ ଜୀବନ ଏହି ଭାବନାର ପୁଣ୍ୟ ଉଦାହରଣ।୨୭ ଡିସେମ୍ବରଠାରୁ ଆମେ ସ୍ୱର୍ଗତ ଅଶୋକ ସିଂଘଲଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ।
ଜଣେ ମହାପୁରୁଷଙ୍କୁ ସମ୍ମାନ ଜଣାଇବା ଲାଗି ଏହା ଏକ ସୁଅବସର।
ସେ ଆଧ୍ୟାତ୍ମିକ ସାଧନା, ସାଂସ୍କୃତିକ ଜାଗରଣ ଏବଂ ଅନେକ ଦଶନ୍ଧି ଧରି ସମର୍ପିତ ଭାବନା ନେଇ ସମାଜ ଓ ସଂଗଠନର କାମ ଆଗକୁ ବଢ଼ାଇଥିଲେ।ସ୍ୱର୍ଗୀୟ ଅଶୋକଜୀଙ୍କ ସହିତ ଦୀର୍ଘ ସମୟ ଧରି କାମ କରିବା, ତାଙ୍କଠାରୁ ଶିଖିବା, ତାଙ୍କ ସହ କଥା ହେବା ଏବଂ ତାଙ୍କ ସ୍ନେହ ପାଇବାର ସୌଭାଗ୍ୟ ମୋତେ ମିଳିଥିଲା।
୧୯୮୧ର ଗୋଟିଏ ଘଟଣା ମୋର ମନେ ପଡ଼ୁଛି।
ସେତେବେଳେ ମୁଁ ଜଣେ ଯୁବ କାର୍ଯ୍ୟକର୍ତ୍ତା ଭାବେ ସଂଗଠନରୁ ମିଳିଥିବା ଦାୟିତ୍ୱ ନିର୍ବାହ କରୁଥିଲି।
ସେତେବେଳେ ଅଶୋକଜୀ ମୋତେ ଗୋଟିଏ ପତ୍ର ଲେଖିଥିଲେ।
ସେହି ପତ୍ରରେ ସେ ଆଗକୁ ଆସୁଥିବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ଏବଂ ମୋତେ କିଛି ଦାୟିତ୍ୱ ଅର୍ପଣ କରିଥିଲେ।
ସେତେବେଳେ ଅଶୋକ ସିଂଘଲଙ୍କ ଠାରୁ ପତ୍ର ପାଇବା ମୋ ପାଇଁ ଏକ ବିଶେଷ ସ୍ମରଣୀୟ ଘଟଣା ଥିଲା।ମୁଁ ତାଙ୍କୁ ଅନେକ ଦଶନ୍ଧି ପର୍ଯ୍ୟନ୍ତ ଦିନ ରାତି କାମ କରୁଥିବାର ଦେଖିଛି।
ସେ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଲମ୍ବା ଓ କଠିନ ଯାତ୍ରା କରୁଥିଲେ।
ଗୁଜରାଟର ଆଦିବାସୀ ଅଞ୍ଚଳକୁ ଯିବା ପାଇଁ ସେ ବେଶୀ ଭଲ ପାଉଥିଲେ।
ସମାଜର ବଞ୍ଚିତ ଏବଂ ଅନ୍ତିମ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କ କଲ୍ୟାଣ ପାଇଁ କ"ଣ କରାଯାଇପାରିବ ତାକୁ ନେଇ ସେ ସବୁବେଳେ ଚିନ୍ତା କରୁଥିଲେ।
ଦେଶରେ କେବେ କୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ, ଅଶୋକ ସିଂଘଲଜୀ ସବୁବେଳେ ସେଠାରେ ପହଞ୍ଚି ଯାଉଥିବା ଏବଂ ପ୍ରଭାବିତ ଲୋକଙ୍କ ସହାୟତା କରୁଥିବା କାର୍ଯ୍ୟକର୍ତ୍ତାମାନଙ୍କର ମାର୍ଗଦର୍ଶନ କରୁଥିଲେ।
୨୦୦୧ରେ କଚ୍ଛରେ ଆସିଥିବା ଭୂମିକମ୍ପ ପରେ ତାଙ୍କ ସହିତ ମୋର ଅନୁଭୂତି ଅବିସ୍ମରଣୀୟ ଥିଲା।ଆଦରଣୀୟ ଅଶୋକଜୀ ଅତ୍ୟନ୍ତ ପ୍ରତିଷ୍ଠିତ ଓ ସମୃଦ୍ଧ ପରିବାରରୁ ଆସିଥିଲେ।
ତାଙ୍କ ପିତା ଶ୍ରୀ ମହାବୀରଜୀଙ୍କର ଜଣେ ପ୍ରଶାସକ ରୂପେ ସ୍ୱତନ୍ତ୍ର ପରିଚୟ ରହିଥିଲା।
ତାଙ୍କର ଜଣେ ଭାଇ ବି.ପି.
ସିଂଘଲଜୀ ପୁଲିସ ଅଧିକାରୀ ଥିଲେ ଏବଂ ପରେ ସାଂସଦ ମଧ୍ୟ ହୋଇଥିଲେ।
ଆଉ ଜଣେ ଭାଇ ଭି.ପି ସିଂଘଲ ନୂଆ ରାଜ୍ୟ ଭାବେ ତ୍ରିପୁରାର ଗଠନ ହେବା ପରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ହୋଇଥିଲେ।
ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ବାଣିଜ୍ୟ ଓ କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିଲେ।
କିନ୍ତୁ ଆରମ୍ଭରୁ ଅଶୋକ ସିଂଘଲଜୀଙ୍କର ଅନ୍ୟ କ୍ଷେତ୍ରରେ ରୁଚି ରହିଥିଲା।
ଖୁବ୍ କମ୍ ବୟସରୁ ଅଶୋକ ସିଂଘଲଜୀଙ୍କ ଠାରେ ଅନ୍ୟମାନଙ୍କ ପ୍ରତି କରୁଣା ଓ ସେବାର ଅଦ୍ଭୁତ ଭାବନା ଦେଖିବାକୁ ମିଳୁଥିଲା।
ସେ ଚାହୁଁଥିଲେ ଭାରତର ପୁନରୁତ୍ଥାନ।
ମା" ଭାରତୀର ସନ୍ତାନମାନେ ଗୌରବଶାଳୀ ଉପଲବ୍ଧି ହାସଲ କରନ୍ତୁ ବୋଲି ତାଙ୍କ ମନରେ ଇଚ୍ଛା ରହିଥିଲା।
ପ୍ରୟାଗରାଜରେ ବାଲ୍ୟକାଳ କଟାଇଥିବା ଅଶୋକଜୀ ଅନେକ ସମୟ ସଂଗମ ତଟରେ ବସି ବିତାଉଥିଲେ।
ନଦୀ ପ୍ରତି ତାଙ୍କର ସ୍ୱାଭାବିକ ଆକର୍ଷଣ ରହିଥିଲା।
ସେଠାକୁ ଆସୁଥିବା ସାଧୁ-ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ପ୍ରତି ମଧ୍ୟ ତାଙ୍କର ବହୁତ ଆତ୍ମୀୟ ଭାବନା ରହିଥିଲା।
ଏହାଦ୍ୱାରା ଭାରତର ସାଂସ୍କୃତିକ ପରମ୍ପରା ବିଷୟରେ ତାଙ୍କର ଜ୍ଞାନ ବୃଦ୍ଧି ହୋଇଥିଲା।
ଏହାଦ୍ୱାରା ସମାଜ ପାଇଁ କିଛି କରିବା ଲାଗି ତାଙ୍କର ସଂକଳ୍ପ ଆହୁରି ଦୃଢ଼ ହୋଇଥିଲା।
ଅନ୍ୟମାନଙ୍କ ପାଇଁ ବଞ୍ଚିବାର ଏକ ଆଗ୍ରହ ତାଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ନେଇ ଆସିଥିଲା।
ତାଙ୍କୁ ଯେଉଁ ଦାୟିତ୍ୱ ମିଳିଲା, ତା"କୁ ସେ ସମ୍ପୂର୍ଣ୍ଣ ଉତ୍ସାହ, ଶୃଙ୍ଖଳା ଓ ନିଷ୍ଠାର ସହିତ ନିର୍ବାହ କରିଥିଲେ।ମୋର ଦୁଇଟି ଘଟଣା ମନେ ପଡ଼ୁଛି, ଯେଉଁଥିରୁ ଅଶୋକ ସିଂଘଲଙ୍କ ବିରାଟ ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ।
ପ୍ରଥମ ଘଟଣାଟି ୧୯୯୩ ମସିହାର।
ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର ୧୦୦ ବର୍ଷ ପୂରଣ ହେବା ଉପଲକ୍ଷେ ବିଶ୍ୱ ହିନ୍ଦୁ ପରିଷଦ ଆମେରିକାରେ ଗୋଟିଏ ସମ୍ମିଳନୀ ଆୟୋଜନ କରିଥିଲା।
ବିଦେଶରେ ଏପରି ଭବ୍ୟ ସମ୍ମିଳନୀର ଦୂରଦୃଷ୍ଟି, ଯୋଜନା, ପ୍ରସ୍ତୁତି ଏବଂ ବିଭିନ୍ନ ସଂଗଠନକୁ ଗୋଟିଏ ମଞ୍ଚରେ ଏକାଠି କରିବାର ଭଗୀରଥ ପ୍ରୟାସ ଅଶୋକଜୀଙ୍କ ଅସାଧାରଣ ସାଂଗଠନିକ କୌଶଳର ପରିଚୟ ଦେଇଥିଲା।ଆଉ ଗୋଟିଏ ଘଟଣା ୨୦୦୦ ମସିହାର।
ସେତେବେଳେ ତ୍ରିନିଦାଦ ଓ ଟୋବାଗୋର ପୋର୍ଟ ଅଫ୍ ସ୍ପେନ୍ଠାରେ ବିଶ୍ୱ ହିନ୍ଦୁ ସମ୍ମିଳନୀ ଆୟୋଜନ କରାଯାଇଥିଲା।
ସେତେବେଳେ ମୁଁ ମଧ୍ୟ ସେଠାରେ ଥିଲି।
ଅଶୋକ ସିଂଘଲଜୀଙ୍କ ଉପସ୍ଥିତି ଅନ୍ୟ ପ୍ରତିନିଧିମାନଙ୍କୁ କେତେ ଉତ୍ସାହିତ କରୁଥିଲା ତାହା ମୁଁ ପ୍ରତ୍ୟକ୍ଷ ଭାବେ ଦେଖିଥିଲି।
ମୋ ଉଦ୍ବୋଧନ ପରେ ସେ ଯେପରି ଭାବେ ମୋତେ ପ୍ରଶଂସା କରିଥିଲେ, ତାହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣତାପୂର୍ଣ୍ଣ ଅନୁଭୂତି ଥିଲା।
ତାଙ୍କ ପ୍ରୋତ୍ସାହନ କିଭଳି ଭାବେ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉତ୍ସାହ ଭରି ଦେଇଥାଏ ତାହା ମୁଁ ପୁଣିଥରେ ଅନୁଭବ କରିପାରିଥିଲି।ରାମ ଜନ୍ମଭୂମି ଆନ୍ଦୋଳନରେ ଅଶୋକ ସିଂଘଲଜୀଙ୍କ ଐତିହାସିକ ଭୂମିକାକୁ ସ୍ମରଣ ନକଲେ ତାଙ୍କ ବିଷୟରେ କୌଣସି ଆଲୋଚନା ଅପୂର୍ଣ୍ଣ ରହିଯିବ।
୧୯୯୧ର ବୋଟ୍ କ୍ଲବ୍ ଶୋଭାଯାତ୍ରାରେ ସେ ଦେଇଥିବା ଓଜସ୍ୱୀ ସମ୍ବୋଧନକୁ କିଏ ଭୁଲି ପାରିବ?
ଆହୁରି, ଆନ୍ଦୋଳନ ଚରମ ସ୍ଥିତିରେ ପହଞ୍ଚିବା ସମୟରେ ଲହୁଲୁହାଣ ଓ ଆହତ ଅବସ୍ଥାରେ ଅଶୋକଜୀଙ୍କ ସେହି ଐତିହାସିକ ଫଟୋଚିତ୍ରର ସ୍ମୃତିକୁ ପ୍ରାୟତଃ ସମସ୍ତେ ମନେ ରଖିଥିବେ।
ଆଜି ଅଯୋଧ୍ୟାରେ ଯେଉଁ ଭବ୍ୟ ରାମ ମନ୍ଦିର ରହିଛି ତା" ପଛରେ ଅଶୋକଜୀଙ୍କ ଭଳି ମହାପୁରୁଷଙ୍କର ନିଃସ୍ୱାର୍ଥପର ସମର୍ପଣ ରହିଛି, ଯାହାକୁ ସାକାର କରିବା ଲାଗି ସେ ନିଜ ଜୀବନକୁ ସମ୍ପୂର୍ଣ୍ଣ ସମର୍ପି ଦେଇଥିଲେ।
ଆଜି ଯଦି ଅଶୋକଜୀ ଆମ ଗହଣରେ ଥାଆନ୍ତେ ତା"ହେଲେ ଅଯୋଧ୍ୟାରେ ରାମ ମନ୍ଦିର ଦେଖି ସେ ସବୁଠୁ ଅଧିକ ଭାବପ୍ରବଣ ଓ ପ୍ରସନ୍ନ ହୋଇଥା"ନ୍ତେ।ସ୍ୱର୍ଗୀୟ ଅଶୋକ ସିଂଘଲଜୀଙ୍କ ବିଚାର ଅତ୍ୟନ୍ତ ସ୍ପଷ୍ଟ ଥିଲା।
ସମାଜରେ ସଂହତି ସହିତ ଭ୍ରାତୃତ୍ୱ ଭାବର ବାର୍ତ୍ତା ମଜଭୁତ ହେବା ଉଚିତ ବୋଲି ସେ ବିବେଚନା କରୁଥିଲେ।
ସେ ସାମାଜିକ ଏକତା ଓ ସମାନତା ପାଇଁ ନିରନ୍ତର କାମ କରିଥିଲେ।
ସମାଜରେ କୌଣସି ପ୍ରକାରର ଭେଦଭାବ ରହିବା ଉଚିତ ନୁହେଁ ବୋଲି ତାଙ୍କର ସ୍ପଷ୍ଟ ମତ ଥିଲା।
ପ୍ରତ୍ୟେକ ବ୍ୟକ୍ତି ସମାନ ଗରିମା ଏବଂ ସମ୍ମାନର ହକଦାର ଅଟନ୍ତି।
ଏହି କାରଣରୁ ସେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଇଟା ରଖିବାକୁ ନେଇ ନିଜର ବିଚାରକୁ ଖୁବ୍ ସ୍ପଷ୍ଟ ଭାବେ ରଖିଥିଲେ।
ସେ ହିଁ କହିଥିଲେ ଯେ ଏହି ପୁଣ୍ୟ କାର୍ଯ୍ୟ ବିହାରର ଜଣେ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଏବଂ ବଞ୍ଚିତ ବର୍ଗର ପ୍ରତିନିଧିତ୍ୱ କରୁଥିବା କାମେଶ୍ୱର ଚୌପାଲଙ୍କ ହାତରେ ହେବା ଉଚିତ।
କାଶୀରେ ଗୋଟିଏ ଧର୍ମ ସଂସଦ ସମୟରେ ସେ ଡୋମ ରାଜାଙ୍କୁ ସମ୍ମାନିତ କରିବା ଲାଗି ନିଷ୍ପତ୍ତି ନେଇଥିଲେ ଏବଂ ଅନେକ ସାମାଜିକ ଅଭିଯାନରେ ତାଙ୍କ ସହ ମିଶି କାମ କରିଥିଲେ।ରାଷ୍ଟ୍ର ନିର୍ମାଣ ସହ ଅଶୋକ ସିଂଘଲଜୀଙ୍କ ଏପରି ଦୁଇଟି ପ୍ରିୟ କ୍ଷେତ୍ର ଥିଲା ଯାହା ତାଙ୍କ ହୃଦୟର ଅତି ନିକଟତର ଥିଲା।
ଶିକ୍ଷା, ବିଶେଷ କରି ବୈଦିକ ଶିକ୍ଷା ଏବଂ ସଂଗୀତ- ଏହି ଦୁଇଟି କ୍ଷେତ୍ର ପ୍ରତି ତାଙ୍କର ଗଭୀର ରୁଚି ରହିଥିଲା।
ମୁଁ ଯେଉଁ କ୍ଷେତ୍ରର ପ୍ରତିନିଧିତ୍ୱ କରୁଛି ସେହି ଶାଶ୍ୱତ କାଶୀ ଅଶୋକ ସିଂଘଲଜୀଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।
ବାରାଣସୀର ସାଂସଦ ଭାବେ ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ।
ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ।
ସେ ଏକଲବ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ସହ ଗଭୀର ଭାବେ ଜଡ଼ିତ ଥିଲେ।
ଏହା ଉପାନ୍ତ ଗାଁ, ବିଶେଷ କରି ଜନଜାତି ସମ୍ପ୍ରଦାୟ ନିକଟରେ ମୌଳିକ ଶିକ୍ଷା ପହଞ୍ଚାଇବାରେ ସହାୟକ ହୋଇଥିଲା।
ସେ ଜଣେ ଭଲ ପାଠକ ଓ ଶ୍ରୋତା ମଧ୍ୟ ଥିଲେ।
ସେ ଯୁବ କାର୍ଯ୍ୟକର୍ତ୍ତାମାନଙ୍କୁ ସବୁବେଳେ ପୁସ୍ତକ ପଢ଼ିବା ଲାଗି ଅନୁପ୍ରାଣିତ କରୁଥିଲେ।ଅଶୋକଜୀ କେତେ ସୁନ୍ଦର ଗୀତ ଗାଉଥିଲେ ତାହା ତାଙ୍କୁ ଅତି ନିକଟରୁ ଜାଣିଥିବା ଲୋକମାନେ କହିପାରିବେ।
ନାଗପୁରରେ ଅନୁଷ୍ଠିତ ବୈଠକଗୁଡ଼ିକ ବିଷୟରେ ମୋର ମନେ ରହିଛି ଯେଉଁଥିରେ ସେ "ଏକକ ସଙ୍ଗୀତ" ଗାଉଥିଲେ।
ତାଙ୍କର ଗାୟନଶୈଳୀ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲା ଏବଂ ସମ୍ପୂର୍ଣ୍ଣ ବୈଠକରେ ନୂତନ ଉତ୍ସାହ ଭରି ଦେଉଥିଲା।
୨୦୧୫ରେ ତାଙ୍କର ୯୦ତମ ଜୟନ୍ତୀ ସମାରୋହରେ ଗୋଟିଏ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା, ଯେଉଁଥିରେ ସେ "ହେ ମାତୃଭୂମି ମୋର, ହେ ପିତୃଭୂମି ମୋର" ଗାଇ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ।ସ୍ୱର୍ଗତ ଅଶୋକ ସିଂଘଲଜୀ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଏହି ମହାନ୍ ରାଷ୍ଟ୍ରର ଉତ୍କର୍ଷ ପାଇଁ ସ୍ୱପ୍ନ ଦେଖୁଥିଲେ।
ତାଙ୍କ ଆଦର୍ଶରୁ ଆଜି ମଧ୍ୟ ଆମକୁ ପ୍ରେରଣା ମିଳିଥାଏ।
ତାଙ୍କର ଜନ୍ମ ଶତବାର୍ଷିକୀର ଏହି ପବିତ୍ର ଅବସରରେ, ଅଧିକରୁ ଅଧିକ ଯୁବପିଢ଼ି କିଭଳି ତାଙ୍କର ବିଶାଳ ବ୍ୟକ୍ତିତ୍ୱ ଓ ମହାନତା ସହ ପରିଚିତ ହେବେ, ସେଥିପାଇଁ ଆମେ ସମସ୍ତେ ପ୍ରୟାସ କରିବା ଉଚିତ।
ଆସନ୍ତୁ, ଆମେ ଆମ ରାଷ୍ଟ୍ର ଓ ଦେଶବାସୀଙ୍କ ପାଇଁ ଅଶୋକ ସିଂଘଲଜୀଙ୍କ ସ୍ୱପ୍ନକୁ ସାକାର କରିବାର ସଂକଳ୍ପକୁ ପୁଣି ଥରେ ଦୋହରାଇବା।(ଯୁଗପୁରୁଷ ଶ୍ରଦ୍ଧେୟ ଅଶୋକ ସିଂଘଲଜୀଙ୍କ ଜନ୍ମଶତାବ୍ଦୀ ବର୍ଷ ଅବସରରେ)(ମତାମତ ଲେଖକଙ୍କ ନିଜସ୍ବ)Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।