Editorial: ସତ୍ତା ଓ ଶୂନ୍ୟତା: ସୁଭାଷ ପଟ୍ଟନାୟକଙ୍କ ସମ୍ପାଦକୀୟ ସରସ ରସରେ ପଢ଼ନ୍ତୁ ଏଥର...
"ସତ୍ତା ଓ ଶୂନ୍ୟତା ସୁଭାଷ ପଟ୍ଟନାୟକସରସ ରସ ସ୍ତମ୍ଭ ଲେଖିବାକୁ ଆଜି ଆଦୌ କୌଣସି ବିଷୟ ମନେ ପଡୁନି।
ଭାବୁଛି ପୁରୁଣା ପାନ୍ଥଶାଳାର ଭଗ୍ନ କାନ୍ଥରେ ତଥାପି ରହିଯାଇଥିବା ଅଙ୍ଗାରରେ ଲେଖା ମୋ ନାଁ ବିଷୟରେ ଲେଖିବି।
ଶୈଶବରେ ସ୍କୁଲ ଫେରନ୍ତା ରାସ୍ତାରେ ଖରା ବର୍ଷାରୁ ଏକଦା ମତେ ଆଶ୍ରୟ ଦେଇଥିବା ସେ ବରଗଛର ଶୁଖିଲା ଅବଶେଷ ବିଷୟରେ ମଧ୍ୟ ଲେଖା ଯାଇପାରେ।
କଚିରି ଛକରେ ହାତ ଦେଖି ଭାଗ୍ୟ କହୁଥିବା ଜ୍ୟୋତିଷ ଓ ତା" ପାଖରେ ଦାମୀ କାରରେ ବସି ଓକିଲକୁ ଅପେକ୍ଷା କରିଥିବା ଦୁଇ ହାତ ନଥିବା ସେ ଧନୀ ଲୋକ ବିଷୟରେ ଲେଖିଲେ କେମିତି ହୁଅନ୍ତା?
ଧେତ୍!
ଏଗୁଡ଼ା କ"ଣ ସ୍ତମ୍ଭ ଲେଖାର ବିଷୟ?
ବରଂ ଚାଲ ସମୁଦ୍ର କୂଳଆଡ଼େ ଯିବା।Advertisment ଆହୁରି ପଢ଼ନ୍ତୁ- Order liquor ଠnline: ମଦ ବ୍ୟବସାୟୀଙ୍କ ଦାଦାଗିରି ଠପ୍; ଅନଲାଇନ ଅର୍ଡର ହେବ ମଦ ସମୁଦ୍ର କୂଳ।
ଏକ ଦିଗନ୍ତ ପ୍ରସାରି କୋଳାହଳର ଶୀତଳ ଅନୁଭୂତି ଏଠାରେ।
ତଟରେ ବାଲୁକା ଶଯ୍ୟା ଉପରେ ବସି ବାଲିରେ ମୂର୍ତ୍ତି ଗଢୁଛନ୍ତି ଜଣେ ଯୁବକ।
ଓଦା ବାଲିକୁ ସାଉଁଟି ସେଥିରେ ତିଆରି କଲେ ଦୁଇଟି କୁନି ପୁଅଝିଅ।
ସମସ୍ତେ ତାଙ୍କ ହାତର କାରିଗରିକୁ ପ୍ରଶଂସା କଲେ।
ପୁଣି ସେ ଗଢ଼ିଲେ ହଳେ ଯୁବକଯୁବତୀ, ବୃଦ୍ଧବୃଦ୍ଧା, ଓ ହସୁରାକାନ୍ଦୁରା ମୁହଁର ଅନେକ ବାଲୁକା ମୂର୍ତ୍ତି।
ସବୁଗୁଡ଼ିକ ଲାଗୁଥିଲେ ଜୀବନ୍ତ।
ଯୁବକଙ୍କର ସେ ହସ୍ତକଳାର ମାଧୁର୍ଯ୍ୟକୁ ସଂପୂର୍ଣ୍ଣ ଉପଭୋଗ କରି ପାରିବା ଆଗରୁ ସମୁଦ୍ରର ଦଲକାଏ ଅଶାନ୍ତ ଲହରୀ ପୋଛି ନେଲା ସେ ବାଲୁକା କଳାକୁ।
ଉଦ୍ବେଳିତ ତରଙ୍ଗରେ ସମସ୍ତେ ଭାସିଯାଇ ମିଶିଗଲେ ପୁଣି ଥରେ ସେଇ ବାଲୁକା ଶଯ୍ୟାରେ, ଯେଉଁଥିରୁ ହୋଇଥିଲା ସୃଷ୍ଟି ସେମାନଙ୍କର।
ସାମାନ୍ୟ ହସି ଯୁବଶିଳ୍ପୀ ଜଣକ ଘୁଞ୍ଚି ଆସିଲେ ମୋ ପାଖକୁ।
ପାଖରେ ବସିପଡ଼ି କହିଲେ, “ବୁଝିଲେ ଆଜ୍ଞା!
ଏ ସବୁ ବାଲୁକା ମୂର୍ତ୍ତି ହେଉଛି ଆକାଶରେ ଗତିଶୀଳ ଅନେକ ମେଘଖଣ୍ଡ ପରି ଜୀବନର ଏକ ଏକ ଅବସ୍ଥାର ପ୍ରତୀକ।
ଢେଉ ତାଙ୍କୁ ଧୋଇନେଉ, ଦୁଃଖ କରିବାର ନାହିଁ।
ଏହା ହିଁ ତ ପ୍ରକୃତିର ନିୟମ।
ପୁଣି ଥରେ ମୂର୍ତ୍ତି ସବୁ ଗଢ଼ାହେବ, ପୁନଶ୍ଚ ସମୁଦ୍ର ସେମାନଙ୍କୁ ଧୋଇନେଇ ବାଲୁକା ଶଯ୍ୟାରେ ମିଶାଇ ଦେବ।
ଏହା ହିଁ ଜୀବନର ସଂଚଳନଶୀଳତା।
ସତରେ, ଏ ଜୀବନ ବଡ଼ ଅଦ୍ଭୁତ।
ଗୋଟିଏ ଦିନ ମରିବାକୁ ଏଠି ସାରା ଜୀବନ ଜିଇବାକୁ ପଡ଼େ।
ଥରଟିଏ ଚାହିଁ ଦେଖିବା ପାଇଁ ଅନେକ ସମୟ ଧରି ମୂର୍ତ୍ତିକୁ ଗଢ଼ିବାକୁ ହୁଏ।
ଜୀବନକୁ ଆଜ୍ଞା କେବେ ଦେଖିଛନ୍ତି?
ମନୁଷ୍ୟର ଦେହରେ ଏହା କେଉଁଠି ଅଛି କହିପାରିବେ?
ତାକୁ କେବେ ହାତରେ ଛୁଇଁ ଅନୁଭବ କରିଛନ୍ତି?” ଏକ ନିଃଶ୍ବାସରେ ପ୍ରଶ୍ନ ସବୁ ପଚାରିଦେଇ ଶିଳ୍ପୀ ମତେ ଟାଣି ନେଲେ ସମୁଦ୍ର ବାଲିରେ ଲମ୍ବି ଯାଇଥିବା ଏକ ତାଳଗଛର ଛାଇ ନିକଟକୁ।
ପୁନଶ୍ଚ କହିବା ଆରମ୍ଭ କଲେ, “ଜୀବନ ଏକ ଗତିଶୀଳ ଛାଇ ସଦୃଶ।
ମନୁଷ୍ୟ ଜୀବିତ ଥିବାଯାଏଁ ଛାଇ ମଧ୍ୟ ତା"ର ଜୀବିତ ଅଛି।
ଏକ ଉଡ୍ଡ଼ୀୟମାନ ବିହଙ୍ଗର ଭୂପତିତ ଚଳମାନ ଛାଇକୁ ଦେଖାଇ କହିଲେ ସେ।
କିନ୍ତୁ, ପକ୍ଷୀଟି ଉଡ଼ି ବୁଲିବାର ଦୃଶ୍ୟ ତା" ଜୀବିତ ଥିବାର ପ୍ରଣାମ ବୋଲି ଆପଣ ଭାବୁଛନ୍ତି କି?
ଯାହା ସାଧାରଣତଃ ସମସ୍ତେ ଭାବନ୍ତି?
ତାହା ମୋଟେ ନୁହେଁ।
ମୁଁ ତ କହିବି ବାଲୁକା ବେଳାରେ ପକ୍ଷୀଟିର ସେ ଗତିଶୀଳ ଛାଇ ହିଁ ତା" ସଜୀବତାର ପ୍ରମାଣ।
ଗଛ ଉପର ଦେଇ ପକ୍ଷୀଟି ଉଡ଼ି ଗଲାବେଳେ ଛାଇ ତା"ର ଗଛ ଛାଇ ମଧ୍ୟରେ ଅଦୃଶ୍ୟ ହୋଇ ଯାଉଛି ଦେଖୁଛନ୍ତି?
ପରମାତ୍ମାଙ୍କ ସହିତ ଜୀବାତ୍ମାର ମିଳନ ପରି ଏହା ନୁହେଁ କି?
ଆପଣ ତାକୁ ମୃତ୍ୟୁ ସହିତ ଜୀବନର ମିଳନ ମଧ୍ୟ କହିପାରନ୍ତି।
ତାଳଗଛର ଛାଇ ମଧ୍ୟରୁ ପକ୍ଷୀର ଛାଇ ଅଲଗା ହୋଇଗଲେ ଆଉ ଥରେ ଜୀବାତ୍ମାର ପୁନର୍ଜନ୍ମ।
ବାଲୁକା ନିର୍ମିତ ମୂର୍ତ୍ତି କ୍ଷେତ୍ରରେ ଏବେ ତାହା ହିଁ ତ ଘଟିଲା।
ଛାଇର ବିନାଶ ନାହିଁ।
ଛାଇ ଅନନ୍ତ।
ଅନ୍ଧାର ତାକୁ ଲୁଚାଇ ଦେଇପାରେ ମାତ୍ର ବିନଷ୍ଟ କରି ପାରିବନି।
ଏ ସୃଷ୍ଟିରେ ଆଲୋକ ଥିବା ଯାଏଁ ଛାଇର ଏ ଖେଳ ଏମିତି ଚାଲିଥିବ।” କହିସାରି ଚାଲି ଯାଇଥିଲେ ଯୁବଶିଳ୍ପୀ ଜଣକ।
ଆହୁରି ପଢ଼ନ୍ତୁ- Sleeping With Lights: ଲାଇଟ୍ ଜଳାଇ ଶୋଉଛନ୍ତି କି?
ଜାଣନ୍ତୁ କିପରି ବିଗିଡ଼ିପାରେ ହରମୋନ୍ ସନ୍ତୁଳନ ଦୁଇହାତ ନଥିବା ସେ ଧନୀ ବ୍ୟକ୍ତିଟି କାରରେ ଢୁଳାଇ ପଡ଼ି ତା"ର ଭାଗ୍ୟରେଖାକୁ ଖୋଜୁଛି।
ଆଜି ତା"ର କଚିରିରେ ଜିତାପଟ ହେବାର ସମ୍ଭାବନା ଅନେକ।
ପୁରୁଣା ବରଗଛର ଅବଶେଷ ମୂଳଟି ତଡ଼ା ହେଉଛି, ରାସ୍ତା ଚଉଡ଼ା ହେବ।
ହସ୍ତରେଖା ଜ୍ୟୋତିଷ ଲୋକଙ୍କ ହାତରୁ ଉଜ୍ଜ୍ୱଳ ଭବିଷ୍ୟତ ଓ ଦୀର୍ଘାୟୁ ହେବାର ସୂତ୍ର ବତାଇ ଅର୍ଜିଥିବା ଟଙ୍କାକୁ ଆଉଥରେ ଗଣୁଛି।
ମୁଁ ନିଜ ଭିତରେ ପୁନର୍ବାର ଅନୁଭବ କରୁଛି ସେ ଶିଳ୍ପୀଙ୍କର ମୃଦୁ ହାସ୍ୟ ଓ ସମୁଦ୍ର ବାଲିରେ ଢେଉକୁ ଖାତିରି ନକରି ବାରମ୍ବାର ଗଢ଼ି ଚାଲିଥିବା ତାଙ୍କର ବାଲୁକା ମୂର୍ତ୍ତିମାନଙ୍କୁ।
ଲାଗୁଛି ମୁଁ ପକ୍ଷୀଟିଏ ହୋଇ ଉଡ଼ିବୁଲୁଛି ଏବଂ ମୋ ଛାଇ ତାଳଗଛ ଛାଇର ନିକଟତର ହେବାରେ ଲାଗିଛି।
ଶିଳ୍ପୀଙ୍କ କଥା ମନେପଡୁଛି, “ଏଠି ସବୁକିଛି ଗଢ଼ା ହୁଏ ପୁଣି ଦିନେ ଭାଙ୍ଗିଯିବା ପାଇଁ।
ତା"ରି ଭିତରେ ମଧ୍ୟ ମନୁଷ୍ୟ ସନ୍ଧାନ କରିଚାଲେ ତା"ର ଅମରତ୍ବ।” ହାତ ନଥିବା ଧନୀ ବ୍ୟକ୍ତି ଜଣକ ଓକିଲ ସହିତ ହସି ହସି ତା"ର କୃତ୍ରିମ ହାତକୁ ମିଳାଇବାର ଚେଷ୍ଟା କରୁଛି।
ଟେବୁଲ ଉପରେ ପଡ଼ି ରହିଛି ବଶୀର ବଦ୍ରଙ୍କ କବିତା: “ହୈ ଅଜିବ୍ ସହର୍ ସି ଜୀନ୍ଦଗି, ନ ସଫର୍ ରହା ନ କୟାମ୍ ହୈ / କହିଁ କାରୋବାର୍ ସି ଦୋ ପହର, କହିଁ ବଦ୍-ମିଜାଜ୍ ସି ଶାମ୍ ହୈ”।
ଅଜବ ଏକ ସହର ପରି ଏ ଜୀବନ।
ଏଠି ନା ପଥିକ ଅଛି ନା ପାନ୍ଥଶାଳା।
ଅଛି କେବଳ ଏକ ବ୍ୟସ୍ତ ବିପଣି ପରି ପୂର୍ବାହ୍ଣ ଓ ଗୋଟିଏ ଖିଆଲି ମିଜାଜର ଅପରାହ୍ଣ।
ଆଜି ଆଉ ସ୍ତମ୍ଭ ଲେଖା ହୋଇ ପାରିବନି।
ଥାଉ, ଆଉ କେବେ ଦିନେ ଲେଖିବା।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୩୩୭୬୪୮୬୩୮ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।