Education and Healthcare Infrastructure Crippled: ବନ୍ୟା ଛାଡ଼ିଗଲା ବିପର୍ଯ୍ୟୟର ଚିହ୍ନ, ପଙ୍କରେ ପୋତି ହୋଇଗଲା ସ୍କୁଲ୍ ଓ ମେଡିକାଲ୍

Nov 02, 2026 - 20:43
Education and Healthcare Infrastructure Crippled: ବନ୍ୟା ଛାଡ଼ିଗଲା ବିପର୍ଯ୍ୟୟର ଚିହ୍ନ, ପଙ୍କରେ ପୋତି ହୋଇଗଲା ସ୍କୁଲ୍ ଓ ମେଡିକାଲ୍

ଚାରିଆଡ଼େ କାଦୁଅର ଆସ୍ତରଣ, ଭଙ୍ଗାରୁଜା ସାମଗ୍ରୀ ଆଉ ନଷ୍ଟ ହୋଇଥିବା ଶିକ୍ଷା ଉପକରଣ।

ଗଞ୍ଜାମ ବ୍ଲକ୍ ବରପଲ୍ଲୀ ଗାଁର ଋଷିକୁଲ୍ୟା ଉଚ୍ଚ ବିଦ୍ୟାଳୟରେ ଯେଉଁଠି ଦିନେ ପିଲାଙ୍କ କୋଳାହଳରେ ଫାଟି ପଡ଼ୁଥିଲା ସ୍କୁଲ୍, ଆଜି ସେଠି ପ୍ରାୟ ଦୁଇ ଇଞ୍ଚ ବହଳର କାଦୁଅ ଆସ୍ତରଣ।

ସ୍ମାର୍ଟ କ୍ଲାସ୍ ରୁମର ଟେବୁଲ୍, ଚେୟାରଠାରୁ ଆରମ୍ଭ କରି ଏଲଇଡି ବୋର୍ଡ, ବିଜ୍ଞାନାଗାର ଓ ଅଫିସ୍ ରୁମ୍...

କିଛି ବି ବର୍ତ୍ତିପାରିନି ଋଷିକୂଲ୍ୟାର କୋପରୁ।

କେବଳ ବରପଲ୍ଲୀ ନୁହେଁ, ପୁରୁଷୋତ୍ତମପୁର ବ୍ଲକର ଅନେକ ସ୍କୁଲରେ ସମାନ ସ୍ଥିତି।

ପ୍ରତାପପୁର ହାଇସ୍କୁଲର ଶ୍ରେଣୀଗୃହ, ଟେବୁଲ୍ ଓ ଚେୟାର ସବୁଠି ଜମି ରହିଛି ମାଟି-କାଦୁଅ।

ସଫେଇ କାର୍ଯ୍ୟରେ ଲାଗିଛନ୍ତି ବିଦ୍ୟାଳୟ କର୍ମଚାରୀ।

ଆସିକା ଧରାକୋଟ ବ୍ଲକର ଜଗମୋହନ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସ୍ଥିତି ଆହୁରି ସଙ୍ଗିନ।

ସ୍କୁଲର କମ୍ପ୍ୟୁଟର, ପ୍ୟାନେଲ୍ ବୋର୍ଡ, ବିଜ୍ଞାନାଗାର, ବହିପତ୍ର ଓ ଖେଳ ସାମଗ୍ରୀ ସବୁ ନଷ୍ଟ।

ସ୍କୁଲ୍ ର ସ୍ଥିତି ସ୍ୱାଭାବିକ ହେବାକୁ ଲାଗିପାରେ ଆହୁରି ୧୦ ଦିନ।

ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ପ୍ରସ୍ତୁତିକୁ ନେଇ ଚିନ୍ତାରେ ଦଶମ ଛାତ୍ରଛାତ୍ରୀ।

Advertisment ବନ୍ୟା କେବଳ ଶିକ୍ଷା ନୁହେଁ, ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବି ଉଜାଡ଼ି ଦେଇଛି।

କାଦୁଅ ଓ ଆବର୍ଜନାର ଗଦା ପାଲଟିଛି ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିସର।

ପ୍ରାୟ ୭ ଫୁଟର ବନ୍ୟାଜଳ ମେଡିକାଲର ତଳ ମହଲାକୁ ସମ୍ପୂର୍ଣ୍ଣ ବୁଡ଼ାଇ ଦେଇଥିଲା।

ଫଳରେ ରୋଗୀଙ୍କୁ ଉପର ମହାଲାକୁ ସ୍ଥାନାନ୍ତର କରାଯାଇଥିଲା।

ବନ୍ୟାପାଣିରେ ବୁଡ଼ି ନଷ୍ଟ ହୋଇଛି ବହୁ ଚିକିତ୍ସା ଯନ୍ତ୍ରପାତି, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ।

ମେଡିକାଲର ଏଭଳି ସଂଗୀନ ସ୍ଥିତି ଚାରିଟି ବ୍ଲକର ଶହେରୁ ଅଧିକ ଗାଁରେ ରୋଗୀସେବାକୁ ଗୁରୁତର ପ୍ରଭାବିତ କରିଛି।

ଏପଟେ ମେଡିକାଲକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଚାଲିଛି ଯୁଦ୍ଧକାଳୀନ ପ୍ରୟାସ।

ସଫେଇରେ ଲାଗିଛନ୍ତି ଆସିକା ଓ କବିସୂର୍ଯ୍ୟନଗର ଅଗ୍ନିଶମ କେନ୍ଦ୍ରର ଦୁଇଟି ଟିମ୍।

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରମାନେ ମଧ୍ୟ ପଙ୍କ ଓ ଆବର୍ଜନା ସଫା କରିବାରେ ହାତ ବଢ଼ାଇଛନ୍ତି।

ଏହାରି ଭିତରେ ଆସିକା ମେଡିକାଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଯଥାଶୀଘ୍ର ଚିକିତ୍ସାଳୟକୁ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ପାଣି ଚାଲିଯାଇଛି, ହେଲେ ଲିଭିନି ବିପର୍ଯ୍ୟୟର ଚିହ୍ନ।

କେଉଁଠି ପିଲାଙ୍କ ଭବିଷ୍ୟତ କାଦୁଅ ତଳେ ତ ଆଉ କେଉଁଠି ରୋଗୀଙ୍କ ଜୀବନ ଚିନ୍ତାରେ।

ବନ୍ୟା ପରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ପୁଣି ଟ୍ରାକ୍ କୁ ଫେରାଇ ଆଣିବା ପ୍ରଶାସନ ପାଇଁ ଏବେ ସବୁଠୁ ବଡ଼ ଆହ୍ୱାନ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।