Education: ପୁରସ୍କାର ଆଶାରେ କୌଣସି କାମ କରିବା ଉଚିତ ନୁହେଁ: ପଦରଜ ଉମାକାନ୍ତ ନାୟକ
"ପ୍ରତିବର୍ଷ ଗୁରୁ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରୁ ଉଲ୍ଲେଖନୀୟ କୃତିତ୍ବ ଥିବା ଶିକ୍ଷକଙ୍କୁ "ଜାତୀୟ ଶିକ୍ଷକ ପୁରସ୍କାର" ଲାଗି ଚୟନ କରାଯାଇଥାଏ।
ଏହି କ୍ରମରେ ଚଳିତବର୍ଷ ଓଡ଼ିଶାରୁ ପଦରଜ ଉମାକାନ୍ତ ନାୟକଙ୍କୁ ମନୋନୀତ କରାଯାଇଛି।
ପ୍ରାୟ ଦୁଇ ଦଶନ୍ଧି ତଳେ ଶିକ୍ଷକତା ଆରମ୍ଭ କରିଥିବା ଶ୍ରୀ ନାୟକ ବର୍ତ୍ତମାନ ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ।
ଏଥିପୂର୍ବରୁ ସେ "ରାଜ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୩" ଓ "ପ୍ରକୃତି ବନ୍ଧୁ ପୁରସ୍କାର-୨୦୨୧"ରେ ମଧ୍ୟ ସମ୍ମାନିତ ହୋଇଛନ୍ତି।
ରାଜ୍ୟର ଶୈକ୍ଷିକ ବାତାବରଣ, ଛାତ୍ର-ଶିକ୍ଷକ ସଂପର୍କ ଏବଂ ସାଂପ୍ରତିକ ଘଟଣାବଳି ଆଦି ପ୍ରସଙ୍ଗରେ "ରବିବାର ସମ୍ବାଦ" ପକ୍ଷରୁ ତାଙ୍କ ସହ ଆଲୋଚନା କରିଛନ୍ତି ମହେନ୍ଦ୍ର ସାହୁAdvertisment "ଜାତୀୟ ଶିକ୍ଷକ ପୁରସ୍କାର" ଲାଗି ଆପଣ ମନୋନୀତ ହୋଇଥିବା ଖବର ପାଇବା ସମୟର ଅନୁଭୂତି କିଭଳି ଥିଲା?
କୌଣସି ଭଲ ବାର୍ତ୍ତା ଶୁଣିଲେ ଯେ କେହି ନିଶ୍ଚିତ ଭାବେ ଖୁସି ଅନୁଭବ କରିବ।
ଜାତୀୟ ଶିକ୍ଷକ ପୁରସ୍କାର ପାଇବା ବାର୍ତ୍ତା ଶୁଣି ମୁଁ ମଧ୍ୟ ଖୁସି ଅନୁଭବ କରିଥିଲି।
ସତ କହିଲେ, ମୋ ଆଖିରୁ ଆନନ୍ଦାଶ୍ରୁ ଝରି ପଡ଼ିଥିଲା।
ଧୀରେ ଧୀରେ ଏହି ବାର୍ତ୍ତା ଅନ୍ୟମାନଙ୍କ ପାଖରେ ପହଞ୍ଚିଲା।
ବହୁ ଲୋକ ମୋବାଇଲ୍ ଫୋନ୍ରେ ଶୁଭେଚ୍ଛା ଜଣାଇଲେ।
ଏଥିରେ ମୋର ସହକର୍ମୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ଥିଲେ।
ମନେ ମନେ ଭାବୁଥିଲି ଜୀବନସାରା ଜାରି ରଖିଥିବା ପରିଶ୍ରମର ସୁଫଳ ମିଳିଛି।
ଆଗକୁ ଆହୁରି ପରିଶ୍ରମ କରିବା ପାଇଁ ଏଥିରୁ ପ୍ରେରଣା ମଧ୍ୟ ପାଇଛି।
ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳୁଛି, ନିଜର କର୍ମ ଅପେକ୍ଷା ପୁରସ୍କାର ପାଇଁ ଲୋକେ ଅଧିକ ବ୍ୟଗ୍ର ହେଉଛନ୍ତି।
ଏ ବିଷୟରେ ଆପଣ କ"ଣ କହିବେ?ପୁରସ୍କାର ପାଇଲେ ସମସ୍ତେ ଖୁସି ହୁଅନ୍ତି।
କିନ୍ତୁ, ପୁରସ୍କାର ଆଶା ରଖି କୌଣସି କାମ କରିବା ଠିକ୍ ନୁହେଁ।
ଏହାଦ୍ବାରା କାର୍ଯ୍ୟ ବାଧାପ୍ରାପ୍ତ ହୁଏ।
ହୁଏତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଷ୍ଟକର ହୋଇପାରେ, କାର୍ଯ୍ୟରେ ସଫଳତା ନ ମିଳିପାରେ, କିନ୍ତୁ ମୁଁ ପୁରସ୍କାର ପାଇଁ କାମ କରିବା ସପକ୍ଷରେ ନୁହେଁ।
ଆଜିକାଲିର ଯୁବପିଢ଼ି ସଫଳତା ଲାଗି ସର୍ଟକଟ୍କୁ ଆପଣାଉଛନ୍ତି?
ଏହା କେତେଦୂର ଠିକ୍?ମୋ ମତରେ "ସର୍ଟକଟ୍" ମାଧ୍ୟମ ଉଚିତ ନୁହେଁ।
ଆଉ ଶିକ୍ଷକତା କ୍ଷେତ୍ରରେ ଏହା ଆଦୌ ପ୍ରଯୁଜ୍ୟ ନୁହେଁ।
ଶିକ୍ଷକତା ଏକ ଚାକିରି ନୁହେଁ।
ଏହା ଏକ ସେବା।
ମନ୍ଦିରରେ ଯେପରି ଭଗବାନଙ୍କୁ ପୂଜାରୀମାନେ ପୂଜା କରନ୍ତି, ଠିକ୍ ସେହିପରି ଭଗବାନ ସ୍ବରୂପ ବିଦ୍ୟାର୍ଥୀଙ୍କୁ ଭଲ ପାଠ ପଢ଼ାଇ ମଣିଷ କରିବା ଶିକ୍ଷକମାନଙ୍କର ପ୍ରଥମ କାମ।
ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆମକୁ ସରଳ ତଥା ସହଜ ଭାଷାରେ ସେମାନେ ବୁଝିପାରିବା ଭଳି ଶିକ୍ଷା ଦେବାକୁ ପଡ଼ିବ।
ଅନ୍ୟ ବୃତ୍ତିଧାରୀମାନଙ୍କୁ ମଧ୍ୟ କହିବି ଯେ, ସେମାନଙ୍କୁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ପଡ଼ିବ।
ସଫଳତା ଆପେ ଆସିବ।
କେଉଁ ଅସୁବିଧା ହେତୁ ଗୁରୁ ଓ ଶିଷ୍ୟଙ୍କ ସଂପର୍କରେ ନିବିଡ଼ତା ହ୍ରାସ ପାଉଛି?
ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଥିବା ସଂପର୍କ ଆଉ ଆଗ ଭଳି ନିବିଡ଼ ନାହିଁ।
ଏଥିପାଇଁ ଅନେକ କାରଣ ଦାୟୀ।
ଗୁରୁମାନଙ୍କ ସହିତ ସୁସଂପର୍କ ଗଢ଼ିବା ପାଇଁ ଆରମ୍ଭରୁ ଅଭିଭାବକମାନେ ପିଲାଙ୍କୁ ପ୍ରବର୍ତ୍ତାଇବା ଦରକାର।
ତା"ଛଡ଼ା, ଆଜିକାଲି ଡିଜିଟାଲ୍ ପ୍ଲାଟ୍ଫର୍ମରୁ ପିଲାମାନେ ଅନେକ କଥା ସହଜରେ ଜାଣି ପାରୁଛନ୍ତି।
ତେଣୁ ସେମାନେ ସେଥିରେ ବହୁତ ସମୟ ବିତାଉଛନ୍ତି।
କେବଳ ଇଣ୍ଟରନେଟ୍ ଓ ଅଭିଭାବକଙ୍କୁ ଦୋଷ ଦେଲେ ହେବନାହିଁ।
ଏଥିପାଇଁ ଶିକ୍ଷକମାନେ ମଧ୍ୟ କିଛି ମାତ୍ରାରେ ଦାୟୀ।
କାରଣ, ପିଲାମାନଙ୍କ ପ୍ରତି ଶିକ୍ଷକମାନଙ୍କର ଆନ୍ତରିକତା କମିଯାଉଛି।
ଗୁରୁ-ଶିଷ୍ୟ ସଂପର୍କ ସୁଧାରିବା ପାଇଁ ଶିକ୍ଷକମାନେ ପିଲାମାନଙ୍କୁ ଅନାବିଳ ସ୍ନେହ ଦେବା ଆବଶ୍ୟକ।
ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି।
ତଥାପି ଅଭିଭାବକମାନେ ପିଲାଙ୍କୁ ଘରୋଇ ସ୍କୁଲ୍ରେ ପାଠ ପଢ଼ାଇବାକୁ ଆଗ୍ରହୀ।
ଏ ସମସ୍ୟା କେମିତି ସମାଧାନ ହୋଇପାରିବ?କିଛିବର୍ଷ ହେଲା ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଛି।
ଧୀରେ ଧୀରେ ଅଭିଭାବକମାନଙ୍କର ଚିନ୍ତାଧାରା ବି ବଦଳୁଛି।
ଶିକ୍ଷକମାନେ ପ୍ରତ୍ୟେକ ପିଲାଙ୍କୁ ନିଜର ବୋଲି ଭାବି ଶିକ୍ଷାଦାନ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ କଲେ ଅଭିଭାବକଙ୍କ ମନରେ ପରିବର୍ତ୍ତନ ଆସିବ।
ସରକାରୀ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବ।
ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆମ ସ୍କୁଲ୍ରେ ଏବେ ୩୭୫ ଛାତ୍ରଛାତ୍ରୀ ଅଛନ୍ତି।
ଦୁଇ ବର୍ଷ ପୂର୍ବରୁ ସେମାନଙ୍କ ସଂଖ୍ୟା ଥିଲା ୩୦୨।
ଶିକ୍ଷକ-ଛାତ୍ର ଅନୁପାତ ସ୍ଥିତି ମଧ୍ୟ ଭଲ ରହୁଛି।
ବିଗତ କିଛିବର୍ଷ ହେଲା ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।
ସରକାରୀ ସ୍କୁଲ୍ରେ ଭଲ ପ୍ରାର୍ଥୀଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ମିଳୁଛି।
ଘରୋଇ ସ୍କୁଲ୍ ତୁଳନାରେ ସରକାରୀ ସ୍କୁଲ୍ରେ ପିଲାମାନଙ୍କୁ ମାଗଣାରେ ଅନେକ ସୁବିଧାସୁଯୋଗ ମିଳୁଛି।
ଘରୋଇ ସ୍କୁଲ୍ ମୋହରେ ନ ପଡ଼ି ଅଭିଭାବକମାନେ ସରକାରୀ ସ୍କୁଲ୍ରେ ପାଠପଢ଼ାକୁ ଗୁରୁତ୍ବ ଦେବା ଦରକାର।
ଏହାଦ୍ବାରା ସେମାନେ କମ୍ ଖର୍ଚ୍ଚାନ୍ତ ହେବେ।
ପାଠପଢ଼ା କେବଳ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ।
ଏହା ବିକଶିତ ସମାଜ ଓ ରାଷ୍ଟ୍ର ନିର୍ମାଣରେ ଉପଯୋଗ ହେବା ଉଚିତ।
ଏ ପ୍ରସଙ୍ଗରେ ଆପଣଙ୍କ ମତ କ"ଣ?ପ୍ରଥମରୁ କହିଛି- ଶିକ୍ଷକତାକୁ ଚାକିରି ମନେ ନ କରି ସେବା ଓ ସମର୍ପଣ ବୋଲି ବିବେଚନା କରାଯିବା ଉଚିତ।
ଭଲ ପାଠ ପଢ଼ାଇ ପିଲାମାନଙ୍କୁ ରାଷ୍ଟ୍ର ଗଠନ ପାଇଁ ଯୋଗ୍ୟ କରିବା, ସେମାନଙ୍କ ମନରେ ମାନବିକତା ମୂଲ୍ୟବୋଧ ସୃଷ୍ଟି କରାଇବା ହେଉଛି ସବୁଠୁ ବଡ଼ କାମ।
ପୁନଶ୍ଚ, ଭାରତୀୟ ସଂସ୍କୃତି ଶିକ୍ଷା ଉପରେ ଗୁରୁତ୍ବାରୋପ କରାଯିବା ଉଚିତ।
ଏହାଦ୍ବାରା ପିଲାମାନେ ଆମ ଦେଶକୁ ଏକ ସୁରକ୍ଷିତ ଓ ସମୃଦ୍ଧ କରିବାରେ ସହାୟକ ହୋଇପାରିବେ।
ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରସ୍ତୁତ ନୂଆ ପଢ଼ାବହିରେ ବ୍ୟାପକ ତ୍ରୁଟି ଥିଲା।
ପୁସ୍ତକ ପ୍ରକାଶନ ପୂର୍ବରୁ କ"ଣ ଏହାର ସଂଶୋଧନ କରାଯାଇ ପାରି ନଥାନ୍ତା?ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟ ପୁସ୍ତକଗୁଡ଼ିକର ବହୁ ସ୍ଥାନରେ ତ୍ରୁଟି ଦେଖାଯାଇଥିଲା।
ଏହାକୁ ନେଇ ଚାରିଆଡ଼େ ଅସନ୍ତୋଷ ସୃଷ୍ଟି ହୋଇଥିଲା।
ବୁଦ୍ଧିଜୀବୀମାନେ ବିତର୍କ କରିଥିଲେ।
କିନ୍ତୁ, ପୁସ୍ତକରେ ଥିବା ତ୍ରୁଟି ପିଲାଙ୍କ ଉପରେ ସେତେ ଖରାପ ପ୍ରଭାବ ପକାଇ ପାରି ନଥାନ୍ତା।
କାରଣ, ପାଠପଢ଼ାଇବା ନିମନ୍ତେ ଶିକ୍ଷକମାନେ ବିଶେଷ କୌଶଳ ଜାଣନ୍ତି।
ନୂତନ ପୁସ୍ତକର ଆଭିମୁଖ୍ୟ କ"ଣ, ତାହା ବୁଝି ସେମାନେ ପଢ଼ାଇଥାଆନ୍ତେ।
ମୁଦ୍ରଣଜନିତ ସମସ୍ୟା ପାଠପଢ଼ାରେ କୌଣସି ପ୍ରଭାବ ପକାଇପାରି ନଥାଏ।
କିନ୍ତୁ, ପୁସ୍ତକ ଯେହେତୁ ପିଲାମାନଙ୍କ ପାଖରେ ରହୁଛି, ତାହା ନିର୍ଭୁଲ୍ ହେବା ଦରକାର।
ତେଣୁ ପାଠ୍ୟପୁସ୍ତକ ମୁଦ୍ରଣ ଓ ପ୍ରକାଶନ ପୂର୍ବରୁ ଭଲ ଭାବେ ଯାଞ୍ଚ ହୋଇଥିଲେ, ଅଯଥା ବିବାଦ ସୃଷ୍ଟି ହୋଇ ନଥାନ୍ତା।
ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ଲାଗି ଶ୍ରେଣୀଗୃହ ବ୍ୟତୀତ ଆଉ କେଉଁ ମାଧ୍ୟମରେ ଶିକ୍ଷା ଦିଆଯାଇପାରିବ?ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ବିଦ୍ୟାଳୟର ଶ୍ରେଣୀଗୃହ ପର୍ଯ୍ୟାପ୍ତ ନୁହେଁ।
ତେଣୁ ପ୍ରକଳ୍ପଭିତ୍ତିକ ଶିକ୍ଷା, ଗବେଷଣାଭିତ୍ତିକ ଶିକ୍ଷା, ହାତପାହାନ୍ତା କାର୍ଯ୍ୟକଳାପ, ନୃତ୍ୟ ମାଧ୍ୟମରେ ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା, ଯୋଗ ମାଧ୍ୟମରେ ଶିକ୍ଷା, ଖେଳ ମାଧ୍ୟମରେ ଶିକ୍ଷା ଓ କଳା ମାଧ୍ୟମରେ ଶିକ୍ଷା ଦିଆଯାଇ ପାରିବ।
ଏହାଦ୍ବାରା ପିଲାମାନେ ସହଜରେ ଶିକ୍ଷାଗ୍ରହଣ କରିପାରିବେ ଏବଂ ସେମାନଙ୍କର ସର୍ବାଙ୍ଗୀନ ବିକାଶ ହୋଇପାରିବ।
ଆଜିର ଦିନରେ ପରିବେଶ ସୁରକ୍ଷା ସମଗ୍ର ବିଶ୍ବ ପାଇଁ ବଡ଼ ଆହ୍ବାନ।
ବିଦ୍ୟାଳୟସ୍ତରରୁ ଏହି କାମ କରାଯିବା ଉଚିତ।
ଏ ସଂପର୍କରେ ଆପଣଙ୍କ ମତ କ"ଣ?"ପରିବେଶର ସୁରକ୍ଷା" ପାଇଁ ସମାଜର ପ୍ରତ୍ୟେକ ବର୍ଗର ଲୋକେ ଧ୍ୟାନ ଦେବା ଜରୁରି।
ଧରିତ୍ରୀ ମାତା ବଞ୍ଚିଲେ, ଆମେ ବଞ୍ଚିପାରିବା।
ଏଥିପାଇଁ "ସବୁଜ ବିପ୍ଳବ"କୁ ଜୋର୍ଦାର୍ କରାଯିବା ଆବଶ୍ୟକ।
ବିଦ୍ୟାଳୟସ୍ତରରେ ପରିବେଶ ସୁରକ୍ଷା ସଂପର୍କିତ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇପାରିବ।
କିଛିବର୍ଷ ଆଗରୁ ଆମ ବିଦ୍ୟାଳୟରେ ୧୦୦ଟି ଗୁଆଗଛ ଲଗାଇଥିଲୁ।
ପିଲାମାନଙ୍କୁ ନେଇ ବିଦ୍ୟାଳୟ ନିକଟ ପଡ଼ିଆରେ ବୃକ୍ଷରୋପଣ କରୁଛୁ।
ସେହିପରି ଗାଁ"ରେ ଖାଲିଥିବା କିଛି ସ୍ଥାନରେ ମଧ୍ୟ ବୃକ୍ଷରୋପଣ କରାଯାଉଛି।
ଯୁଗୋପଯୋଗୀ ନୀତି ପ୍ରଣୟନ ଦ୍ବାରା ଶିକ୍ଷାର ସଂପ୍ରସାରଣ ହୋଇପାରିବ: ତରୁଣ କୁମାର ଦାଶ ସଂକ୍ଷେପରେ ଉମାକାନ୍ତ ନାୟକ ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅଧୀନ ଅନନ୍ତପୁର ଗାଁରେ ୧୯୮୧ ମସିହା ଅକ୍ଟୋବର ୭ରେ ପଦରଜ ଉମାକାନ୍ତ ନାୟକଙ୍କ ଜନ୍ମ।
ଶ୍ରୀ ନାୟକ ୨୦୦୪ ମସିହା ଫେବ୍ରୁଆରି ୨୦ରେ ବାରମୁଣ୍ଡଳୀସ୍ଥିତ ମରୀଚପୁର ହାଇସ୍କୁଲ୍ରେ ସହକାରୀ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ।
୨୦୧୬ ଜୁଲାଇ ୫ରୁ ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।
ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ଶିକ୍ଷାଦାନ ଶୈଳୀ ଏବଂ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ୨୦୨୬ ମସିହାର ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
ଅଭିଜ୍ଞତାଭିତ୍ତିକ ଓ ସୃଜନଶୀଳ ଶିକ୍ଷାଦାନ ମାଧ୍ୟମରେ ଶ୍ରେଣୀଗୃହ ଶିକ୍ଷାଦାନର ମାନବୃଦ୍ଧି କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ସେ ୨ଟି ଅନ୍ତର୍ଜାତୀୟ (ଭୁବନେଶ୍ବର ଓ ବେଙ୍ଗାଲୁରୁ) ଏବଂ ୪ଟି ଜାତୀୟ ସମ୍ମିଳନୀରେ ଶିକ୍ଷାଦାନ ପଦ୍ଧତି ସମ୍ପର୍କିତ ଗବେଷଣାପତ୍ର ଉପସ୍ଥାପନ କରିଛନ୍ତି।
ଓଡ଼ିଶା ସରକାରଙ୍କ ଦ୍ୱାରା "ରାଜ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୩" ଏବଂ "ପ୍ରକୃତି ବନ୍ଧୁ ପୁରସ୍କାର-୨୦୨୧"ରେ ସମ୍ମାନିତ ହୋଇଛନ୍ତି ଉମାକାନ୍ତ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।