El Nino: ‘ଏଲ୍ ନିନୋ ୨୦୨୬–୨୭: ତୀବ୍ର ହେଉଛି’

Oct 10, 2026 - 21:05
El Nino: ‘ଏଲ୍ ନିନୋ ୨୦୨୬–୨୭: ତୀବ୍ର ହେଉଛି’

"ଏଲ୍ ନିନୋ କ୍ରମଶଃ ଶକ୍ତିଶାଳୀ ହେଉଛି ଏବଂ ୨୦୨୬ ଶେଷ ବେଳକୁ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।

ଆମେରିକାର NOAA ସଂସ୍ଥାର ୮ ଅକ୍ଟୋବର ରିପୋର୍ଟ ଅନୁସାରେ, ପ୍ରଶାନ୍ତ ମହାସାଗରର ନିନୋ ୩.୪ ଅଞ୍ଚଳରେ ସମୁଦ୍ର ଜଳର ତାପମାତ୍ରା ସ୍ୱାଭାବିକଠାରୁ ୨.୧°C ଅଧିକ ରହିଛି।

ଜୁଲାଇରେ ଏହା ୧.୪°C ଏବଂ ଅଗଷ୍ଟରେ ୧.୮°C ଥିଲା।

ଆହୁରି ପୂର୍ବ ଦିଗରେ ନିନୋ ୩ ଅଞ୍ଚଳରେ ତାପମାତ୍ରା ୩.୦°C ଏବଂ ନିନୋ ୧+୨ ଅଞ୍ଚଳରେ ୩.୯°C ଅଧିକ ରହିଛି।

ପୂର୍ବ ପ୍ରଶାନ୍ତ ମହାସାଗରର କେତେକ ସ୍ଥାନରେ ଏହା ୪°Cରୁ ଅଧିକ ଏବଂ ସମୁଦ୍ର ଭିତରେ କେତେକ ଗଭୀରତାରେ ୧୦°Cରୁ ଅଧିକ ରହିଛି।

ବାୟୁମଣ୍ଡଳର ପରିବର୍ତ୍ତନ ମଧ୍ୟ ଏଲ୍ ନିନୋ ଶକ୍ତିଶାଳୀ ହେଉଥିବାର ସୂଚନା ଦେଉଛି।Advertisment ଏଲ୍ ନିନୋ ଅତ୍ୟନ୍ତ ତୀବ୍ର ହେବାର ସମ୍ଭାବନା ଅଧିକ।

NOAA ଅନୁସାରେ, ଅକ୍ଟୋବର–ଡିସେମ୍ବର ୨୦୨୬ ମଧ୍ୟରେ ଏଲ୍ ନିନୋର ତୀବ୍ରତା ସୂଚକାଙ୍କ RONI +୨.୫°C କିମ୍ବା ତାହାଠାରୁ ଅଧିକ ହେବାର ସମ୍ଭାବନା ୮୩ ପ୍ରତିଶତ।

ଏପରି ହେଲେ ୧୯୫୦ ପରଠାରୁ ରେକର୍ଡ ହୋଇଥିବା ଏଲ୍ ନିନୋ ଘଟଣାଗୁଡ଼ିକର ତୀବ୍ରତାକୁ ଏହା ଅତିକ୍ରମ କରିପାରେ।

ଜାନୁଆରୀ–ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଏଲ୍ ନିନୋ ଶକ୍ତିଶାଳୀ ରହିପାରେ।

ଡିସେମ୍ବର ବେଳକୁ ଏହା ସର୍ବାଧିକ ତୀବ୍ର ହୋଇ ପରେ ଧୀରେ ଧୀରେ ଦୁର୍ବଳ ହେବ ଏବଂ ଏପ୍ରିଲ୍–ଜୁଲାଇ ୨୦୨୭ ମଧ୍ୟରେ ସ୍ୱାଭାବିକ ଅବସ୍ଥାକୁ ଫେରିପାରେ।

El Niño: ରେକର୍ଡ ଭାଙ୍ଗିଲା ଏଲ୍ ନିନୋ: ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠ ତାପମାତ୍ରା ୩.୦୫ ଡିଗ୍ରି ବୃଦ୍ଧି ଭାରତ ଉପରେ ପ୍ରଭାବ: ସାଧାରଣତଃ ଏଲ୍ ନିନୋ ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା କମିବାର ଆଶଙ୍କା ବଢ଼େ।

କିନ୍ତୁ ଉତ୍ତର-ପୂର୍ବ ମୌସୁମୀ ଉପରେ ଏହାର ପ୍ରଭାବ ଭିନ୍ନ।

ଅକ୍ଟୋବର–ଡିସେମ୍ବର ମଧ୍ୟରେ ଦକ୍ଷିଣ ଭାରତ, ବିଶେଷକରି ତାମିଲନାଡୁରେ ଭଲ ବର୍ଷା ହୋଇପାରେ।

ପ୍ରକୃତ ବର୍ଷା ଭାରତ ମହାସାଗରର ତାପମାତ୍ରାର ପାର୍ଥକ୍ୟ (IOD), ମ୍ୟାଡେନ୍–ଜୁଲିଆନ୍ ଦୋଳନ (MJO) ଏବଂ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ପ୍ରଣାଳୀ ଉପରେ ମଧ୍ୟ ନିର୍ଭର କରିବ।

ଶୀତଦିନେ ଦେଶର କେତେକ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିପାରେ।

ତେବେ କେତେ ଅଧିକ ହେବ, ତାହା କେବଳ ଏଲ୍ ନିନୋ ଆଧାରରେ କହିହେବ ନାହିଁ।

ଓଡ଼ିଶା ଉପରେ ପ୍ରଭାବ: ଅକ୍ଟୋବର–ଡିସେମ୍ବର ମଧ୍ୟରେ ଓଡ଼ିଶାର ବର୍ଷା ମୁଖ୍ୟତଃ ମୌସୁମୀର ପ୍ରତ୍ୟାବର୍ତ୍ତନ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ, ଅବପାତ ଓ ବାତ୍ୟା ଉପରେ ନିର୍ଭର କରିବ।

ଏଲ୍ ନିନୋ ଅତ୍ୟନ୍ତ ତୀବ୍ର ହେଲେ ମଧ୍ୟ ବଙ୍ଗୋପସାଗରରେ ବାତ୍ୟା କିମ୍ବା ଓଡ଼ିଶାରେ ପ୍ରବଳ ବର୍ଷା ହେବା ବନ୍ଦ ହୁଏ ନାହିଁ।

ଶୀତଦିନେ ତାପମାତ୍ରା ଅଧିକ ରହିଲେ ଏବଂ ଦୀର୍ଘଦିନ ବର୍ଷା ନ ହେଲେ ମାଟିରୁ ଜଳ କ୍ଷୟ ବଢ଼ିପାରେ।

ଫଳରେ ରବି ଫସଲ ପାଇଁ ଅଧିକ ଜଳସେଚନ ଆବଶ୍ୟକ ହୋଇପାରେ।

ତେଣୁ ଚାଷୀମାନେ ସଦ୍ୟତମ ପାଣିପାଗ ପୂର୍ବାନୁମାନ ଓ କୃଷି ପାଣିପାଗ ପରାମର୍ଶ ଅନୁସରଣ କରିବା ଉଚିତ।

ଉପସଂହାର: ଏଲ୍ ନିନୋ ବର୍ତ୍ତମାନ ଶକ୍ତିଶାଳୀ ରହିଛି, ୨୦୨୬ ଶେଷ ବେଳକୁ ରେକର୍ଡ ତୀବ୍ରତାରେ ପହଞ୍ଚିପାରେ ଏବଂ ୨୦୨୭ ପ୍ରଥମାର୍ଦ୍ଧରେ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।

ଭାରତ ଓ ଓଡ଼ିଶାର ଋତୁକାଳୀନ ବର୍ଷା ଓ ତାପମାତ୍ରା ଉପରେ ଏହାର ପ୍ରଭାବ ନଜରରେ ରଖିବା ଆବଶ୍ୟକ, କିନ୍ତୁ ପ୍ରତ୍ୟେକ ପାଣିପାଗ ଘଟଣାର ପୂର୍ବାନୁମାନ ଅଲଗା ଭାବେ କରିବାକୁ ହେବ।

ତଥ୍ୟ ଉତ୍ସ: NOAA Climate Prediction Center, ENSO Diagnostic Discussion, ୮ ଅକ୍ଟୋବର ୨୦୨୬  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।