‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ ପାଇଁ ଗଜପତିରେ କେନ୍ଦ୍ରୀୟ ଟିମ୍
‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ ପାଇଁ ଗଜପତିରେ କେନ୍ଦ୍ରୀୟ ଟିମ୍
ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ‘ଅର୍ଣ୍ଣବ’ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ସୀମାନ୍ତ ଗଜପତିରେ ତାଣ୍ଡବ ମଚାଇ ଚାଲିଗଲା । ବହୁ ଲୋକଙ୍କ ମୁଣ୍ଡରୁ ଛାତ ଉଡ଼ାଇ ନେଇଛି ବାତ୍ୟା । ଏହାସହ ପ୍ରବଳ ବର୍ଷା ମଧ୍ୟ ଲୋକଙ୍କ ନାହିଁ ନଥିବା କ୍ଷତି ଘଟାଇଛି । ଚାଷ ଜମିରେ ଲହଡ଼ି ମାରୁଛି ପାଣି । ବହୁ ଅଞ୍ଚଳ ଜଳମଗ୍ନ ବି ହେଲା । ଏମିତି ସ୍ଥିତିରେ ବାତ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ଗଜପତି ଜିଲ୍ଲା ଗସ୍ତ କରିଛି କେନ୍ଦ୍ରୀୟ ଟିମ୍ ।
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆରଡିସି ଓ ଜିଲ୍ଲାପାଳ ଉପସ୍ଥିତିରେ କେନ୍ଦ୍ରୀୟ ଟିମ୍ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ଲଗାଣ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଗଜପତି ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଆକଳନ କରିଛନ୍ତି ଏହି ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଦଳ । ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ।
ଜିଲ୍ଲାରେ ବାତ୍ୟା ଯୋଗୁଁ ଘରଦ୍ୱାର, ଚାଷଜମି, ରାସ୍ତାଘାଟ, ପୋଲ, ବିଦ୍ୟୁତ୍ ଭିତ୍ତିଭୂମି, ଜଳସେଚନ ପ୍ରକଳ୍ପ ଓ ଅନ୍ୟାନ୍ୟ ସରକାରୀ ସମ୍ପତ୍ତିର କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରୀୟ ଦଳକୁ ବିଭାଗୱାରୀ ତଥ୍ୟ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ଦଳ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।