ଆମେରିକା ସ୍କୁଲରେ ଗୁଳିକାଣ୍ତ, ୩ ଶିଶୁଙ୍କ ସମେତ ଜଣେ ମୃତ
ନନ୍ଦିଘୋଷ ବ୍ୟୁରୋ: ସ୍କୁଲରେ ଗୁଳିକାଣ୍ତ । ଗୁରୁବାର ୱେଷ୍ଟ ଆମେରିକା ଓରେଗନ୍ ବେଣ୍ତ ସହର ସ୍ଥିତ ‘ସିଲଭର ରେଲ ଏଲିମେଣ୍ଟାରୀ ସ୍କୁଲ୍’ରେ ଗୁଳିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଗୁଳିକାଣ୍ତରେ ୩ ଜଣ ନିରୀହ ଶିଶୁଙ୍କ ସମେତ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁମାନଙ୍କ ବୟସ ୫, ୮ ଓ ୧୧ ବର୍ଷ ବୋଲି ପୋଲିସ କହିଛି । ଏହା ସହ ଜଣେ ଶିଶୁ ଓ ଶିକ୍ଷକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଗୁଳିକାଣ୍ଡ ଘଟାଇଥିବା ଆକ୍ରମଣକାରୀକୁ ଜଣେ ସ୍ଥାନୀୟ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ପରେ ପୂରା ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଗୁଳିକାଣ୍ତ ପରେ ‘ସିଲଭର ରେଲ ଏଲିମେଣ୍ଟାରୀ ସ୍କୁଲ୍’ର କିଣ୍ଡରଗାର୍ଡେନ୍ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ବସ୍ ଯୋଗେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ପରିବାର ଲୋକଙ୍କ ନିକଟରେ ଛଡ଼ାଯାଇଥିଲା ।
ପୋଲିସର କହିବା ଅନୁଯାୟୀ, ଜଣେ ସ୍ଥାନୀୟ ବ୍ୟକ୍ତି ଆକ୍ରମଣକାରୀକୁ ସ୍କୁଲ ଭିତରକୁ ପ୍ରବେଶ କରୁଥିବା ଦେଖି ତା’ର ପିଛା କରିଥିଲେ। ପରେ ତାଙ୍କ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ପରେ ସେହି ବ୍ୟକ୍ତିଙ୍କ ଗୁଳିରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିଲା। ଓରେଗନ୍ ଗଭର୍ଣ୍ଣର ଟିନା କୋଟେକ୍ ଏହି ବ୍ୟକ୍ତିଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଆକ୍ରମଣକାରୀର ପରିଚୟ, ସ୍କୁଲ ସହ ତା’ର କୌଣସି ସମ୍ପର୍କ ଥିଲା କି ନାହିଁ ଓ ଏହି ଘଟଣା ପଛରେ କାହାର ହାତ ରହିଛି ସେନେଇ ପୋଲିସ ତଦନ୍ତ କରୁଛି । ଏଥିରେ ଆମେରିକାର ଫେଡେରାଲ୍ ତଦନ୍ତ ସଂସ୍ଥା FBI ମଧ୍ୟ ସହଯୋଗ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।