ଗୁହାରୀ ଶୁଣୁନି ପ୍ରଶାସନ: ଅନ୍ଧାରରେ ୫୦ ପରିବାର

Oct 14, 2026 - 18:53
ଗୁହାରୀ ଶୁଣୁନି ପ୍ରଶାସନ: ଅନ୍ଧାରରେ ୫୦ ପରିବାର

ଗୁହାରୀ ଶୁଣୁନି ପ୍ରଶାସନ: ଅନ୍ଧାରରେ ୫୦ ପରିବାର

ନନ୍ଦିଘୋଷ ବ୍ୟୁରୋ: ଚୋରି ହୋଇଗଲା ଟ୍ରାନ୍ସଫର୍ମର । ମାସେରୁ ଅଧିକ ହେଲାଣି ଅନ୍ଧାରରେ ଗାଁ । ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ବିଦ୍ୟୁତ୍ ନଥିବାରୁ ଜଳ ଯୋଗାଣ ବି ବନ୍ଦ । ଚୁଆ ପାଣି ଭରସାରେ ୫୦ ପରିବାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଷେଣ୍ଢସର ରାମିଆ ସାହିରେ।

ଟ୍ରାନ୍ସଫର୍ମର ଚୋରି ହୋଇଯିବାରୁ ଗାଁରେ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଛି । ପମ୍ପ ଚାଲୁନି କି ଲୋକଙ୍କ ଘରକୁ ପାଣି ଆସୁନି । ଗାଁରେ ଥିବା ୩ଟି ନଳକୂପରୁ ଆବଶ୍ୟକୀୟ ପାଣି ବାହାରୁନି । ଚୁଆ ପାଣି ହିଁ ଲୋକଙ୍କ ଶେଷ ଭରସା ପାଲଟିଛି । ହେଲେ ଏଯାଏଁ ନୂଆ ଟ୍ରାନ୍ସଫର୍ମର ଲାଗିପାରୁନି । କେବଳ ପାଣି ସମସ୍ୟା ନୁହେଁ । ବିଦ୍ୟୁତ୍ ନଥିବାରୁ ଅନ୍ଧାରରେ ଜୀବନ ବିତାଉଛନ୍ତି ୫୦ ପରିବାର । ଜଙ୍ଗଲୀ ଜନ୍ତୁଙ୍କ ଭୟ ମଧ୍ୟ ରହୁଛି । ପିଲାଙ୍କ ପାଠପଢ଼ା ବି ପ୍ରଭାବିତ ହେଉଛି । ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ନୂତନ ଟ୍ରାନ୍ସଫର୍ମର ଲଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ସମାଧାନର ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ । ପ୍ରଶାସନର ପ୍ରତିଶୃତି କେବେ ବାସ୍ତବ ରୂପ ନେଉଛି ? କେବେ ରାମିଆ ସାହିରେ ବସୁଛି ନୂତନ ଟ୍ରାନ୍ସଫର୍ମର ? ତାହା ଦେଖିବାକୁ ବାକି ରହିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।