ଛାନିଆ କେନ୍ଦ୍ର ସରକାର: ଫ୍ଲାଇଟ୍ ଭିତରୁ ଅଭିଜିତଙ୍କୁ ଟେକିନେଲା ପୋଲିସ୍ !
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଜନ୍ତରମନ୍ତରରେ CJP ଆନ୍ଦୋଳନ ଆଗରୁ ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଉଠାଇ ନେଲା ପୋଲିସ। ବିମାନ ଭିତରୁ ଆସି ପୋଲିସ ତାଙ୍କୁ ଉଠାଇ ନେଇଛି। ଏହାସହ ତାଙ୍କ ସହେଯୋଗୀ ସୌରଭ ଦାସ ଏବଂ ଆଷୁତୋଷ ରାଙ୍କାଙ୍କୁ ମଧ୍ୟ ପୋଲିସ ନିଜ ହେପାଜତକୁ ନେଇଛି । ମୁମ୍ବାଇରୁ ଆସି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ପ୍ରତିବାଦ ପାଇଁ ଅନୁମତି ନଥିବା କହି ତାଙ୍କୁ ଉଠାଇ ନେଇଥିଲା । ଏପରିକି ସେ ଏୟାରପୋର୍ଟରୁ ବାହାରକୁ ବି ବାହାରି ପାରିନଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଫ୍ଲାଇଟ ଭିତରେ ଅଭିଜିତଙ୍କୁ ବୁଝାଇବାକୁ ଯାଇଥିବା ପୋଲିସକୁ ଅଭିଜିତ କହିଥିଲେ ଯେ, ‘‘ମୋତେ ଗିରଫ କରିବା ପାଇଁ ଦିଲ୍ଳୀ ପୋଲିସର ପୁରା ଫୋର୍ସ ଆସିଛି । କିନ୍ତୁ ମୁଁ କାହାକୁ ଡରେ ନାହିଁ । ଯଦି ଚାହୁଁଛ ତ ମୋତେ ଗିରଫ କରିନିଅ । ଏ ସରକାର ଏବେ ଭୟଭୀତ । ସେଥିପାଇଁ ବିମାନ ଭିତରୁ ହିଁ ଲୋକଙ୍କୁ ଉଠାଇ ନେଇଯାଉଛି ।’’ ଯେହେତୁ ସେମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଚାହୁଁଛନ୍ତି, ତେଣୁ ଜାଣିଶୁଣି ସରକାର ଏଭଳି କରୁଥିବା ଅଭିଜିତ କହିଛନ୍ତି ।
କହିରଖୁଛୁ ଯେ, ପୂର୍ବରୁ ୟୁଟ୍ୟୁବର ଧୃବ ରାଠୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା। CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ସିଜେପି ପକ୍ଷରୁ ଏହି ବଡ଼ ଆନ୍ଦୋଳନ କରାଯାଉଛି। ତା ଆଗରୁ ପ୍ରମୁଖ ନେତାଙ୍କୁ ପୋଲିସ ଉଠାଇ ନେଉଛି। ଆହୁରି ଶହ ଶହ ଆନ୍ଦୋଳନକାରୀଙ୍କୁ ମଧ୍ୟ ପୋଲିସ ଅଟକାଇଥିବାର ସୂଚନା ମିଳିଛି। ବେଆଇନ ଭାବେ SIR କରିଥିବା, କୋଟି କୋଟି ଭୋଟରଙ୍କୁ ବେଆଇନ ଭାବେ ବାଦ୍ ଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ CECଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛି ସିଜେପି।
ସେପଟେ ସିଜେପିର ଆନ୍ଦୋଳନ ପାଇଁ ସୁରକ୍ଷାକର୍ମୀଙ୍କ ଛାଉଣିରେ ପରିଣତ ହୋଇଛି ଦିଲ୍ଲୀ। ମୁତୟନ ହୋଇଛନ୍ତି ୨୫ ହଜାର ସୁରକ୍ଷା କର୍ମୀ। କେନ୍ଦ୍ରୀୟ ସଶସ୍ତ୍ର ବଳର ୧୩୦ଟି କମ୍ପାନୀ ମୁତୟନ କରାଯାଇଛି । ସେହିପରି ସୀମା ସୁରକ୍ଷା ବଳ, ଅର୍ଦ୍ଧସାମରିକ ବାହିନୀ, ରାପିଡ ଆକ୍ସନ ଫୋର୍ସ ବି ମୁତୟନ କରାଯାଇଛି। ସବୁଆଡ଼େ ସିସିଟିଭି ଲଗାଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ଦିଲ୍ଲୀକୁ ଆସୁଥିବା ୫୭ଟି ଟ୍ରେନ ବାତିଲ କରାଇଛି। ଦିଲ୍ଲୀରେ ବନ୍ଦ କରାଯାଇଛି ୪୫ରୁ ଅଧିକ ମେଟ୍ରୋ ଷ୍ଟେସନ । ଘରୁ ନ ବାହାରିବାକୁ ମଧ୍ୟ ଲୋକଙ୍କୁ କୁହାଯାଇଛି। ଆଜି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଇଣ୍ତିଆ ଗେଟ୍ ଚାରିପାଖରେ ୪ କିଲୋମିଟର ପରଧି୍ ମଧ୍ୟରେ ଇଣ୍ଟରନେଟ୍ ସେବ ବନ୍ଦ କରାଯାଇଛି । ସୁରକ୍ଷା ବାହିନୀ ଦ୍ୱାରା ଜନ୍ତରମନ୍ତର ଓ କନୋଟ୍ ପ୍ଲେସ ନିକଟରୁ ପ୍ରାୟ ୬୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।